Unknown

 

 

 

 

 

 

 

 

 

ଅଭିନେତ୍ରୀ

ଶ୍ରୀ କାହ୍ନୁଚରଣ ମହାନ୍ତି

 

ଛତ୍ରପୁର

ତା ୬-୯-୪୬

 

ମୋଟେ ତିନିଘଣ୍ଟା ପାଇଁ ଯେଉଁ ଝିଅଟି ମୋର କୋଳକୁ ଆସିଥିଲା, କୁଆଁ କୁଆଁ ଡାକି ଜୁଳୁ ଜୁଳୁ ଚାହିଁ ଯିଏ ପୁଣି ଧରିତ୍ରୀ ମାଆର କୋଳକୁ ବାହୁଡ଼ିଗଲା, ଆଜି ତାର ଏକୋଇଶା । ତାହାର ଉଦ୍ଦେଶ୍ୟେରେ–

କାହ୍ନୁଚରଣ

•••

 

ଏକ

 

ଭୁବନେଶ୍ୱର ।

କେଦାରଗୌରୀ ପୀଠ ।

 

ଗୌରୀ କୁଣ୍ତରେ ସ୍ନାନ ସାରି ଓଦା ସରସର ହୋଇ ଦୀପ୍ତି ଧୀରେ ଧୀରେ ଉପରକୁ ଉଠି ଆସିଲା । ତାର ଦୃଷ୍ଟି ପଡ଼ିଲା ଆଗରେ ଠିଆ ହୋଇଥିବେ ଜଣେ ଯୁବତୀଙ୍କ ଉପରେ । ଚାରି ଆଖିର ଥରଟିଏ ମିଳନ ।

 

ଦୀପ୍ତି ଆଉ ଚାହିଁ ପାରିଲା ନାହିଁ । ଗୋଡରୁ ମୁଣ୍ତଯାଏ ଭୟରେ ଥରି ଉଠିଲା । ମନେହେଲା, ସତେକି ତାର ମୂର୍ଚ୍ଛା ହୋଇଯିବ । ମୁଣ୍ତ ଭିତର କଣ ହୋଇଗଲା । ଆଖି ଆଗରେ ବିଶ୍ୱ ବ୍ରହ୍ମାଣ୍ତ ବୁଲିଲା ପରି ଲାଗିଲା ।

 

ମୁହୂର୍ତ୍ତେ ଅପେକ୍ଷା କରି ସେ ଆଖି ଟେକି ଆହୁରି ଥରେ କଣେଇଁ ଚାହିଁଲା । ଅଚଳ ପଥର ମୂର୍ତ୍ତି ପରି ଆଗନ୍ତୁକା ନାରୀ ଠିଆ ହୋଇଛନ୍ତି । ଆଖିରେ ତାଙ୍କର ବିସୟ ଓ ଆଗ୍ରହ । ପାଖରେ ପାଞ୍ଚ ବର୍ଷର ପିଲାଟିଏ ଠିଆ ହୋଇଛି ।

 

ମନ୍ଦିର କଡ଼ରେ ଜଣେ ଭଦ୍ରଲୋକ ଠିଆ ହୋଇଛନ୍ତି । ଚିହ୍ନା ଚିହ୍ନା ପରି ଲାଗୁଛନ୍ତି ।

ପିଲାଟି ତା ମାଆର କାନି ଧରିଲା ।

ଭଦ୍ରଲୋକ କଅଁଳେଇ ଡାକିଲେ, ରମୁ ! ଏଣେ ଆ ।

 

ଲୁଗା ପାଲଟୁଣୁ ଦୀପ୍ତିର ହାତ ଥରି ଉଠିଲା । ରମୁ ! ଏ ତ ତାର ମନର ଡାକ । ବିଜୁଳି ବେଗରେ ମନ ଛୁଟିଗଲା ଅଲିଭା ଅତୀତକୁ । ହାତ ଅଟକି ରହିଲା, ମୁହୂର୍ତ୍ତେ । ମନ ଫେରିଆସିଲା ବର୍ତ୍ତମାନକୁ ।

 

ପିଲାଟି ଧାଇଁଗଲା ସେହି ଭଦ୍ରଲୋକଙ୍କ ପାଖକୁ ।

ସେ ଡାକି କହିଲେ, ଶୀଘ୍ର ଗାଧୋଇ ଆସ । ନୋହିଲେ ଖଣ୍ତଗିରି ଯିବାକୁ ଉଛୁର ହେବ-

ପିଲାର ହାତଧରି ଭଦ୍ରଲୋକଟି ମନ୍ଦିର ପାଖ ଗଛ ଆଡ଼କୁ ଚାଲିଗଲେ ।

 

ଆଗନ୍ତୁକା ଦୀପ୍ତି ଆଡ଼କୁ ତୀକ୍ଷ୍‌ଣ ଦୃଷ୍ଟିରେ ଚାହିଁ ତାଆରି ଆଡ଼କୁ ଚାଲିଲେ । ଓଠ ଥରି ଉଠିଲା । କଣ ଯେପରି ପଚାରିବାକୁ ହେଲେ । ଫେରି ଚାହିଁଲେ । ଗୌରୀ ମନ୍ଦିର ପାଖରେ ଜଣେ ଯୁବକ ଠିଆହୋଇ ଦୀପ୍ତି ଆଡ଼କୁ ଚାହିଁ ରହିଛନ୍ତି । ସୁନ୍ଦର ମୁହଁ । ଦୁର୍ବଳ ଦେହ । ଜଳିଲା ପରି ଆଖି ଦିଓଟି । ପିନ୍ଧଛନ୍ତି ପାତଳା ଧଳା ପଞ୍ଜାବି । ସେ ଦୀପ୍ତିକୁ ଅପେକ୍ଷା କରି ଠିଆ ହୋଇଛନ୍ତି ପରା !

 

ଆଗନ୍ତୁକା ପଚାରିଲେ, ତମ ଘର କେଉଁଠି ଭଉଣୀ ?

ଦୀପ୍ତି ଓଦା ଲୁଗା ଚିପୁଡ଼ି ଉତ୍ତର ଦେଲା, ସୋରଡ଼ା ।

ସୋରଡ଼ା କେଉଁଠି ?

ଚାଲି ଯାଉଁ ଯାଉଁ ଦୀପ୍ତି କହିଲା, ଗଞ୍ଜାମ ଜିଲ୍ଲାରେ ।

ଶାଶୁଘର କି ବାପଘର ?

 

ଦୀପ୍ତି ଶୁଣିଲା । ନ ଶୁଣିଲା ପରି ଆଗକୁ ଚାଲିଲା । ଅଡ଼ୁଆ ପ୍ରଶ୍ନ । ଉତ୍ତର ଦେବା ଠିକ୍‌ ନୁହଁ । ଉତ୍ତର ଦେଲା ନାହିଁ ।

 

ଚାରିପାଦ ଆଗକୁ ଯାଇଛି, ଦେଖିଲା, ଭଦ୍ରଲୋକଟି ପିଲାର ହାତ ଧରି ଗୌରୀମନ୍ଦିର ଆଡ଼କୁ ଆସିଲେ।

 

ଦୀପ୍ତି ଚାକର ହାତକୁ ଓଦାଲୁଗା ବଢ଼ାଇ ଲୁଗା ସଜାଡ଼ିଲା । ଓଦାମୁଣ୍ତ ଉପରକୁ ପଣନ୍ତ ଟାଣିଲା । ପିଠିପାଖେ କେରା ଓଦାବାଳ ଆଣ୍ଠୁଯାଏ ଓହଳିଛି ।

 

ଗୌରୀମନ୍ଦିର ପାଖରେ ଯେଉଁ ଯୁବକଟି ଠିଆ ହୋଇଥିଲେ, ଦୀପ୍ତିର ସେ ସ୍ୱାମୀ । ପ୍ରଫେସର୍‌ ଗଗନବିହାରୀ ପଟ୍ଟନାୟକ । ଆଉ, ଆଗନ୍ତୁକ ଭଦ୍ରୋଲୋକ ହେଉଛନ୍ତି ଆଡ୍‍ଭୋକେଟ୍‌ ଚନ୍ଦ୍ର ଭୂଷଣ ବହିଦାର ।

 

ଗଗନବାବୁ ହାତଯୋଡ଼ି ପ୍ରଣାମ କଲେ ।

ଚନ୍ଦ୍ରବାବୁ ପ୍ରତିନମସ୍କାର କଲେ ।

ଚିହ୍ନି ପାରୁଛନ୍ତି ? ଗଗନବାବୁ ପଚାରିଲେ ।

 

ଚନ୍ଦ୍ରବାବୁ ଦୋ ଦୋ ଚିହ୍ନା ହୋଇ ଗଗନବାବୁଙ୍କ ମୁହଁକୁ ଚାହିଁରହିଲେ । ଗଗନବାବୁ ନିଜର ପରିଚୟ ଦେଲେ । ପୁଣି କହିଲେ, ବିଧୁର ବାହାଘର ପରେ ରାଜୀବ ସାଙ୍ଗରେ ମୁଁ ଆପଣଙ୍କ ଘରକୁ ଯାଇଥିଲି । ଦୁଇ ଦିନ ରହି ଆସିଥିଲି । ଆପଣଙ୍କର ସ୍ନେହ ଆଉ, ନୂଆବୋହୂଙ୍କର ଆଦର ଯତ୍ନ ମୁଁ ଆଜିଯାଏ ଭୁଲି ପାରି ନାହିଁ ।

 

ବିଧୁଭୂଷଣ ଚନ୍ଦ୍ର ଭୂଷଣଙ୍କ ସାନ ଭାଇ । ବିଧୁଭୂଷଣ ଓକିଲାତି ପଢ଼ିଥିବାବେଳେ ତାଙ୍କର ସହପାଠୀ ରାଜୀବଲୋଚନ ମହାପାତ୍ରଙ୍କର ସାନ ଭଉଣୀ, ମାୟାଦେବୀଙ୍କୁ ସେ ବିବାହ କରିଥିଲ-। ଗଗନବାବୁ ସେତେବେଳେ ପାଟନାରେ ଇତିହାସରେ ଏମ୍‌. ଏ ପଢ଼ୁଥାନ୍ତି ।

 

ଚନ୍ଦ୍ରବାବୁ ଦୁଃଖମିଶା ସ୍ୱରରେ କହିଲେ, ବିଧୁ କଟକରେ ମଲା ।

 

ଗଗନବାବୁ କହିଲେ, ରହିମ୍‌ବାବୁ, ରାଜୀବବାବୁ ଆଉ ମୁଁ, ତାକୁ ବଞ୍ଚାଇବାକୁ ପ୍ରାଣପଣେ ଚେଷ୍ଟା କରିଥିଲୁ। ତାକୁ ତ ସେରିବ୍ରାଲ୍‌ ମେଲେରିଆ ହେଲା । ଯେତେ ଚେଷ୍ଟା କଲୁ ବଞ୍ଚାଇ ପାରିଲୁ ନାହିଁ ।

 

ଚନ୍ଦ୍ରବାବୁ କହିଲେ, ସବୁ ମୁଁ ଶୁଣିଛି । ଭାଗ୍ୟ । ସେ ମଲାଦିନରୁ ଦୁନିଆଁ ପ୍ରତି ମୋର ମମତା ତୁଟିଛି । କଣ କହିବି ଗଗନବାବୁ, ଆଜିଯାଏ ତା ମରଣର ଦୁଃଖ ମୋର ଛାତି ଭିତରେ ନିଆଁ ଜାଳୁଛି । ଦେଖୁ ଦେଖୁ ପାଞ୍ଚ ବର୍ଷ କଟିଗଲା, ଠିକ୍‌ କାଲି ପରି ଲାଗୁଚି । ସବୁବେଳେ କାମକାର୍ଯ୍ୟର ବୋଝ ତଳେ ନିଜକୁ ଲୁଚେଇ ରଖିବାକୁ ଚେଷ୍ଟାକରେ । ଟିକଏ ଫାଙ୍କ ପାଇଲେ ତାର ହସ ହସ ମୁହଁ ବଳିଷ୍ଠ ଦେହ ମୋର ମନ ଆଗରେ ଆସି ଠିଆହୁଏ ।

 

ଚନ୍ଦ୍ରବାବୁଙ୍କର ଆଖି ଛଳ ଛଳ ହେଲା ।

 

ଦୀପ୍ତିର ଆଖିରୁ ଲୁହ ଝରିଲା । ଅବାଧ୍ୟ ଲୁହକୁ ଅଟକାଇ ରଖିବାକୁ ଯେତେ ଚେଷ୍ଟା କଲା,ପାରିଲା ନାହିଁ । ମନର କୋହ ଉଜାଣି ଉଠିଲା ।

 

ଆଖି ଛଳଛଳ କରି ଚନ୍ଦ୍ର ବାବୁ କହିଲେ, ଚଉଦ ପନ୍ଦର ବର୍ଷର ଦେବୀ ପ୍ରତିମା ପରି ମାୟାଦେବୀ । ଭାଇ ତ ମଲା, ତା ପରେ ମାୟାଦେବୀଙ୍କର ଦୁଃଖ, କେମିତି ସହନ୍ତି ଗଗନବାବୁ ? ରାଜୀବବାବୁ ତାକୁ ନେଇଗଲେ । ସତୀଲକ୍ଷ୍ମୀ ସେ, ମାସ କେଇଟା ପରେ ପୁରୀରେ ତାଙ୍କ ବାପ ଘରେ ହଠାତ୍‌ କଲେରାରେ ତାଙ୍କର ମୃତ୍ୟୁ ହେଲା । ଦୁହିଁଙ୍କର ମରଣ କେବଳ ମୋର ନୁହେଁ, ମୋ ସ୍ତ୍ରୀଙ୍କର ମଧ୍ୟ ଛାତିରେ ଦିଓଟି କରି ଜହିଡ଼ା ଗାର ଟାଣିଦେଇଛି ।

 

ଗଗନବାବୁ କହିଲେ, ସବୁ ମୁ ଶୁଣିଛି ।

 

ଦୀପ୍ତି ଆଡ଼କୁ ମୁହଁ ବୁଲାଇ କହିଲେ, ଏଁ ତମେ କାନ୍ଦୁଛ ? ଚନ୍ଦ୍ରବାବୁଙ୍କ ନମସ୍କାର କରି ନା ଯେ !

 

ଦିପ୍ତି ମୁଣ୍ତ ଉପରର ଓଢ଼ଣା ଟାଣି ନମସ୍କାର କଲା ।

ଚନ୍ଦ୍ର ବାବୁ ପ୍ରତିନସ୍କାର କଲେ ।

 

ଗଗନବାବୁ କହିଲେ, ଇଏ ମାୟାଦେବୀଙ୍କର ସାନ ଭଉଣୀ । ୟାଙ୍କର ନାମ ଛାୟା । ମୁଁ ବିଲାତରୁ ଫେରିଲା ପରେ ରାଜୀବବାବୁ ସମ୍ବନ୍ଧ ପକାଇଲେ । ବାପା ମଙ୍ଗିଲେ ।

 

ଦୁଃଖ ଭିତରେ ଚନ୍ଦ୍ରବାବୁଙ୍କ ଓଠରେ ହସ ବିକଶିଲା । କହିଲେ, ଆପଣ ଭାଗ୍ୟବାନ୍‌। ଛାୟାଦେବୀ ସୁଖୀ । ଆଶୀର୍ବାଦ କରୁଛି, ଭଗବାନ୍‌ଆପଣ ଦୁହିଁଙ୍କୁ ସୁଖୀ କରନ୍ତୁ, ଯଶସ୍ୱୀ କରନ୍ତୁ ଓ ଦୀର୍ଘାୟୁ କରନ୍ତୁ ।

 

ଗଗନବାବୁ କହିଲେ, ଛାୟା ନାମଟା ବାପାଙ୍କ ମନକୁ ପାଇଲା ନାହିଁ । ବୋହୂର ନାମ ଦେଲେ ସେ ଦୀପ୍ତି । ତେଣୁ ଛାୟାଦେବୀ ଦୀପ୍ତି ହେଲେ ।

 

ଚନ୍ଦ୍ର ବାବୁ ହସିଲେ ।

 

ଦୀପ୍ତି ରମୁର ହାତ ଧରି ପାଖକୁ ନେଲା । ଟିକିଏ ଦୂରକୁ ଘୁଞ୍ଚିଯାଇ ରମୁକୁ କାଖକଲା । ରମୁ କୋଳରୁ ଓହ୍ଲାଇବାକୁ ଅସ୍ଥିର ହେଉଥାଏ ।

 

ପ୍ରୀତି ସ୍ନାନ ସାରି ପାଖକୁ ଆସିଲେ । ତାଙ୍କର ବିସ୍ମୟର ସୀମା ରହିଲାନାହିଁ । ଏକ ସଙ୍ଗେ ଗଗନ ଓ ଦୀପ୍ତି ତାଙ୍କ ପ୍ରଣାମ କଲେ ।

 

ଚନ୍ଦ୍ରବାବୁ ପଚାରିଲେ, ଚିହ୍ନୁଛ ?

ପ୍ରୀତି ଆଶ୍ଚର୍ଯ୍ୟ ହୋଇ ଦୁହିଁଙ୍କୁ ଚାହିଁଲେ ।

ଚନ୍ଦ୍ରବାବୁ ଚିହ୍ନାଇ ଦେଲେ ।

 

ପ୍ରୀତ ଢଳ ଢଳ ଆଖିରେ ଦୀପ୍ତିର ଥରିଲା ହାତ ଧରିଲେ । ଗୋଟିଏ କଥା ମନ ଭିତରେ ତୁହାଇ ହେଲା, ଏକା ଛାଞ୍ଚରେ ଷଠୀ ଦୁଇଟି କଣ୍ଡେଇ ଗଢ଼ିଥିଲା, ମାୟା ଓ ଛାୟା ! ମନ ଗହନରୁ ଉଠିଲା କୋହ, ପୁଣି କଲ୍ୟାଣ, କାଚ ତୋର ବଜର ହେଉ ଦୀପ୍ତି !

 

ସେଦିନ ଆଉ ଖଣ୍ତଗିରି ଯାଇ ହେଲା ନାହିଁ ।

 

ଦୁଃଖ ଓ ଆନନ୍ଦର ଗୋଳିଆମିଶା ମୂର୍ଚ୍ଛନାରେ ପ୍ରୀତି ଓ ଚନ୍ଦବାବୁଙ୍କର ମନ କେଉଁଠି ଲାଗିଲା ନାହିଁ । ଏ ମନ୍ଦିରରୁ ସେ ମନ୍ଦର ବୁଲି ଦି ପହର କଟିଗଲା ।

 

ସଞ୍ଜବୁଡ଼େ ଗଗନବାବୁଙ୍କର ବସା ଘରକୁ ଯାଇ ଦେଖିଲେ, ଘର ବନ୍ଦ ଅଛି । ତାଳା ପଡ଼ିଛି । ପଚାରି ବୁଝିଲେ, ସେମାନେ କାହା ଘରକୁ ବୁଲି ଯାଇଛନ୍ତି । ହତାଶ ହୋଇ ଫେରିଲେ ।

 

ଚନ୍ଦ୍ର ବାବୁ ତାଙ୍କର ଜଣେ ବନ୍ଧୁଙ୍କର ଘରେ ଅତିଥି ହୋଇଛନ୍ତି । ଷ୍ଟେସନ୍‌ରୁ ମନ୍ଦିର ଆଡ଼କୁ ଯେଉଁ ରାସ୍ତା ପଡ଼ିଛି ତାଆରି କଡ଼ରେ, କୋଚିଲା ବଣ ଭିତରେ, ତାଙ୍କର ନିଛାଟିଆ ବସାଘର ।

•••

 

ଦୁଇ

 

ସମସ୍ତେ ନିଘୋଡ଼ ନିଦରେ ଅଚେତନ । ପ୍ରୀତିଙ୍କର ଆଖିକୁ ନିଦ ନାହିଁ । ତୁହାଇ ତୁହାଇ କେତେ ଭାବନା ମନ ଭିତରେ ଓଲଟ ପାଲଟ ହେଉଥାଏ । ସ୍ୱପ୍ନ ନୁହେଁ, ସତ କଥା । ଅଙ୍ଗେ ଲିଭେଇଲା କଥା । ମାୟାପୁରୀର କାଉଁରୀକାଠି ଛୁଆଁ ରାଜକନ୍ୟା ସେ ନୁହଁ । ରକ୍ତମାଂସର ଦେହ ଧରି ସେ ଉଭା ହୋଇଥିଲା । ଦେହର ପରଶ ସେ ନିଜେ ଅନୁଭବ କରିଛନ୍ତି ।

 

ମାୟା ନୁହେଁ, ମାୟାର ଭଉଣୀ ଛାୟା !

 

ସବୁ ଏକା ପରି । ରୂପ, ଗଠଣ, ଚାଲିଚଲଣ, କଥାଭାଷା । ସବୁ ତୁଳନା କରି ବସିଲେ କିଛି ମନେ ପଡ଼େ ନାହିଁ। ଚହ୍ନି ହୁଏ।

 

ମାୟା ନୁହେଁ, ଛାୟା ! ଏକାପରି, ଏକା ଛାଞ୍ଛରେ ଗଢ଼ା । ଏକା ନାହି ଦି ଖଣ୍ଡ । ଏକା ରକ୍ତ ମାଂସ । ତଫାତ୍‌କେବଳ ଦେହ ଭିତରର ଆତ୍ମାରେ । ନା, ତା ବି ନୁହେଁ, ଆତ୍ମାର ବିକାଶରେ ।

 

ମାୟା ଓ ଛାୟା ।

ଦିଓଟି କାୟା ଅଭିନ୍ନ !

 

ପ୍ରୀତି ଆଲୁଅ ତେଜିଲେ । ଏଇ, ସେ ଖଟରେ ସ୍ୱାମୀ ଶୋଇଛନ୍ତି । ଏ ଖଟରେ ରମୁ । ଏଇ ଗଛର ଫଳ ତ, ତଥାପି, କେଡ଼େ ଭିନ୍ନ ! ତାଙ୍କରି ପେଟର ପିଲା । କେତେ ତଫାତ୍‌ । କଥାରେ ଅଛି, ଷଠୀ ଦୁଇଟା ରୂପ ଏକା ପରି ଗଢ଼େନାହିଁ । ସେ ଚାହେଁ ପ୍ରକାର । ଏକାପରି ଖେଳଣା ଧରି ସେ ଖେଳିବାକୁ ଭଲପାଏ ନାହିଁ । ସେଇଥିପାଇଁ କେଉଁଠି ହେଲେ ଟିକିଏ ଚିହ୍ନ ରଖିଦିଏ । କିନ୍ତୁ–

 

ଝରକା ବାଟେ ସୁଲୁସୁଲିଆ ପବନ ପଶି ଆସିଲା । ପଦାକୁ ଚାହିଁଲେ । କିଟି କିଟି ଅନ୍ଧାର । ପାଖର କୋଚିଲା ବଣ, ଆଉ ବଣ ମଝିରେ ଥିବା ଓଡ଼ିଆ ପୁଅର ହତାଶ କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର ସବୁ ସେହି ଅନ୍ଧାରରେ ମିଶି ଏକାକାର ଦିଶୁଛି । କିଛି ବାରି ହେଉ ନାହିଁ ।

 

ସବୁ ସରିଗଲେ ଅନ୍ଧାର ହୁଏ । ସର୍ବହରା ଅନ୍ଧାରର କାୟା ଅନନ୍ତ, ମନ ଉଦାର । ସମସ୍ତେ ପଶନ୍ତି ତାଆରି ଅନନ୍ତ ଗର୍ଭରେ । ଦୁନିଆଁ ତାଙ୍କୁ ଭୁଲେ । ସେମାନେ ମଧ୍ୟ ଦୁନିଆଁକୁ ଭୁଲନ୍ତି । ଅନ୍ଧାର ସର୍ବସହଣୀ, ଉଦାର, ପୁଣି ମହାନ୍‌ ।

 

ଅନ୍ଧାର ଭିତରୁ ଉଙ୍କିମାରେ ଅତୀତର ପ୍ରେତ, ଭବିଷ୍ୟତରେ ଭୂତ । ଆଲୁଅ ମନ ଚମକି ପଡ଼େ, ଚିହିଁକି ଉଠେ । ଭୂତ ପ୍ରେତ ଦେଖେ । ଡରେ । ଆଲୁଅ କ୍ଷୁଦ୍ର । ନ୍ଧାର ଭିତରେ ହଜେ ତାର ସତ୍ତା ।

 

ଅତୀତର ଅନ୍ଧାର ଭିତରେ, ଦିନେ ଯେଉଁଠି ବର୍ତ୍ତମାନର ଆଖି ଝଲ୍‌ସା ଆଲୁଅ ଲହଡ଼ି ଭାଙ୍ଗୁଥିଲା–

 

ଶୀତଳଷଷ୍ଠୀ ପର୍ବ ।

 

ସମ୍ବଲପୁରର ବଡ଼ ପର୍ବ ଏ ଶୀତଳଷଷ୍ଠୀ । କେତେ ରାଜ୍ୟରୁ ଲୋକେ ଆସନ୍ତି । ସମ୍ବଲପୁରର ଦାଣ୍ଡ ପଡ଼େଉଠେ । କେଡ଼େ ଚହଳ । କେଡ଼େ ଗହଳ । ପଞ୍ଝା ପଞ୍ଝା ଗୋଟିପିଲା ନାଚ-। ବାଜା ରୋଷାଣୀ । ଉନ୍ମାଦନା । ଶିବ ପାର୍ବତୀ ବିଭା ।

 

ଦି ପହର ଗଡ଼ିଗଲାଣି ।

 

ପ୍ରୀତି ଧୀରେ ଧୀରେ ବିଧୁଭୂଷଣଙ୍କର ଘରେ ପଶିଲେ । ବିଧୁଭୂଷଣ ଖରାଛୁଟିରେ ଘରକୁ ଆସିଥାନ୍ତି । କଟକ କଲେଜରେ ତୃତୀୟ ବର୍ଷର ଛାତ୍ର । ଚଉକି ଉପରେ ବସି ଟେବୁଲ ଉପରେ ହାମୁଡ଼େଇ ପଡ଼ିଥାନ୍ତି । ଆଗ ଝରକା ଖୋଲା। ଝରକା ବାଟେ ଦିଶେ ମହାନଦୀର ଶୁଖିଲା ଖଇଫୁଟା ବାଲି । ମାଳ ମାଳ ପଥର । ପାଣି ଧାର । ସେପାଖ ଅତଡ଼ାର ଗଛଗହଳି । ଗରମ ପବନ ଧୀରେ ଧୀରେ ବହି ଆସୁଥାଏ ।

 

ତାଙ୍କର କୋଠାଟି ମହାନଦୀ ଖଣ୍ଡି ଉପରେ । ଦୋତାଲା । ବାରି କାବଟ ଖୋଲିଲେ ନଈଧାରକୁ ବାଟ । ପାଣି ବେଶି ଦୂରରେ ନୁହେଁ । ରାତି ନ ପାହୁଣୁ ଏଇ ବାଟେ ଝିଅବୋହୂ ନଈକୁ ଗାଧୋଇ ଯାଆନ୍ତି । ସୂର୍ଯ୍ୟ ନ ଉଠୁଣୁ ମୁଣ୍ଡରେ, ଅଣ୍ଟାରେ, ହାତରେ ନିତି ଗରା ପାଣି ଧରି ପଥୁରିଆ ବାଟରେ ଉଠନ୍ତି ଖଣ୍ଡି ଆଡ଼କୁ । ସଞ୍ଜବୁଡ଼େ ବି ସେହି ଦୃଶ୍ୟ ।

 

ବିଧୁଭୂଷଣ ଦୋତାଲା କୋଠରୀରୁ ସବୁ ଦେଖାଯାଏ । ମନୋରମ । ସତେ କି ଗୋପବାଳାମାନେ ସୁନାକଳସୀ ଧରି ଯମୁନାରୁ ଫେରୁଛନ୍ତି ! କିନ୍ତୁ ଦିପହର, ବିଧୁ ତନ୍ମୟ ହୋଇ କଅଣ ଏତେ ଦେଖୁଛନ୍ତି ?

 

ଗୋଡ଼ ଚିପି ଚିପି ପ୍ରୀତି ପଛରୁ ଗଲେ ।

ଖଣ୍ଡିଏ ଫଟୋ । ଗୋଟିଏ ଝିଅର !

 

କୌତୂହଳରେ ପ୍ରୀତି ବିଧୁଭୂଷଣଙ୍କର ବାହୁ ଧରି ହଲାଇ ଦେଲେ । ବିଧୁ ଚମକି ଉଠି ଫଟୋଟିକୁ ଓଲଟାଇ ଦେଲେ । ପଛକୁ ଚାହିଁଲେ । ନୂଆବୋଉ । ଉଠି ଠିଆ ହେଲେ । ଦୁଧ ପରି ଗୋରା ତକ ତକ ପୂରିଲା ମୁହଁରେ ଲାଜରେ ଗୋଲାପ ଫୁଟିଲା । ପଦଟିଏ କଥା ଅଜାଣତରେ ଖସିଗଲା ମୁହଁରୁ, ଆରେ– !

•••

 

ତିନି

 

ଚାରିବର୍ଷ ହେଲା ପ୍ରୀତି ଆସିଲେ ଖାନ୍‌ଦାନ୍‌ ବହିଦାର ଘରର କୁଳ ଲକ୍ଷ୍ମୀ ହୋଇ । ଶାଶୁର ସ୍ନେହ କଣ ଜାଣନ୍ତି ନାହିଁ । ଦୁଇ ବର୍ଷ ଆଗରୁ ସେ ଚାଲି ଯାଇଥିଲେ, କିନ୍ତୁ ଯାହାଙ୍କୁ କୁଳର ବୋହୂ କରିବେ ବୋଲି ସେ ସୋନପୁରର ସୁବର୍ଣ୍ଣମେରୁ ମହାଦେବଙ୍କ ଆଗରେ ପ୍ରତିଜ୍ଞା କରିଥିଲେ, ସେହି ପ୍ରୀତି ବୋହୂ ହୋଇ ଘରକୁ ଆସିଲେ । ଶାଶୁଙ୍କର ସ୍ନେହ ଆଦର ପାଇଲେ ନାହିଁ ।

 

ଚନ୍ଦ୍ରଭୂଷଣ ଓ ବିଧୁଭୂଷଣଙ୍କର ବାପା ଅଧା ବୟସରେ ଓକିଲାତି ଛାଡ଼ି ଗଡ଼ଜାତରେ ଦେଓ୍ୱାନୀ କରିବାକୁ ଗଲେ। ତାଙ୍କର ସ୍ୱାଧୀନ ପ୍ରକୃତି, ଦରିଦ୍ର ଅତ୍ୟାଚାରୀଙ୍କ ପ୍ରତି ସହାନୁଭୂତି, ନିର୍ଭୀକ ସ୍ୱଭାବ ଓ ମୁହେଁ ମୁହେଁ ଉତ୍ତର ଦେବାର ପ୍ରକୃତି ପାଇଁ କୌଣସି ସ୍ଥାନରେ ସେ ଅଧିକ ଦିନ ରହି ପାରି ନଥିଲେ । ଗୋଟିଏ ସ୍ଥାନରେ ଦୁଇ ତିନି ବର୍ଷ ରହିଲା ପରେ କୌଣସି କାରଣରୁ ମନର ଅମେଳ ହେଲେ ଚାକିରୀ ଛାଡ଼ି ଚାଲି ଆସୁଥିଲେ । କିନ୍ତୁ ଜଗନ୍ନାଥ ବହିଦାରଙ୍କ କାର୍ଯ୍ୟଦକ୍ଷତାର ପ୍ରଶଂସା ନ କରେ କିଏ ? ଘରେ ଗୋଡ଼ ନ ଦେଉଣୁ ପୁଣି ଆର ଗଡ଼ଜାତରୁ ଡାକରା ଆସେ । ଯାଆନ୍ତି।

 

ଶେଷକୁ ସୋନପୁରରେ ଦେଓ୍ୱାନ୍‌ ହେଲେ ଜଗନ୍ନାଥ ବାବୁ । ସପରିବାର ସୋନପୁର ଗଡ଼ରେ ରହିଲେ । ରାଜକାର୍ଯ୍ୟ ଛାଡ଼ିଦେଲେ ବାହାରେ ଲୋକଙ୍କ ସଙ୍ଗେ ଯେତିକି ମିଶନ୍ତି, ସେତିକି ଲୋକପ୍ରିୟ ହୁଅନ୍ତି । ସୋନପୁରର ଗଣମାନ୍ୟ ଲୋକେ ସମସ୍ତେ ତାଙ୍କର ଆପଣାର । ବିଶେଷତଃ ସୋମନାଥ ବିଦ୍ୟାଧର ।

 

ଧନ, ମାନ, ପ୍ରତିପତ୍ତି ଓ ପାଣ୍ଡିତ୍ୟରେ ବିଦ୍ୟାଧର ବଂଶ ପୁରୁଷାନୁକ୍ରମେ ରାଜସଭାରେ ସମ୍ମାନ ପାଇ ଆସିଛନ୍ତି। ସୋମନାଥ ବିଦ୍ୟାଧର ସେହି ବଂଶର ସୁଯୋଗ୍ୟ ସନ୍ତାନ । ତାଙ୍କର ପାଣ୍ଡିତ୍ୟରେ ଜଗନ୍ନାଥବାବୁ ମୁଗଧ୍‌ ହୋଇଥିଲେ । ତେଣୁ ତାଙ୍କୁ ସେ ସାନଭାଇ ପରି ଦେଖୁଥିଲେ । ତାଙ୍କର ଗୋଟିଏ ବୋଲି ଝିଅ, ଲାବଣ୍ୟପିତୁଳା । ଚମ୍ପାଫୁଲ ପରି ରଙ୍ଗ । ସୁନ୍ଦରୀ । ସ୍ଥାନୀୟ ବାଳିକାସ୍କୁଲରୁ ପାଠ ଶେଷ କରି ବାପାଙ୍କ ପାଖରୁ ସଂସ୍କୃତ ଶିଖିଛ । ପାଣ୍ଡିତ୍ୟ ଯେମିତି, ସବୁ କାର୍ଯ୍ୟରେ ବିଚକ୍ଷଣତା, ନିପୁଣତା ସେମିତି । ସେହି ସେ ପ୍ରୀତି ।

 

ଜଗନ୍ନାଥବାବୁ ବାବୁ ତାଙ୍କୁ ଦେଖିଲେ ଝିଅ ପରି ଭଲ ପାଉଥିଲେ । ତାଙ୍କର ସ୍ତ୍ରୀ ପ୍ରୀତିଙ୍କୁ ଦେଖିଲେ କୋଳ କରୁଥିଲେ । କହୁଥିଲେ, ଏଇ ଝିଅଟି ଯଦି ବୋହୁ ହୋଇ ମୋର କୋଳକୁ ଆସନ୍ତା !

 

ପ୍ରୀତି ତାଙ୍କ ଘରକୁ ଆସିଲେ ସିନା, କୋଳକୁ ଆସିଲେ ନାହିଁ । ବିବାହର ଦୁଇବର୍ଷ ଆଗରୁ ଚନ୍ଦ୍ରଭୂଷଣଙ୍କର ମାତା ସେହି ମାଟି ସୋନପୁରରେ ମାଟି ଘେନିଲେ । ଚନ୍ଦ୍ରଭୂଷଣ ଓକିଲାତି ପଢ଼ୁଥାଆନ୍ତି । ଓକିଲାତି ପାଶ୍‌କଲା ପରେ ବିଭାଘର ହେଲା । ଚନ୍ଦ୍ରଭୂଷଣ ସମ୍ବଲପୁରରେ ଓକିଲାତି ଆରମ୍ଭ କଲେ । ଜଗନ୍ନାଥବାବୁ ଭଲରେ ଭଲରେ ନୌକରୀ ଛାଡ଼ି ପ୍ରୀତିକୁ ନେଇ ଘରକୁ ଫେରିଲେ-

 

ବେଶି ଦିନ ଶଶୁରଙ୍କର ସେବା ସେ କରିପାରିଲେ ନାହିଁ । ମୋଟେ ଦୁଇଟି ବର୍ଷ ପରେ ସଂସାରର ସବୁ ଦାୟିତ୍ୱ ବୋହୂଙ୍କ ହାତକୁ ଟେକିଦେଇ ଜଗନ୍ନାଥ ବାବୁ ଆଖି ବୁଜିଲେ । ସେଇ ଦିନରୁ ସେ ଘରର କର୍ତ୍ତ୍ରୀ । ଚନ୍ଦ୍ରଭୂଷଣ ଓକିଲାତି ଛଡ଼ା ଘରର କୌଣସି ଖବର ବୁଝନ୍ତି ନାହିଁ । କୌଣସି ବିଷୟରେ ଲୋଡ଼ା ହେଲେ ପ୍ରୀତି ଦେବୀଙ୍କ ପାଖରେ ନିଜେ ସେ ଅଳି କରନ୍ତି ।

 

ଆଉ ବିଧୁଭୂଷଣ, ସମବୟସ୍କ ହେଲେ ମଧ୍ୟ ଭାଉଜଙ୍କ ଆଗରେ ସଳଖ ହୋଇ ଠିଆ ହୁଅନ୍ତି ନାହିଁ । ପ୍ରୀତି ଦେବୀ ମାଆ ପରି ବିଧୁର ଯତ୍ନ ନିଅନ୍ତି, ଭଉଣୀ ପରି ସଙ୍ଗରେ ଖେଳନ୍ତି, ପୁଣି ଶିକ୍ଷକ ପରି ଶାସନ କରନ୍ତି ଗାମ୍ଭୀର୍ଯ୍ୟରେ, ଆଖିର ଦୃଷ୍ଟିଭଙ୍ଗିରେ ।

 

କଅଣ ସେ ଖଣ୍ଡି ବିଧୁ ?

 

ଉତ୍ତରକୁ ଅପେକ୍ଷା ନ କରି ପ୍ରୀତି ଟେବୁଲ ଉପରୁ ଫଟୋଟିକୁ ଉଠାଇ ନେଲେ । ବିଧୁଭୂଷଣ ଛଡ଼ାଇ ନେବାକୁ ହାତ ବଢ଼ାଉୁଣୁ ହାତ ଫେରାଇଆଣି ନିଃସହାୟ ଆଖିରେ ଭାଉଜଙ୍କ ମୁହଁକୁ ଚାହିଁଲେ । କେଡ଼େ କରୁଣ ତାଙ୍କର ଅବସ୍ଥା ! ଝିଅଟିର ଫଟୋ, ଟୋକ ହାତରେ । କଣ ସେ ଭାବିବେ ? ହୁଏତ କଣ ପଚାରିବେ । କି ଉତ୍ତର ଦେବ ?

 

କାହାର ? କେଉଁଠୁ ଆଣିଲ ? କାହିଁକି ଆଣିଛ ? କାହିଁକି ରଖିଛ ? କଣ କରିବ ? ଇତ୍ୟାଦି, କେତେ କଥା ସେ ନିଶ୍ଚୟ ପଚାରିବେ । ବିଧୁଭୂଷଣ ମନେ ମନେ ଉତ୍ତର ଉଣ୍ଡିଲେ । ମୁହଁରେ ବୁନ୍ଦା ବୁନ୍ଦା ଝାଳ ।

 

ପ୍ରୀତି ଦେବୀ ତନ୍ମୟ ହୋଇ ଫଟୋଟିକୁ ଚାହିଁରହିଲେ । ଓଠରେ ଚହଟି ଉଠିଲା ହସ ।

ବିଧୁ, ଦେବ କି ଏ ଫଟୋଟି ମତେ ?

 

ବିଧୁଭୂଷଣ ଦୀର୍ଘଶ୍ୱାସ ଛାଡ଼ିଲେ । କଣେଇଁ ଚାହିଁଲେ ନୂଆବୋହୂଙ୍କୁ ଦରହସିଲା ମୁହଁ । ଆଖିରେ ଆଗ୍ରହ ।

 

କଣ କରିବ ନୂଆଉ ?

ତମେ ଯାହା କରୁଥିଲ ।

ବିଧୁଭୂଷଣ ତୁନି ହେଲେ ।

ଦେବ ନାହିଁ ?

ନିଅ ।

ପ୍ରୀତି ଫଟୋ ଖଣ୍ଡି ନେଇ ଚାଲିଗଲେ ।

 

ବିଧୁଭୂଷଣ ଲାଜରା ହୋଇ ଘରୁ ବାହାରି ଆସିଲେ । ଚାରିପାଞ୍ଚ ଦିନଯାଏ ଭାଉଜଙ୍କ ପାଖରୁ କରଛଡ଼ା ଦେଇ ରହିଲେ । ପ୍ରୀତି ଡାକିଲେ ସେ ନ ଶୁଣିଲା ପରି ଅନ୍ୟ ଆଡ଼େ ଚାଲିଯାଆନ୍ତି । ହାବୁଡ଼େ ପଡ଼ିଲେ ତାଙ୍କ ମୁହଁକୁ ସେ ଚାହିଁପାରନ୍ତି ନାହିଁ । କଣେଇଁ ଚାହିଁଲେ ଦେଖନ୍ତି, ବିନା କାରଣରେ ସେ ହସୁଛନ୍ତି ।

 

କଣ ପଚାରିବେ କି ?

ପ୍ରୀତି କିଛି ପଚାରନ୍ତି ନାହିଁ ।

•••

 

ଚାରି

 

ସଞ୍ଜବେଳେ ପଡ଼ାର ଅନ୍ୟାନ୍ୟ ସ୍ତ୍ରୀଲୋକଙ୍କ ଗହଣରେ ପ୍ରୀତି ସମଲେଶ୍ୱରୀ ଦେବୀଙ୍କୁ ଦର୍ଶନ କରିବାକୁ ଯାଇଥିଲେ । ଫେରିଆସି ଦେଖିଲେ, ତାଙ୍କର ଶୋଇଲା ଘରେ ବିଧୁଭୂଷଣ ପଶି କଅଣ ଖୋଜୁଛନ୍ତି । କିଛି ନ କହି, ବିଧୁଭୂଷଣକୁ ନ ଜଣାଇ, ସେ ଫେରି ଆସିଲେ । ବିଧୁଭୂଷଣଙ୍କ ପଢ଼ା ଘରେ ପଶି ସେ କଅଣ ମଧ୍ୟ ଖୋଜିବାକୁ ଲାଗିଲେ।

ମିଳିଲା କୋଟ ପକେଟରୁ ।

ଖୋଲି ପଢ଼ିଲେ–

ବିଧୁ ବାବୁ,

ଛାୟା କହୁଥିଲା, ଆପଣ କୁଆଡ଼େ ଭାଇଙ୍କ ଟେବୁଲ ଉପରୁ ମୋ ଫଟୋ ଖଣ୍ଡିକ ନେଇଯାଇଛନ୍ତି । ସେ ନିଜେ ଜାଣେ, ଅଥଚ ସମସ୍ତଙ୍କ ଆଗରେ କହୁଛି, ମୁଁ କୁଆଡ଼େ ଆପଣଙ୍କୁ ଯାଚିକରି ମୋ ଫଟୋ ଦେଇଛି । କେଡ଼େ ମିଛ । ଭାଇଙ୍କ ସଙ୍ଗେ ଆପଣ ଆସି ଆମ ଘରେ ଦୁଇଦିନ ରହିଗଲେ । କହନ୍ତୁ, ମୁଁ ଆପଣଙ୍କ ଆଗକୁ ଯାଇଛି ? ବରଂ ଛାୟା ସଙ୍ଗେ କଜିଆ କରୁଥିଲା । ମୋ ଫଟୋ ନିଶ୍ଚୟ ଫେରାଇ ଦେବେ, ନୋହିଲେ-, ଛାୟା ବଡ଼ ଦୁଷ୍ଟ । ଇତି ।

ମାୟା

ତଳେ ଠିକଣା ଲେଖାଥିଲା ।

କେଡ଼େ ସୁନ୍ଦର ହସ୍ତାକ୍ଷର ! ସରଳ ନିର୍ବୋଧ ଝିଅଟି । ଡରି ଡରି ଲେଖିଛି । ଭଲ ନାଆଁଟିଏ ତ, ମାୟା ! ଛାୟା ହେବ ସାନ ଭଉଣୀ ପରା !

ଚିଠିଖଣ୍ଡି ପକେଟରେ ରଖି ତରତର ହୋଇ ସେ ଘରୁ ବାହାରି ଆସିଲେ । ମନକୁମନ ହସି ନିଜ ଶୋଇଲା ଘର ଭିତରେ ପଶିଲେ ।

ପଚାରିଲେ, କଣ ଖୋଜୁଛ ବିଧୁ ?

ବିଧୁଭୂଷଣ ଅପ୍ରସ୍ତୁତ ହୋଇ ଥରିଲା ସ୍ୱରରେ କହିଲେ, ଅମୃତମଞ୍ଜନ !

ଗମ୍ଭୀରହୋଇ ପ୍ରୀତି କହିଲେ–ଓ, ମୁଣ୍ଡବଥା, କେବଠୁଁ ? ଉହୁଁ, କେତେବେଳୁ ? ଏଇତ ଅମୃତମଞ୍ଜନ ଡବା ଡ୍ରେସିଂ ଟେବୁଲ ଉପରେ । ଦିଶୁନାହିଁ ?

ପାଇଲି ।

ବେଶ୍ କଲ, ଆସ ମୁଁ ତମ ମୁଣ୍ଡରେ ଘଷିଦେବି ।

ବିଧୁଭୂଷଣଙ୍କର ଅନ୍ୟ ଗତି ନ ଥିଲା ।

ନିଜ ଫଟୋ ପାଖରେ ମାୟାର ଫଟୋ ଟାଙ୍ଗିଦେଲେ । ନିଜ ହାତରେ ଗୋଲ ଗୋଲ ଅକ୍ଷରରେ ଫଟୋ ତଳେ ଲେଖିଲେ–ମାୟା ଦେବୀ ।

ଚନ୍ଦ୍ରଭୂଷଣ ଦେଖିଲେ । ପଚାରିଲେ, କିଏ ?

ଚିହ୍ନି ନାହିଁ ? ମୋର ସାନ ଭଉଣୀ ।

ଦେଖି ନାହିଁ ତ ?

ଦେଖିବ, ରହ ।

ବିଧୁଭୂଷଣ ଦେଖିଲେ । ଆଶ୍ଚର୍ଯ୍ୟ କଥା, ନୂଆଉ ଜାଣିଲେ କିପରି ତାର ନାଆଁ ! ଯେଉଁଦିନ ଚିଠି ପାଇଲେ ସେଇ ରାତିରେ ଉତ୍ତର ଲେଖି ଦେଇଥିଲେ–

ମାୟା ଦେବି,

ଭୁଲରେ ତମର ଛବିଟି ମୋ ଜିନିଷପତ୍ର ସଙ୍ଗେ ମିଶି ଚାଲି ଆସିଥିଲା । ହୁଏତ ଛାୟା ମୋର ବିଛଣା ତଳେ ଗୁଞ୍ଜି ଦେଇଥିଲା । ପରେ ଦେଖିଲି । ଛବିଟି ହଜିଛି । ଖୋଜୁଛି ମିଳିଲେ ପଠାଇ ଦେବି । ନୋହିଲେ କଟକରେ ତମ ଭାଇଙ୍କୁ ଦେଇଦେବି। ସତେ, ଛାୟା ବଡ଼ ଦୁଷ୍ଟ । ମୋ ଫଟୋଟା ବୋଧହୁଏ ସେଇ କେଉଁଠି ହଜେଇ ଦେଇଛି । ଇତି ।

ବିଧୁଭୂଷଣ

ତା ପରେ ମାୟାର ଚିଠି ଖଣ୍ଡି ସେ ଚିରି ପକାଇଥିଲେ । ପରଦିନ ବୁଢ଼ାରଜା ପାହାଡ଼ ଆଡ଼େ ବୁଲି ଗଲାବେଳେ ବାଟରେ ଟିକି ଟିକି କାଗଜଗୁଡ଼ା ପକାଇ ଦେଇଥିଲେ ।

ନୂଆଉ ତାର ନାମ କେମିତି ଜାଣିଲେ ?

ପଚାରିବାକୁ ସାହସ ହେଲା ନାହିଁ ।

•••

 

ପାଞ୍ଚ

 

ବିଧୁ ଚିଠି ଖୋଲି ପଢ଼ିଲେ,–

ବିଧୁ ବାବୁ,

କାହାର ଫଟୋ ଆପଣ ପଠାଇଛନ୍ତି ? ବଦଳ ଦେଲେ କି ? ମୋ ଫଟୋ ଯଦି ହଜିଗଲା ତ ଗଲା । ମୁଁ ତ ଆପଣଙ୍କୁ ବଦଳ ମାଗି ନ ଥିଲି ? ଧାରୁଆ ହୋଇ ରହିବେ ନାହିଁ ? ମୋତେ ତେବେ ଧାରୁଆ କଲେ କାହିଁକି ? ଯାହାଙ୍କର ଫଟୋ ଆପଣ ବଦଳ ଦେଇଛନ୍ତି, ତାଙ୍କର କେଉଁ ଗୁଣକୁ ମୁଁ ସରି ? ସେ କଣ ମଣିଷ ? ଭଲ କଲେ । ଫୁଲ ଚନ୍ଦନ ଦେଇ ପୂଜା କରିବାର ପଦାର୍ଥ ସେ, ପୂଜା କରୁଛି । ଫେରାଇ ଦେବି ନାହିଁ । କ୍ଷମା କରିବେ । ପ୍ରଣାମ ନେବେ ଓ ଯାହାଙ୍କର ଫଟୋ ପଠାଇଛନ୍ତି, ତାଙ୍କୁ ପ୍ରଣାମ ଦେବେ ।

ହଁ, ଛାୟା କହୁଛି, ଏ ଆପଣଙ୍କର ଚିଠି ନୁହେଁ । କୁଆଡ଼େ ହସ୍ତାକ୍ଷର ଅଲଗା । ଆପଣଙ୍କର ଆଉ ଚିଠି ଚିରି ପକାଇଛି । ଭାଇ କଟକ ଗଲେଣି । ନୋହିଲେ ତାଙ୍କୁ ଦେଖାଇଥାନ୍ତି । ଇତି ।

ମାୟା

ବିଧୁଭୂଷଣ ବାରମ୍ବାର ଚିଠି ଖଣ୍ଡି ପଢ଼ିଲେ । ଆଲୁଅ ତେଜିଲେ । ଭାବିଲେ, ପୁଣି ଥରେ ଭଲକରି ପଢ଼ିଲେ । ଯାହାଙ୍କ ଉପରେ ସନ୍ଦେହ ହେଉଥିଲା, ସେଇ ପଛରୁ ଆସି ହଲାଇଦେଇ କହିଲେ, ଖାଇବ ନାହିଁକି ? ପୂଝାରୀ କେତେ ଥର ଡାକି ଗଲାଣି ତମ ଭାଇ ଚାହିଁ ବସିଛନ୍ତି ।

ବିଧୁ ଅପ୍ରସ୍ତୁତ ହୋଇ ଉଠିଲେ ।

ପ୍ରୀତି କଣେଇଁ କରି ଚିଠି ଖଣ୍ଡି ଉପରେ ଆଖି ପକାଇ ଆଗ ଘରୁ ବାହାରି ଗଲେ ।

 

ବିଧୁଭୂଷଣଙ୍କର ଧୈର୍ଯ୍ୟ ଭାଙ୍ଗିଲା । ପରଦିନ ଦୁଇ ପହରେ କେଡ଼େ ସାହସରେ ପ୍ରୀତିଙ୍କୁ ପଚାରିଲେ, ତମେ କେମିତି ତାଙ୍କର ନାଁ ଜାଣିଲ ।

 

ପ୍ରୀତି ହସିଲେ । ସବୁ କଥା ଖୋଲି କହିଲେ ।

ବିଧୁଭୂଷଣ ଲାଜରା ହେଲେ । କହିଲେ, ତମେ ତିଳକୁ ତାଳ କରୁଛ ।

 

ପ୍ରୀତି କହିଲେ, ଭଲ ହେଲା । ମୁଁ ତାକୁ ହଁ ଚାହେଁ । ମଙ୍ଗିବେ ନାହିଁ ତାଙ୍କ ବାପ ମା ? ମୁଁ ନିଜେ ଯାଇ କଥା ଠିକ୍ କରି ଆସିବି । ମତେ ଆଉ ଏକୁଟଆ ଭଲ ଲାଗୁନାହିଁ ।

 

ତମେ ଭୁଲ ବୁଝିଛ ।

ମୁଁ ଠିକ୍ ବୁଝିଛି । ତମ ମନକୁ ତମେ ଚିହ୍ନିପାରି ନାହିଁ । କହ, ମୋର ଅବାଧ୍ୟ ହେବ ?

କିନ୍ତୁ–

 

ବିଧୁଭୂଷଣ କଣ କହିବାକୁ ବସିଥିଲେ କହିପାରିଲେ ନାହିଁ । ପ୍ରୀତିଙ୍କର ଆଖି ଛଳଛଳ ହୋଇଥିଲା । ତାଙ୍କର ଥରିଲା ଓଠରୁ ଖସି ପଡ଼ିଥିଲା ଗୋଟିଏ ପଦ,–ଏଁ !

 

ନୂଆବୋଉଙ୍କର କୌଣସି କଥାକୁ କେବେ ସେ ତଳେ ପକାଇ ନାହାନ୍ତି । ତାଙ୍କର ସ୍ନେହର ପାରାବାରରେ ସେ କିନ୍ତୁର ସ୍ୱରୂପ ଦେଖି ନାହାନ୍ତି । ସେ ଅନୁଭବ କରିଛନ୍ତି, ଛାତି ତଳର ଛପିଲା କଥା ନୂଆବୋଉଙ୍କ ଆଖି ଆଗରେ ଉଭା ହୁଏ । ତୁଣ୍ଡ ନ ଫିଟୁଣୁ ସେ ମନକଥା ପୂରଣ କରନ୍ତି ।

 

ତମ ଫାଉଣ୍ଟେନ୍ କଲମଟା ହଜିଗଲା ପରା ! ଦେଖିଲ ବିଧୁ, ଏଇଟା ଭଲ କଲମ ନହେଁ ? କୋଉଁଠୁ ଆଣିଲି କହିଲ ?

 

କୋଣାର୍କ ଯିବ ପରା ବିଧୁ, ମତେ ନେବ ନାହିଁ ସାଥିରେ ? ଆଚ୍ଛା, ତମେ ଥରେ ଦେଖି ଆସ ଯା । ଏତିକି ଟଙ୍କା ହବ ନା ?

 

ଛି, କେଡ଼େ ମଇଳା କାମିଜ ! ଦେଖିଲ, ଏ ବରଗଡ଼ର ସିଲ୍‌କ । ଭଲ ପଞ୍ଜାବୀ ହେବ ନା ?

 

ମୁହଁ କାହିଁକି ଶୁଖିଛି ବିଧୁ, ଭୋକ କଲାଣି ? ଆସ ଖାଇବ । ଚାଖିଲ, ସନ୍ଦେଶ ଭଲ ହୋଇଛି ? ମ, ଆଉ ଦିଟା ଖାଇ ପାରୁନା ?

 

ଦେହ କାହିଁକି ତାତିଛି ? ଓଃ, ଜର । ମନା ନ ମାନି ନଈରେ ବୁଡ଼ୁଛ । ଶୋଈପଡ଼ । ମୁଁ ପାଖରେ ବସିଛି । ଆଜି ଖାଇବାକୁ ଦେବି ନାହିଁ ।

 

ସେ ବି ରହନ୍ତି ଉପାସ ।

 

ସ୍ନେହମୟୀ ନୂଆବୋଉ ସେ, ତାଙ୍କର ଆଖିରେ ଛଳ ଛଳ ଲୁହ ! ବିଧୁଭୂଷଣଙ୍କ ଛାତି ଥରି ଉଠିଲା । କି ଦାରୁଣ ଆଘାତ ଦେଇଛନ୍ତି ତାଙ୍କ ମନରେ ।

 

ପ୍ରୀତିଙ୍କର ଗୋଡ଼ରେ ହାତ ଦେଇ କରୁଣ ସ୍ୱରରେ କହିଲେ, କ୍ଷମାକର ନୂଆଉ !

 

ଝଟକି ଉଠିଲା ଓଠରେ ହସ । ଝଲସି ଉଠିଲା ଆଖିରେ ଆଗ୍ରହ । ମୁଣ୍ଡରେ ହାତ ବୁଲାଇ ପ୍ରୀତି କହିଲେ, ଦୋଷ ତ ମୋର ବିଧୁ, ତମ ମନକଥା ଜାଣିପାରିଲି ନାହିଁ । ମୁଁ ଭୁଲ ବୁଝିଥିଲି । କିନ୍ତୁ ସେ ଯେ ତମକୁ ଭଲପାଏ ବିଧୁ, ସେଇଥିପାଇଁ, ମୁଁ ବି ତାକୁ ଭଲ ପାଇଲି ।

 

ବିଧୁଭୂଷର ମୌନ ରହିଲେ

 

ସୁନା କଣ୍ଢେଇ ମାୟା ଆସିଲା ଘରକୁ, ସେଇ ବର୍ଷ । ପନ୍ଦର ବର୍ଷର ଝିଅ । ବୋହୂ, ଦେଖି ପଡ଼ାର ମାଇପେ ଧନ୍ୟ ଧନ୍ୟ କହିଲେ । ବିଭୂତି ପୂଝାରୀଙ୍କ ସ୍ତ୍ରୀ ସୌଦାମିନୀ, ରୂପର ଗର୍ବ ଥିଲା ଯାହାଙ୍କର, ସେ ବି ଦେଖି ମନମାରି ରହିଲେ । ସତେ ତ, ଲକ୍ଷ୍ମୀପ୍ରତିମା ଝିଅଟି ମାୟା ।

 

ପ୍ରୀତିଙ୍କର ଗୋଡ଼ ତଳେ ଲାଗେ ନାହିଁ । କେତେ ଦିନର ଆଶା, କେତେ ଦିନର ଅଭାବ ପୂରଣ ହୋଇଛି । ଏଇ ତାଙ୍କ ସାନ ଭଉଣୀ । ଏକା ଘରେ ଗୋଟିଏ ସଂସାରରେ ସାରା ଜୀବନ କଟାଇବେ ।

 

ବାହାଘରର କେତେ ଦିନ ପରେ, ମାୟାର ବଡ଼ ଭାଇ ରାଜୀବଲୋଚନ ଓ ତାଙ୍କର ସହପାଠୀ ଗଗନବିହାରୀ ସମ୍ବଲପୁର ଆସିଥିଲେ । ଦୁଇ ତିନିଦିନ ରହିଥିଲେ । ବିଧୁ ଅଳି କଲେ ନୂଆବୋଉଙ୍କ ପାଖରେ, ଗଗନ ମୋର ବନ୍ଧୁ, ମାୟା ତାଙ୍କୁ କଥା କହିଲେ ଭଲ ହୁଅନ୍ତା ନାହିଁ ?

 

ଦିଅରର ଅନୁରୋଧ ପ୍ରୀତି ଭାଙ୍ଗି ପାରିଲେ ନାହିଁ । ମାୟାକୁ ପାଖରେ ବସାଇ ସେ ନିଜେ କଥା କହିଥିଲେ । ମାୟା ଲାଜରେ ସଢ଼ି ଯାଉଥାଏ । ଗଗନବିହାରୀ, ବିଧୁର ସାଙ୍ଗ, ମୁହଁ ଟେକି ଚାହିଁ ନ ଥିଲେ । ବିଧୁର ସାଙ୍ଗ ! ବିଧୁ ଯିଏ, ସେ ବି ସିଏ । ସେତିକି ସ୍ନେହ ଆଦରର ପାତ୍ର ସେ । ପ୍ରୀତି ଲାଜ କରନ୍ତେ କାହିଁକି ?

 

ବୋହୂ ଦେଖିଲ ଗଗନ, ମନକୁ ଆସିଲା ?

 

ଗଗନବିହାରୀ ଅଳପ ହସଲେ । ତଳକୁ ଅନାଇଁ କହିଲେ, ଆପଣ ବାଛି ବାଛି ଲକ୍ଷ୍ମୀପ୍ରତିମା ଆଣିଛନ୍ତି ।

 

ପ୍ରୀତି ଦେବୀଙ୍କର ପିଠି ପଛରେ ମାୟା ମୁହଁ ଲୁଚାଇଲା ।

ପ୍ରୀତି କହିଲେ, ମୋର ଏଇ ଲକ୍ଷ୍ମୀଟିର ସାନ ଭଉଣୀଟିଏ ଅଛି, ସରସ୍ୱତୀ ପରି ।

ଗଗନବାବୁ ତୁନି ରହିଲେ ।

ରାଜୀବାବୁ ଆସିଲେ । କହିଲେ, ହୁମା ଯିବ ପରା ଗଗନ ? ବିଧୁ ଅପେକ୍ଷା କରି ବସିଛି-

ପ୍ରୀତି ଓଢ଼ଣା ଟାଣିଲେ । କହିଲେ, ଖାଇସାରି ଯିବ । ସେଠି କିଛି ମିଳେ ନାହିଁ ।

 

ରାଜୀବ କହିଲେ, ବିଧୁ କହୁଛି, ମହାନଦୀ କୂଳରେ ବଙ୍କା ଶିବମନ୍ଦିର, ପୁଣି ମନ୍ଦିର ତଳ ମହାନଦୀ ଗଣ୍ଡରେ ବଡ଼ ବଡ଼ କୁଡ଼ୁ ମାଛ, ନଈ ଆଉ ନଈ ମଝିରେ ପଥର ପାହାଡ଼ ଦେଖିଲେ କୁଆଡ଼େ ପେଟ ପୂରିଯିବ ।

 

ପ୍ରୀତି ଉତ୍ତର ଦେଲେ, ତାଙ୍କର ପେଟ ପୂରୁ । ତମେ ଆଉ ଗଗନ ଖାଇସାରି ଯିବ । ରୋଷେଇ ସରିବଣି । ଭାଇ ତରତର ହେଲେଣି ।

 

ମାୟାର ହାତ ଧରି ପ୍ରୀତି ଉଠିଲେ ।

ଦୁଇ ତିନି ଦିନ ରହି ତିନିବନ୍ଧୁ–ବିଧୁ, ରାଜୀବ ଓ ଗଗନ କଟକ ଫେରିଲେ ।

ମାଇପେ କହିଲେ, ଫୁଲେଇଟା ।

 

ପ୍ରୀତି କାହାରି ସମାଲୋଚନାରେ କାନ ଦିଅନ୍ତି ନାହିଁ । ଜାଆ ନୁହେଁ ତ ସାନ ଭଉଣୀ । ନାଇଁ, ତାଠୁଁ ଅଧିକ । ସାନ ଭଉଣୀ ପାଖରେ ଯାହା ଅଛପା ରହେ, ଜାଆ ତାହା ଖୋଲି ହୋଇଯାଏ । ଭଉଣୀ, ଏକା ପେଟରୁ ଜନମ ସିନା, ଗୋଟିଏ ଶାଳରେ ଗଢ଼ା, ଜାଆ ପରି ଗୋଟିଏ ନାବରେ ବସି ଝଡ଼ତୋଫାନ ସହ ନାହିଁ, ସୁଖଦୁଃଖର ସାଥୀ ହୁଏ ନାହିଁ ।

 

ବିଧୁଭୂଷଣ ପଢ଼ିବାକୁ କଟକ ଚାଲିଗଲେ । ଚନ୍ଦ୍ରଭୂଷଣ ତାଙ୍କରି କୋଠରୀରେ ରହିଲେ-। ପ୍ରୀତି ମାୟାକୁ ପାଖକୁ ନେଲେ । ମାୟାର ଯତ୍ନ ! ସେ ଜନ୍ମକଲା ମାକୁ ଭୁଲି ଯାଇଥିଲା ! ହାତରେ ଖୋଇ ଦିଅନ୍ତି, ଯତ୍ନକରି ମୁଣ୍ଡ ବାନ୍ଧିଦିଅନ୍ତି । ବୋକାଏ ବାଳ । ଆଣ୍ଠୁଯାଏ ଲମ୍ବି ଆସେ । ନଈକୁ ଗଲେ ନିଜ ହାତରେ ମାୟାର ଦେହଜାତ ଘଷିମାଜି ଗୋଧୋଇ ଦିଅନ୍ତି ।

 

ନ ସହିଲା ମାଇପେ କଣ ଚାରିପଦ କହନ୍ତି ନାହିଁ ? ପ୍ରୀତି ହସନ୍ତି, ମାୟକୁ ଆହୁରି ଟାଣିନିଅନ୍ତି । ନିଠେଇ ନିଠେଇ ମୁହଁ ସଫା କରନ୍ତି । କହନ୍ତି, ଦେଖ ଗୋ ପୂର୍ଣ୍ଣମାସୀ, ନାଆଁ ସିନା ପାଇଛ, ମୁହଁ ତ ପାଇ ନାହିଁ ।

 

ପୂର୍ଣ୍ଣମାସୀ ତାଙ୍କର ନଣନ୍ଦ ଲେଖା ହେବେ ।

 

କହିଲେ, ଦିଟା ମୁହଁ ତମର ଯୋଡ଼ିଲ ଦେଖିବା । କେବେ ଦେଖିଛ ? ଦେଖିଲେ, ତା ମୁହଁକୁ ଲୁଚାଇ ଦିଅନ୍ତି ।

ଏଡ଼େ ବଡ଼ କଥା କହ ନା ଗୋ ପୂର୍ଣ୍ଣିମା, ଲୋକେ କହିବେ ସୁନ୍ଦରପଣ ବୁଝିବାକୁ ତମର ଆଖି ନାହିଁ ।

 

ଏଇ ଶାଢ଼ୀ ତତେ ମାନିବ । ଆ, ପିନ୍ଧେଇ ଦିଏ । ପିନ୍ଧେଇ ଦିଅନ୍ତି ମାୟାକୁ ।

 

ଆଇଲୁ, ତୋ ବେକରେ ଏଇ ହାରଟା ନାଇ ଦିଏଁ । ଉହୁ, ଭଲ ଦିଶୁ ନାହିଁ । ଓକିଲ ସିନା ହୋଇଛନ୍ତି, ତୋ ଦେଢ଼ଶୁରଙ୍କର ପସନ୍ଦ ମୋଟେ ନାହିଁ ।

 

ମାୟା କହେ, କେଡ଼େ ସୁନ୍ଦର ହାର ।

ତୋ ମନକୁ ଆସୁଛି ? ହଉ ନାଇ ଥା ।

ଅପା, ମୁଁ ତମ ମୁଣ୍ଡ ବାନ୍ଧିଦେବି ।

ପ୍ରୀତି ବାଧା ଦିଅନ୍ତି ନାହିଁ ।

ତମେ କାଇଁକି ଏ ଶାଢ଼ୀ ପିନ୍ଧିଛ, ଏଇଟା ପିନ୍ଧ ।

 

ପ୍ରୀତି ପିନ୍ଧନ୍ତି । ମାୟା ମୁହଁରେ ବୋକ ଦିଅନ୍ତି । ପିଠି ଆଉଁସନ୍ତି । କହନ୍ତି, ତୁ ମୋର ସାନଭଉଣୀ ମାୟା । ଏ ଘରକୁ ଆସି, କେଡ଼େ ମାୟା ଲଗେଇଦେଲୁ । ନେ, ମୁଁ ଆଉ ପାରିବି ନାହିଁ-। ତୁ ଏ ଚାବି ରଖ, ଘରକରଣା ଶିଖ ।

 

ଅପା– !

 

ଆରେ, କାନ୍ଦୁଛୁ କାହିଁକି ? ପାରିବୁ ନାହିଁ ? ହଉ, ଖେଳିବା ବୟସ ତୋର ଯାଇ ନାହିଁ । ଖେଳ ।

 

ମାୟାକୁ ଗେଲ କରନ୍ତି ।

ରାତିରେ, ଦି ଜାଆଙ୍କର ଗପ ।

 

ଏହି ମହାନଦୀ କୂଳରେ ଆମର ଘର ଲୋ ମାୟା, ସୋନପୁର, ସୁନାରାଇଜ । ରଜା ଯେ ପୁଅ ପରି ପରଜା ପାଳନ୍ତି । ସୁବର୍ଣ୍ଣପୁର ମହାଦେବ ଅଛନ୍ତି । ଯେଉଁଠି ରାତି ଅଧରେ ଦେବଦେବୀ ଆତଯାତ ହୁଅନ୍ତି । ତେଲନଦୀ କୂଳରେ। ନଈସେପାରି ବଉଦ ରାଇଜ । ଆମ ରାଇଜର ଜମିରେ କୁଆଡ଼େ ସୁନାପରି ଫସଲ ଫଳେ । କେବ କାଳର କଥା କେଜାଣି, ସୁବର୍ଣ୍ଣମେରୁ ଆବିର୍ଭାବ ହେଲାବେଳେ ସୁନା ବୃଷ୍ଟି ହୋଇଥିଲା । ଏବେ ବି ଲୋକେ ପାଆନ୍ତି ।

 

ତୋ ଦେଢ଼ଶୁର କ’ଣ କହନ୍ତି ଜାଣୁ ମାୟା ?

ମାୟା ଆଗ୍ରହରେ ଚାହେଁ ।

 

ସେ କହନ୍ତି, ଆମ ରାଇଜ ସୁନା ହେଲେ ତାଙ୍କ ରାଇଜ, ଏଇ ସମ୍ୱଲପୁର, କୁଆଡ଼େ ହୀରା ରାଇଜ ! ସତେ ଲୋ, ବାଟ ଚାରିକୋଶ ହେବ ନାହିଁ ଏଠିକି, ଏଇ ମହାଦନୀ ମଝିରେ, ହୀରାକୁଦ ଦ୍ୱୀପ ଅଛି । ସେଠୁ ଅନେକ ଲୋକ ହୀରା ପାଇଛନ୍ତି । ଦୁନିଆଁ ର ସବୁଠୁ ବଡ଼ ହୀରାଖଣ୍ଡ କୁଆଡ଼େ ଏଇ ହୀରାକୁଦରୁ ମିଳିଥିଲା । ହୋଇଥିବ । ଦିନେ ହୀରାକୁଦ ବୁଲିଯିବା ।

 

ଯିବା ଅପା,ଭାଇଙ୍କି କହ ।

ତୋ ନାଆଁରେ ଖବର ପଠେଇବି । ତମ ଗାଆଁ କଥା କହିଲୁ ନାହିଁ ମାୟା ?

 

ଖରସୁଆଁ ନଈକୁଳରୁ ଦି କୋଶ ବାଟ ହେବ ଆମ ଗାଁ, ସୁନ୍ଦରପୁର । ଚାରିଆଡ଼େ ଗହୀର । ମଝିରେ ଆମର ବଡ଼ ଗାଁ । ଧୋଇ ମରୁଡ଼ି ଦେଶ-ଯାଜପୁର । ହଇଜା, ବସନ୍ତ, ଜର । ଲୋକେ ଘର ଛାଡ଼ି କଲିକତା ପଳାନ୍ତି, ପେଟ ବିକଳରେ । ଅପା ଲୋ, ଶୁଣିବୁ ବର୍ଷକର କଥା ? କାଲି ପରି ଲାଗୁଛି । ପିଲାଟିଏ ହୋଇଥାଏଁ । ରାତି ଅଧରେ ସୁ ସୁ ଶୁଭିଲା । କୁମାର ପୂନେଇଁ ପାଖ । ଗାଁ ଲୋକଙ୍କର ପାଟି । ଘରେ ପୁଣି ବାପା ନ ଥାନ୍ତି ।

 

ବୋଉ ଆମ ଭାଇଭଉଣୀ ତିହ୍ନିଙ୍କି କୋଳରେ ପୂରେଇ ରାତିଯାକ ବସିଲା । ସକାଳକୁ,-ଯୁଆଡ଼େ ଚାହିଁଲେ ପାଣି। ଗହୀର ବିଲରେ ନାଆ ଚାଲିଥାଏ । ଆମ ଦାଣ୍ଡରେ ସୁଅ ପଡ଼ିଥାଏ ଯେ ନାଗମୁଣ୍ଡ ଦି ଖଣ୍ଡ ହେବ । ଅପା ଲୋ, କ’ଣ କହିବି ସେ କଥା । ସୁନ୍ଦରପୁର, କେଡ଼େ ବଡ଼ ଗାଁ, ପାଆଁଶ ଘର ବସ୍ତି । ଅଧେ ଘର ଭାଙ୍ଗି ଗଲା । ଲୋକ ବେଶି ମରି ନାହାନ୍ତି । ଗାଈଗୋରୁ ଜୀବଜନ୍ତୁ ଉବୁଟୁବୁ ହୋଇ ମଲେ । ଜମିରେ ବାଲି ଚଢ଼ିଲା । ଖରସୁଆଁ ନଈ ବନ୍ଧ ଭାଙ୍ଗିଲେ ଏମିତି ହୁଏ ।

 

ସତେ ଲୋ ମାୟା, ଆହା କେଡ଼େ ଦୁଃଖ ପାଇଥିବେ ଲୋକେ । ଏମିତିକା ରାଇଜରେ କାହିଁକି ଲୋକେ ରହନ୍ତି ?

 

କ’ଣ କରିବେ ? ଲୋକେ ଛିନଛତର ହେଲେ । ଦଶ ଖଣ୍ଡି ଗାଁର ଲୋକ ଘରଦ୍ୱାର ପିଲାକୁଟୁମ୍ବ ଛାଡ଼ି ବିଦେଶ ପଳେଇଲେ । ବାପା ମୋର ପୁଲିସ୍‌ ସବ୍‌-ଇନିସ୍‌ପେକ୍‌ଟର କାମ କରୁଥିଲେ, ନିମାପଡ଼ାରେ । ଆମକୁ ସବୁ ତାଙ୍କ ପାଖକୁ ନେଇଗଲେ । ଖରସୁଆଁ ନଈବନ୍ଧ ପଡ଼ିଲା-। ଦି ତିନି ବର୍ଷ ପରେ, ବାପା ରାଞ୍ଚି ବଦଳି ହେଲାରୁ ଆମୁକୁ ପୁଣି ଘରେ ଛାଡ଼ିଲେ । ହେଲେ, ବର୍ଷାଦିନ ଆସିଲେ ସଦାବେଳେ ଛାତି ଦୁଡ଼ୁଗୁଡ଼ୁ । ନଈରେ ପାଣି ପିଇଲା, ବନ୍ଧ ଯଦି ଭାଙ୍ଗେ ?

 

ପ୍ରୀତି ଦୀର୍ଘଶ୍ୱାସ ଛାଡ଼ିଲେ । କହିଲେ, ମଣିଷର ଦୁଃଖର କଳନା ନାହିଁ ଲୋ ଭଉଣୀ । ରାତି କେତେ ହେଲାଣି ଦେଖିଲୁ । ଶୋଇପଡ଼ ।

 

କାନ୍ଥ ଘଣ୍ଟା ବାଜେ–ଟଂ ଟଂ । ଦିଟା । ପ୍ରୀତି ନଲଟଣ ଲିଭାନ୍ତି ।

ଜାଆ ଦିଓଟି ଗୋଟିଏ ଖଟରେ ଶୋଇ ପଡ଼ନ୍ତି ।

 

ରାତି ପାଉଣୁ ପ୍ରୀତିଙ୍କର ନିଦ ଭାଙ୍ଗେ । ମାୟା କଡ଼େଇ ଶୋଇଛି । ମୁହଁଟି ସତେ କି ସଜଫୁଟା ମଲ୍ଲୀ ଫୁଲ । କି ସୁନ୍ଦର ଚିତ୍ର କଲାପରି ଭ୍ରୂଲତା ଆଉ ପୂରିଲା ପୂରିଲା ମୁଦିଲା ଆଖି । ସରୁ ସରୁ ରଙ୍ଗିଲା ଓଠ ଦି ଫାଳି । ପୂରିଲା ଗାଲ । ହସିଲା ବେଳେ ମଝିରୁ ଟିକିଏ ଦବିଯାଏ । ଚିକ୍‌କଣ ଧାର ନାକ । ଚିବୁକ ଉପରେ ଖସା ଚିହ୍ନ । ସତେ କି ଧୋବ ଫରଫର ପଲଙ୍କ ଉପରେ, ଆହୁରି ଧୋବଲା ମଲ୍ଲୀଫୁଲ ମାଳ ।

 

ପ୍ରୀତିଙ୍କର ପେଟ ପୂରି ଉଠେ । ଏଇ ତାଙ୍କର ଜାଆ ପୁଣି, ଭଉଣୀ । କେଡ଼େ ସୁନ୍ଦର, ପୁଣି କେଡ଼େ ନିରୀହ ସରଳ । ଲବଣୀ ପିତୁଳା । ଖାଇ ଜାଣେ ନାହିଁ । ଲୁଗା ପିନ୍ଧି ଶିଖି ନାହିଁ । ମନକୁ ମନ ପ୍ରୀତି କହନ୍ତି, ତାର ପିଲା ମନ, ପିଲା ବୁଦ୍ଧି । ସବୁ ଶିଖିବ । ସବୁ ଶିଖେଇବି ।

 

ଲୁଗାପଟା ସଜାଡ଼ି ଦିଅନ୍ତି । ପିଠି ଆଉଁସନ୍ତି । ବାଆଁ କାନ୍ଧ ତଳେ ପିଠି ଉପରେ କଳାଜାଇମନ୍ଦା ।

 

ଧୀରେ ଧୀରେ ପଦାକୁ ଉଠିଯାଆନ୍ତି ।

 

ମାୟାର ନିଦ ଭାଙ୍ଗେ । ବଲ ବଲ କରି ଚାରିଆଡ଼କୁ ଚାହେ । ଲାଜରା ହୁଏ । ଅପା କେତେବେଳଠୁ ଉଠିଗଲେଣି । ମାୟା ଉଠେ । ଚୋର ପରି ଏଣିକି ତେଣିକି ଚାହିଁ, ତଳକୁ ଓହ୍ଲାଏ । ମନକୁ ମନ କହେ, ରହ, କାଲି ଦେଖିବି ।

 

ପରଦିନ, ରାତି ନ ପାଉଣୁ ପ୍ରୀତିଙ୍କର ନିଦ ଭାଙ୍ଗେ ।

ମାୟା ଗୋଡ଼ ଆଉଁସୁଛି ।

ଛି, ମାୟା !

କାହିଁକି ? ତମ ପାଦରେ ହାତ ଦେବାକୁ କ’ଣ ମୋର ଅଧିକାର ନାହିଁ ? ତମେ ଶୁଅ ଅପା ।

ପ୍ରୀତି ଉଠନ୍ତି । ମାୟାକୁ ଘୋସାରି ନିଅନ୍ତି କୋଳକୁ ।

 

କହନ୍ତି, ତୋ ଥାନ ଏଇଠି, ମୋ କୋଳରେ । ସେଠି ନୁହଁ । ଶୁଅ । କେତେ ରାତି ଅଛି ଦେଖିଲୁ ।

•••

 

ଛଅ

 

ପ୍ରୀତିଙ୍କର ଦେହ ଦିନୁ ଦିନ ବଳାଇଲାଣି । ଆତଯାତ ହେବାକୁ କଷ୍ଟ ଲାଗୁଛି । ମାଟି ମାଟି ଲାଗୁଛି । ଦିନରାତି ମାୟା ତାଙ୍କର ସେବା କରୁଛି । ଅଳସ ନାହିଁ । ବିଜୁଳିଲତା । ସଦାବେଳେ ହସ ହସ ।

 

ପୁନେଇଁ ପାଖ । ସଞ୍ଜ ଗଡ଼ିଗଲାଣି । ବାରଣ୍ଡାରେ ଦିଓଟି ଚଉକି ପାଖାପାଖି ପକାଇ ବସିଛନ୍ତି ପ୍ରୀତି ଓ ମାୟା । ଜହ୍ନିଫୁଲିଆ ଜୋତ୍ସ୍ନା କ୍ରୀଡ଼ା ଲଗାଇଛି ମହାନଦୀର ଚଳନ୍ତି କୁଳୁକୁଳୁ ପାଣି ଉପରେ । ଧୀରେ ଧୀରେ ପବନ ବହୁଛି ।

 

ମାୟାର ଶୀତୁଳିଆ ହାତପାପୁଲି ମୁଠାଇ ଧରି କ୍ଲାନ୍ତ ସ୍ୱରରେ ପ୍ରୀତି କହିଲେ, ବଞ୍ଚିବି ନାଇଁ ଲୋ ମାୟା, ମତେ କେମିତି ତିନିପୁର ଅନ୍ଧାର ଦିଶୁଛି । ଦେଖୁନୁ ପୂର୍ଣ୍ଣମାସୀଙ୍କର ଅବସ୍ଥା । ଆହା, ଦିନ ଦିଓଟି କଷ୍ଟ ପାଇ ଶେଷକୁ ସେ ମଲେ ସିନା । ପାଞ୍ଚଟି ପିଲାର ମାଆ ସେ ପୂର୍ଣ୍ଣମାସୀ, ହର ପୂଝାରୀଙ୍କ ସ୍ତ୍ରୀ । କେଉଁ ଏବେ ଧନସମ୍ପତ୍ତି ଊଣା । ସମ୍ବଲପୁରର ସବୁ ଡାକ୍ତର ଆସିଥିଲେ ତ । କିଏ ରଖି ପାରିଲା ? ଇଃ, କି କଲବଲ ମରଣ । ଯମଘରୁ ବାହୁଡ଼ି ଆସିବା କ’ଣ ସହଜ କଥା ?

 

ମାୟାର ଛାତି ଭିତର ଥରି ଉଠିଲା । ଆଖିରୁ ଲୁହ ଝରିଲା । କେତେ ଆଡ଼ର କେତେ କଥା ମନେପଡ଼ିଲା । ପୁଣି, ପୁଲକି ଉଠିଲା ମନ । କହିଲା, ତମେ କାଇଁକି ଡରୁଛ ଅପା, ମୋର ଜେଠା ଝିଅ ଭଉଣୀ ଆଶା ଅପା, ଆମ ଗାଁକୁ ଆସିଥାଏ । ରାତି ଅଧଯାଏ ଆମ ସଙ୍ଗେ ବସି ତାଆସ ଖେଳିଲା । ରଜ । ଆମେ ଶୋଇଲୁ । ସେ ଗଲା ତାଙ୍କ ଘରକୁ । ଆର ଖଞ୍ଜା । ସକାଳୁ ଛାୟା ମତେ ହଲେଇ ଉଠେଇଲା । ଭାରି ଚିଡ଼ି ମାଡ଼ୁ ଥାଏ । ଛାୟା ଯେ ଭାରି ନବଜିଆ । ମୋ ଆଗରେ ଅବଲୟ କରି କହିଲା, ଅପା, କୁଆଁ କୁଆଁ ।

 

ପଚାରିଲି, କିଲୋ କଅଣ ?

କହିଲା, କୁଆଁ କୁଆଁ, ଆଶା ଅପା ମଁ ।

 

ଛାୟା ପଳେଇଲା । ମୁଁ ଧଡ଼ପଡ଼ ଉଠି ଆଖି ମଳି ମଳି ଧାଇଁଲି । ଆଶା ଅପାର ପୁଅ ହୋଇଛି, ଚିନା କଣ୍ଢେଇ ପରି, କଇଁଫୁଲ ପରି । ଏଡ଼େ ଟିକେ ମୁଣ୍ଡ । କଳା ମିଚି ମିଚି ବାଳ । ଜୁଳୁ ଜୁଳୁ ଚାହିଁଛି ।

 

ପଚାରିଲି, କେଉଁଠୁ ଆଇଁଲୁ ?

 

ଆଶା ଅପା ହସିଲା । କହିଲା, କେଜାଣି, ପାହାନ୍ତା ପହରକୁ କିଏ ଆଣି ମୋ କୋଳରେ ଥୋଇଦେଇ ଗଲା ।

 

ଛାୟା କହିଲା, କିଲୋ, ଆଜି ପରା ରଜ ।

 

ଜିଭ କାମୁଡ଼ି ପକେଇଲି । ମୋର ମନେ ନ ଥିଲା । ଗୁଆଖୋଳପା ଜୋତା ଛାଡ଼ି ତଳେ ଚାଲିଆସିଛି । କିଏ କାଳେ ଦେଖିବ ବୋଲି ପଳେଇ ଆସିଲି ।

 

ପ୍ରୀତି ଖର ନିଶ୍ୱାସ ଛାଡ଼ିଲେ ।

 

ମାୟା କହିଲା, ସେମିତି ହେବ । ଅପା ମ, ପୁଅ ନାମ ମୁଁ କେବେଠୁଁ ବାଛିଚି । ତା ନାମ ଦେବା ରମାକାନ୍ତ ।

 

ପ୍ରୀତି କଥା ବୁଲାଇ କହିଲେ, ଛାୟା ଚିଠି ଲେଖିଥିଲା ପନ୍ଦର ଦିନ ହେବ, ତାକୁ ମୁଁ ଉତ୍ତର ଦେଇନାହିଁ । କାଲି ଲେଖିବି । ବିଧୁ ଲେଖିଛନ୍ତି, ଛାୟାର ବାହାଘର ପ୍ରସ୍ତାବ ଗଗନବାବୁଙ୍କ ସଙ୍ଗେ ପଡ଼ିଛି । ଭାରି ଭଲ ହେବ । ଗଗନଟି କେଡ଼େ ଭଲ ପିଲା । ଯେମିତି ଭଦ, ସେମିତି ସ୍ନେହୀ-। ରୂପଟି ବି ସୁନ୍ଦର । ଧୀର କଥା ।

 

ମାୟା କହିଲା, ସତେ ? ବାପା କହୁଛନ୍ତି, ଯାଉ ଆଉ ଦି ତିନି ବର୍ଷ । ଛାୟା ତ ପିଲା, ଗଗନବାବୁ ପାଟନାରୁ ଭାଇଙ୍କ ପାଖକୁ ଲେଖିଛନ୍ତି, ସେ ବିଲାତ ଯିବେ । ସେଠୁ ନ ଫେରିବାଯାଏ ହଁ କି ନାହିଁ କହିବେ ନାହିଁ ।

 

ଛାୟାଟି କେମିତି ଲୋ ? ତୋଓରି ପରି ନା ?

 

ନାଇଁ ମ ଅପା, ସେ ଆଉ ଜାତିକା । ସମସ୍ତେ କହନ୍ତି, ସେ ମୋଠୁଁ କୁଆଡ଼େ ବେଶୀ ସୁନ୍ଦରୀ । ଚମ୍ପାଫୁଲ ପରି ତା ରଙ୍ଗ । ମତେ ଶଙ୍ଖୀ ବିଲେଇ କହି ଚିଡ଼ାଏ । ଭାରି ଦୁଷ୍ଟ । ଫୁଲେଇଟା-। ସଦାବେଳେ ସଜ ହେଉଥାଏ । ପାନ ଖାଏ । ବୋଉ ସିନା ଉପରେ ଚିଡ଼େ, ନୋହିଲେ ତାକୁ ସେ ବେଶି ଭଲପାଏ । ସେ ଯେତେ ଦୋଷ କଲେ ତା ଦୋଷକୁ କ୍ଷମାକରେ । ମାସକୁ ତ ଦି ପୁଞ୍ଜା କାଚ ଗିଲାସ ଭାଙ୍ଗେ ସେ ଅଥରପୀ ।

 

ପ୍ରୀତି ହସିଲେ । କହିଲେ, ସତେ ? ଥରେ ତାକୁ ଦେଖିବାକୁ ମୋ ମନ ହେଉଛି, ଛାତିରେ ଧରି ଗେଲ କରନ୍ତି। ଦେଖନ୍ତି, ମୋ ମନର ମାୟା ବେଶି ସୁନ୍ଦର କି ସେଇ କୁଟୁକୁଟୀ ଛାୟା ବେଶି ସୁନ୍ଦର ।

 

ମାୟା କହିଲା, ମୋର ପ୍ରୀତି ଅପାର ମୁହଁକୁ ଦେଖିଲେ, ଝରସରୀ ଗେଲବସରୀ ଛାୟାର ଫୁଲେଇପଣ ଭାଙ୍ଗି ଯାଆନ୍ତା ଯେ ।

 

ଦୁଇ ଦିନ କଷ୍ଟ ପାଇଲେ ପ୍ରୀତି । ମାୟା ନିଜକୁ ଭୁଲି କାହାରି କୁହା ନ ମାନି ପାଖେ ପାଖେ ଥାଏ । କାନ୍ଦେ । ଠାକୁରଙ୍କୁ ଡାକେ । ମାନସିକ କରେ ।

 

ପ୍ରୀତି ଆକୁଳ ବିକଳ ହୋଇ କହନ୍ତି, ବଞ୍ଚିବି ନାହିଁ ମାୟା, ବିଧୁକୁ ଥରେ ଦେଖିଲି ନାହିଁ । ମନ ହେଉଛି ତାକୁ ଥରେ ଦେଖି ଆଖି ବୁଜନ୍ତି । ତାକୁ ଡକେଇ ପଠା ଲୋ, ଟେଲିଗ୍ରାମ୍‌ କରିବାକୁ କହ ।

 

ଆଖିରୁ ଲୁହ ପୋଛି ମାୟା କହେ, ବ୍ୟସ୍ତ ହୁଅନା ଅପା, ଡାକ୍ତରାଣୀ କହୁଛନ୍ତି କିଛି ଭୟ ନାହିଁ ।

ଡାକ୍ତରାଣୀ ଘରେ ପଶନ୍ତି । ମାୟା ପଦାକୁ ବାହାରିଯାଏ ।

ପୁଅ ହେଲା । କେଡ଼େ ସୁନ୍ଦର ।

ଉଠିଆରି ଗଲା ।

 

ପ୍ରୀତିଙ୍କର ପାଖେ ପାଖେ ମାୟା । ଗୋଡ଼ରେ ହାତରେ ପାଣି ଲଗାଇ ଦିଏ ନାହିଁ । ନିଜ ହାତରେ ପଥି ରାନ୍ଧି ଖୁଆଏ । ପାଣି ହାଣ୍ଡି ପିଲାକୁ କୋଳରେ ପୂରାଏ । ଚାହିଁ ବସିଥାଏ । ନ ଜାଣିଲା ମାଇପେ ପିଲା ଦେଖି ଆସିଲେ, ଆଗ ଭାବନ୍ତି, କିଏ ମା । ପଚାରନ୍ତି । ଆଗ ବଳିପଡ଼ି ପ୍ରୀତି କହନ୍ତି, ଯାହା ପିଲା ତା କୋଳରେ । ମାୟା ପିଲାର ଭ୍ରୂଲତା ଆଉଁସେ । ମୁଡ଼ୁକି ହସେ ।

 

ଏକୋଇଶା ଦି ଦିନ ଥିଲା ବିଧୁଭୂଷଣ କଟକରୁ ଆସିଲେ । ଟିକି ପୁଅକୁ ଦେଖି କେଡ଼େ ଖୁସି ହେଲେ । କେତେ ଧୂମ୍‌ଧାମ୍‌ଲାଗିଲା ଏକୋଇଶାକୁ । ବହିଦାର ଘର, ବଡ଼ ଘର ବଡ଼ କଥା । ଦିଆ ନିଆ । ନିମନ୍ତ୍ରଣ । ଭୋଜି । ନୂଆଘରଣୀ ମାୟା । ଦି ହାତ ଖୋଲା । ଅଘୋରଦୁଆରୀ ସଭିଙ୍କର ଧନ୍ୟ ଧନ୍ୟ ପ୍ରଶଂସା ।

 

ପିଲାଟିର ନାମ ଦିଆଗଲା ରମାକାନ୍ତ ।

•••

 

ସାତ

 

ଯାଉନୁ ମାୟା ସେ ଘରକୁ, କାଲି ଛାଡ଼ି ପହରି ଦିନ ବିଧୁ କଟକ ଚାଲିଯିବେ, ରାତି ଅଧ ହେଲାଣି ଯେ !

 

ମାୟା ଶୁଣିଲା ନାହିଁ ।

ରମୁ ତ ଶୋଇଛି, ଯାଉନୁ, ଫୁଲେଇଟା ।

ଆରେ– !

ଯିବୁ ନାଇଁ ? ତତେ ମୁଁ କଥା କହିବି ନାହିଁ ।

ମୁଁ ଏଇଠି ମୋ ରମୁ ପାଖାରେ ଶୋଇବି ।

ହଉ,ଚାରିପଦ କଥାଭାଷା ହେଇ ଆ ।

କ’ଣ କଥାଭାଷା ହେବି ?

ତୋ ମୁଣ୍ଡ । ଲାଜ ? ଆହା-ହା । ଚାଲ୍‌ ।

 

ପ୍ରୀତି ମାୟାର ହାତଧରି ଟାଣିଲେ । କହିଲେ, ସୁନା ଭଉଣୀଟା, ଆ । ବିଧୁକୁ କଟକ କଥା ପଚାରିବୁ । ରାଜୀବ ଭାଇଙ୍କ ଖବର; ଗଗନର ଛାୟାକୁ ବାହା ହେବା ବିଷୟ ପଚାରି ବୁଝିବୁ । କାଲି ସକାଳେ ସବୁ ମତେ କହିବୁ ।

ହାତ ଟାଣି ଆଣି କହିଲା, ତମେ ପଚାରୁ ନା ।

ରାଗିଯାଇ ପ୍ରୀତି ପଚାରିଲେ, ଯିବୁ ନାହିଁ ?

ନାଁ ।

ଏଡ଼େ ଅବାଧ୍ୟଁ ?

ହେଲେ ହେଲା ପଛେ ।

 

ପ୍ରୀତି ତୁନି ରହିଲେ । ପୁଣି ମାୟାର ହାତଧରି କହିଲେ, ତତେ ମୋ ରାଣ, ଆ । ଚାରିପଦ କଥା ଭାଷା ହେଇ ପଳେଇ ଆସିବୁ ।

 

ବିଭୁଭୂଷଣ ଆଲୁଅ ଜାଳି କଅଣ ପଢୁଛନ୍ତି । ମାୟାକୁ ଦ୍ୱାର ବନ୍ଧ ପାଖରେ ଛାଡ଼ି ପ୍ରୀତି ଫେରି ଆସିଲେ । ନିଜ ଘର ଭିତରୁ କବାଟ କିଳିଲେ ।

 

କିଛିକ୍ଷଣ ପରେ–

 

କବାଟରେ ହାତମାରି ମାୟା ଡାକିଲା, ଅପା, ଅପା ! ପ୍ରୀତି ଗାଲି ପାରିଲେ । ଡାକି ଉଠାଇଲେ ରମୁର ନିଦ ଭାଙ୍ଗିବ । ସେ ରହାଧରି କାନ୍ଦିବ । ନୂଆଉଙ୍କ ନିଦ ଭାଙ୍ଗିଲେ ତାଙ୍କ ଦେହ ବିଗିଡ଼ିବ ।

 

ମୁଁ ଯିବି ନାଇଁ, ତମେ ଭାରି ଚଗଲା ।

ଅପା, ଅପା ।

ଜବାବ ନାହିଁ ।

ଆରେ–

ଆସ, ନୂଆଉ ଶୋଇଲେଣି । ପିଲା ଉଠିବ ।

ହସି ହସି ପ୍ରୀତିଙ୍କର ପେଟ ପରାଶ ହେଲା । କବାଟ ଖୋଲିଲେ ନାହିଁ । ଛଟାଗାଳି ଶୋଇଲେ !

ବଡ଼ି ସକାଳେ–

ଉଠିବୁ ନାହିଁ କି ?

ହାତର ପରଶ ପାଇ ମାୟା ଆଖି ଖୋଲିଲା । ବଲ ବଲ କରି ଚାରିଆଡ଼କୁ ଚାହିଁଲା ।

 

ହସିଲା ମୁହଁରେ ପ୍ରୀତି କହିଲେ, ମୁଁ ମ, ବିଧୁ ନୁହେଁ । ରମୁ ତତେ ଖୋଜୁଛି ଯେ । ଏମିତି ଶୁଅନ୍ତି ନା !

 

ଧଡ଼ପଡ଼ ହୋଇ ମାୟା ଉଠିଲା । ସରମରେ ସଢ଼ିଗଲା । ପ୍ରୀତିକୁ ଚାହିଁପାରିଲା ନାହିଁ । ହସି ଦେଇ ପ୍ରୀତି ଘରୁ ବାହାରି ଆସିଲେ ।

 

ଦିନେ ନୁହେଁ ତ, ରହୁ ରହୁ ବିଧୁଭୂଷଣ ସାତ ଦିନ ରହିଗଲେ । ରମୁର ମାୟା ତାଙ୍କୁ ଅଟକାଇ ରଖିଥିଲା ।

 

ହଁ କହିଁକି ଶୁଖେଇଛୁ ମାୟା ? ଛାଇ ନେଉଟିଲା, ଆ, ତୋ ମୁଣ୍ଡ ବାନ୍ଧିଦେବି ।

 

ଶୁଖିଲା ମୁହଁରେ ହସ ଫୁଟାଇ ମାୟା କହିଲା, କାହିଁ, ନାହିଁ ତ ! ଅପା, ଆଜି ମୁଁ ତମ ମୁଣ୍ଡ ବାନ୍ଧିଦେବି । ଶୈଳ, ପାନିଆଟା ଆଣିଲା ।

 

ଚନ୍ଦ୍ରଭୂଷଣଙ୍କର ଦୁରସମ୍ପର୍କୀୟା ଭଉଣୀ ହେବ ଶୈଳ । ପିଉସୀଙ୍କ ଝିଅ, ଦଶ ବରଷ । ତାଙ୍କ ବାପ ଗାଁରେ ଅଛନ୍ତି । ମା ନାହାନ୍ତି । ଏକୋଇଶା ଆସିଥିଲା, ମାୟା ଅଟକାଇ ରଖିଛି ।

•••

 

ଆଠ

 

ଟେଲିଗ୍ରାମ୍‌ ନୁହେଁ ତ, ବଜ୍ର !

ଚନ୍ଦ୍ରଭୂଷଣଙ୍କ ମୁହଁରୁ ବିଧୁଭୂଷଣଙ୍କର ଜର କଥା ଶୁଣି ପ୍ରୀତି ପଥର ପାଲଟିଗଲେ । ରାଜୀବ ବାବୁ ତାର କରିଛନ୍ତି, ଶୀଘ୍ର ଆସନ୍ତୁ । ରାତି ଆଠଟା ।

ଚନ୍ଦ୍ରଭୂଷଣ କହିଲେ, ଭୟ କରନାହିଁ । ଆମର ସମେଲଶ୍ୱରୀ ଅଛନ୍ତି । ବିଧ ମୋର ଭଲ ହୋଯିବ ।

ପ୍ରୀତି ଡରି ଡରି କହିଲେ, ତମେ କାଲି କଟକ ଯାଅ ।

ସାକାଳ ବସ୍‍ ରେ ଚନ୍ଦ୍ରଭୂଷଣ କଟକ ଚାଲିଗଲେ ।

ଅପା, କଥାଟିଏ ପଚାରିବି ?

ପ୍ରୀତିଙ୍କ ମୁହଁ ଶୁଖିଗଲା । ପଚାରିଲେ, କଅଣ ?

ଏମିତି ତର ତର ହୋଇ ଭାଇ କଟକ ଗଲେ କାହିଁକି ? ଆଗରୁ ତ ଯିବ କଥା ନଥିଲା-

କଅଣ ଜରୁରୀ କାମ ଥିବ । ଓକିଲ ଲୋକ ତ । ହସିବାକୁ ଚେଷ୍ଟା କଲେ । ମଲାଜହ୍ନ ପରି ସରାଗହୀନ ସେ ହସ।

ରମୁକୁ ଶୈଳ ଖେଳାଉଛି, ବେଳ ଦଶଟା ହେଲାଣି । ମାୟା କହିଲା, ଆସ ଖାଇବ ଅପା-

ପ୍ରୀତି ମାୟା ସଙ୍ଗେ ରୋଷଘରକୁ ଗଲେ ।

ମାୟା କିଛି ବୁଝିପାରିଲା ନାଇଁ । ଅପାଙ୍କ ମନରେ ସରାଗ ନାଇଁ କାହିଁକି ? ଦୃଷ୍ଟି ଯେପରି କରୁଣ ହୋଇଛି । କାନ୍ଦ କାନ୍ଦର ଭାବ ଫୁଟିଉଠୁଛି ମୁହଁରେ । ଯୁଆଡ଼କୁ ଚାହିଁଲେ ଚାହିଁଛନ୍ତି-। ଦୁଇ ଥର ପଚାରିଲେ ଜବାବ ମିଳୁ ନାହିଁ । ଅସ୍ଥିର । ରମୁର କଥା ବି ତୁଣ୍ଡରେ ଧରୁ ନାହାନ୍ତି । କଅଣ ହୋଇଛି ? ଭାଇ କାହିଁକି କଟକ ଗଲେ ?

ପ୍ରୀତି କୌଣସି କଥା କେବେ ଲୁଚାଇ ନାହାନ୍ତି । ମନର କଥା ସବୁ ଖୋଲି କହନ୍ତି ମାୟା ଆଗରେ । ଆଜି କାହିଁକି ଲୁଚାଉଛନ୍ତି ?

ମାୟାର ମନ କେଉଁଠି ଲାଗିଲା ନାହିଁ ।

ପ୍ରୀତି ମାୟା ପାଖରୁ କରଛଡ଼ା ଦେଇ ରହୁଥାନ୍ତି । ମିଛ କାମ ବାହାନାରେ ତଳୁ ଉପର, ଉପରୁ ତଳ ଯା ଆସ କରୁଥାନ୍ତି । ,ଥିରେ ସେଥିରେ ହାତ ମାରି କଅଣ ଯେପରି ଖୋଜିବାର ଛଳନା କରୁଥାନ୍ତି । ସଜାଡ଼ି ରଖୁଥାନ୍ତି । ମାୟା ସୁବ ଲକ୍ଷ୍ୟ କରେ । ଭରସି କରି ପଚାରିପାରେନାହିଁ-

 

ଦୁଇ ପହରେ–ମାୟା ମନର କୋହ ଆଉ ସହି ପାରିଲା ନାହିଁ । ପ୍ରୀତି ପୁଣି ଲୁଗାପଟା ସଜାଇ ରଖିବାକୁ ଏଣେ ତେଣେ ହାତ ମାରୁଥାନ୍ତି । ମାୟା ତାଙ୍କର ହାତ ଧରିଲା । ଡରି ଡରି ପଚାରିଲା, କଅଣ ହୋଇଛି ମତେ କହ ଅପା !

 

ପ୍ରୀତି କହିଲେ, କାହାର ? ଏଁ କିଛି ନାହିଁ ତ !

ମାୟାର ଆଖିରେ ଛଳ ଛଳ ଲୁହ ।

 

ଅପା ତମର ଗୋଡ଼ ଧରୁଛି, କହ, ମତେ କିଛି ଲୁଚାଅ ନାହିଁ । ଆଜି କାହିଁକି ମୋ ଡାହାଣ ଆଖିପତା ଡେଉଁଛି। ଛାତି ଥରୁଛି ।

 

ମାୟା ଗୋଡ଼ ଧରିବାକୁ ନଇଁପଡ଼ିଲା । ଲୁହ ଢଳ ଢଳ ଆଖିରେ ପ୍ରୀତି ତାକୁ ଛାତିକୁ ଆଉଜାଇଲେ । କହିଲେ, ତୁ କାହିଁକି ବ୍ୟସ୍ତ ହେଉଛୁ ? ସାମାନ୍ୟ ଟିକିଏ ଜର ହେଇଛି ତ, ଆଉ କଅଣ ?

 

ମାୟାକୁ ଟାଣି ନେଇ ପାଖରେ ବସାଇଲେ, ପଲଙ୍କ ଉପରେ । ପାଖରେ ଥିଲେ, ଆଖିରେ ଦେଖିଲେ, ହାତରେ ସେବା କଲେ, ଯେତେ ବଡ଼ ରୋଗ ବଇରାଗ ହେଲେ ବି ମନରେ ଏତେ ଦୁଃଖ ହୁଏ ନାହିଁ । ବିଦେଶରୁ ଦେହ ଭଲ ନ ଥିବ । ଖବର ପାଇଲେ ହଲକ ଶୁଖେ ।

 

ମାୟା ବୁଝିଲା, ଅଳପ ଟିକିଏ ଜର ପାଇଁ ଟେଲିଗ୍ରାମ୍ କରନ୍ତେ ନାହିଁ, ପୁଣି ଦେଢ଼ଶୁର ଆକୁଳବିକଳ ହୋଇ ଧାଇଁ ଯାଆନ୍ତେ ନାହିଁ । ବିଶ୍ଚୟ ତାଙ୍କର ଦେହ ବିଶେଷ ଖରାପ ହୋଇଛି । କଅଣ ହୋଇଛି, କିପରି ସେ ଅଛନ୍ତି, କେମିତି ଜାଣିବ ?

 

ଯେତେ ଅଟକାଇବାକୁ ବସିଲେ ମଧ୍ୟ ଅବାଧ୍ୟ ଲୋତକ ଅଟକି ରହିଲା ନାହିଁ । ଆଖିରୁ ଲୁହ ପୋଛି ପ୍ରୀତି ତିଆରି କହିଲେ, ଛୋପରୀଟା, ଆଖିରୁ ଲୁହ ଗଡ଼ାଇବା ଭଲ ନୁହେଁ । କଅଣ ଏମିତି ହୋଇଛି କି ! ଯା, ରମୁ ସଙ୍ଗେ ଖେଳିବୁ । ତୋ ଦେଢ଼ଶୁର କଟକରେ ପହଞ୍ଚି ଟେଲିଗ୍ରାମ୍‍ କରିବେ ଯେ ।

 

ଜାଆ ଦିହେଁ ଛଟପଟ ହୋଇ ରାତି କଟାଇଲେ । କାହାରି ମନରେ ସରାଗ ନାହିଁ । ଦଶଟା ବେଳକୁ ତାର ଖବର ଆସିଲା, ଜର ଭଲ ଅଛି । ଜାଆ ଦୁହିଁଙ୍କର ପିଣ୍ଡରେ ପ୍ରାଣ ପଶିଲା । ସଞ୍ଜକୁ ପୁଣି ଆସିଲା ତାର ଖବର, ଅବସ୍ଥା ସୁଧୁରୁଛି। ଜାଆ ଦିହେଁ କେତେ ଦେବଦେବୀ ମନାସିଲେ । ପରଦିନ ଦିଇ ପହରେ ପୁଣି ତାର ଆସିଲା, ଅବସ୍ଥା ଭଲ ଅଛି। ପୁଣି ତା ଆରଦିନ, ଭୟର କାରଣ ନାହିଁ ।

 

ଦୁଇ ଦିନ ଖବର ମିଳିଲା ନାହିଁ । ମନ ମଝିରେ ହତାଶର ହା-ହୁତାଶ ଜଳୁଥାଏ । ବାହାର ମନ କହୁଥାଏ, ଅବସ୍ଥା ଭଲ, ଭୟର କାରଣ ନାହିଁ । ଛାତି ଭିତର ଥରିଉଠେ, ଖବର ପଠାଇଲେ ନାହିଁ କାହିଁକି ? ମନ ପାପ ଛୁଏଁ । ଥରିଲା ଆଶା ତାକୁ ଅଟକାଇ ରଖେ, ସତେ କି ବଡ଼ ପାଟିକରି କହେ, ଭୟର କାରଣ ନାହିଁ, ଭୟର କାରଣ ନାହିଁ ।

 

ଚିନ୍ତାର ଗୋଳଘାଣ୍ଟ । ଆତ୍ମା ଛୁଟେ ଅଚିନ୍ତ୍ୟ ଆଡ଼କୁ, ରକ୍ଷାକର, ରକ୍ଷାକର !

 

ପରଦିନ ସଞ୍ଜ ଆଗରୁ ଚନ୍ଦ୍ରଭୂଷଣ ଫେରିଲେ । ସଙ୍ଗରେ ରାଜୀବଲୋଚନ । ଶୈଳଠାରୁ ଖବର ପାଇ ପ୍ରୀତି ଓ ମାୟା ଛୁଟିଲେ ତଳକୁ ।

 

ଦାଣ୍ଡ ଘରେ ।

 

ଆଗରେ ଚନ୍ଦ୍ରଭୂଷଣ, ଗୋଟାଛାଏ କଳା ଦିଶୁଛନ୍ତି । ପଛରେ ରାଜୀବଲୋଚନ, ସତେ କି ଦେହରେ ପ୍ରାଣ ନାହିଁ!

 

ଥରିଲା ସ୍ୱରରେ ପ୍ରୀତି ପଚାରିଲେ, ବିଧୁ– ?

 

ଚନ୍ଦ୍ରଭୂଷଣ ଦେଖିଲେ, ଆଗରେ ମାୟା, ଭାଇବୋହୂ । ଦୁଇ ଆଖିରୁ ଝରିପଡ଼ିଲା ଲୁହ । ପାଟିରୁ କଥା ବାହାରିଲା ନାହିଁ । ମୁହଁ ବୁଲେଇଲେ । ସତେ କି ସବୁ ଅପରାଧ ତାଙ୍କର !

 

ଥରିଲା ପାଦରେ ରାଜୀବଲୋଚନ ଆଗେଇ ଆସିଲେ ମାୟା ପାଖକୁ ।

ଆକାଶ ଛିଡ଼ିପଡ଼ିଲା ।

•••

 

ନଅ

 

ପନ୍ଦର ଦିନ କଟିଲା ।

 

ରାଜୀବଲୋଚନଙ୍କ ସଙ୍ଗରେ ମାୟା କଟକ ଯିବ । ପ୍ରୀତି ବିଛଣାରୁ ଉଠି ଥରଟିଏ ତା ଆଡ଼କୁ ଚାହିଁଲେ । ତାର ରୂପ ଦେଖି ମୁହଁ ବୁଲାଇଲେ ।

 

ଅଲକ୍ଷ୍ମୀ !

ସ୍ୱପ୍ନ ପରି କଟିଗଲା ଏ କେଇଟି ଦିନ ।

ମାୟା ପାଖରେ ଠିଆହେଲା । ଅନୁମତି ଲୋଡ଼ୁଥିଲା ପରା !

ଅପା !

 

ପ୍ରୀତି କଇଁ କଇଁ ହୋଇ କାନ୍ଦିଲେ । ମୁହଁ ଘୋଡ଼ାଇ କଇଁ କଇଁ ହୋଇ କହିଲେ, ତୁ ଯା, ତୁ ଯା, ଅଲକ୍ଷଣୀ, ତୋ ମୁହଁ ଚାହିଁବି ନାହିଁ, ତୁଇ ମୋର ପୁଅଠୁ ବଳି ସୁନାକଣ୍ଢେଇ ବିଧୁକୁ– ।

 

ପଥରମୂର୍ତ୍ତି ପରି ମାୟା ଠିଆ ହୋଇ ରହିଲା । ପ୍ରୀତିଙ୍କର ଅକୁହା କଥା ପଦକ ଯେପରି ସହସ୍ର ବିରୁଡ଼ି ହୋଇ ତାର ଦେହ ଓ ମନକୁ ବିନ୍ଧିଲା ।

 

ରାଜୀବଲୋଚନ ତାର ହାତ ଧରିଲେ । ଆଖିରୁ ଝରି ପଡ଼ୁଥାଏ ଲୁହ । କହିଲେ ଆ ମାୟା ! ପ୍ରୀତି ମୁହଁ ଟେକି ଚାହିଁଲେ । ରାଜୀବଲୋଚନଙ୍କର ପଛେ ପଛେ ମାୟା ଘର ଭିତରୁ ଧୀରେ ଧୀରେ ଥରିଲା ପାଦରେ ବାହାରି ଯାଉଛି । ସେ ଅସ୍ତବ୍ୟସ୍ତ ହୋଇ ଉଠିଲେ । ମନ କଲେ, ଧାଇଁଯିବେ । ମାୟାକୁ କୋଳକୁ ଟାଣିନେବେ । ଯତ୍ନକରି ବାନ୍ଧିଦେବେ ତାର ମୁଣ୍ଡ । ସର୍ବାଙ୍ଗରେ ନାଇଦେବେ ଗହଣା । ଆଖିରେ କଜ୍ଜଳ, ଗୋଡ଼ରେ ଅଳତା, ମୁଣ୍ଡରେ ସିନ୍ଦୂର ଦେବେ । ଯତ୍ନକରି ଶାଢ଼ୀ ପିନ୍ଧାଇବେ । ପୁଣି ମାୟାକୁ ଲକ୍ଷ୍ମୀକରି ସଜାଇବେ ।

 

କାହା ପାଇଁ ? କାହା ପାଇଁ ଏ ସବୁ କରିବେ ?

କାନ୍ଥ ମଝିରେ ବିଧୁଭୂଷଣଙ୍କର ଏନ୍‌ଲାର୍ଜଡ଼୍‌ ଫଟୋ ଉପହାସ କରିଉଠିଲା ।

ପ୍ରୀତି ଢ଼ଳିପଡ଼ିଲେ ପଲଙ୍କ ଉପରେ ।

•••

 

ଦଶ

 

ଛଅ ମାସ କଟିଯାଇଛି ।

 

ଦୁନିଆର ଜଞ୍ଜାଳ ମନର କୋହ ଉପରେ ସ୍ତରକୁ ସ୍ତର ସର ପକାଇଛି । କାନ୍ଥ ମଝିରେ ବିଧୁଭୂଷଣର ଫଟୋ । କେବେ ହସିଛି, କେବେ କାନ୍ଦିଛି, ପୁଣି କେବେ ଗମ୍ଭୀର ହୋଇ ଚାହିଁରହିଛି । ଏ ପାଖ କାନ୍ଥରେ ମାୟାର ଛୋଟ ଫଟୋଟି। ହସିଲା ମୁହଁ ସବୁବେଳେ କାନ୍ଦିଲା ପରି ଦିଶେ ।

 

ଫଟୋ ଦୁଇଟିକୁ କେବେ ସେ ସ୍ପର୍ଶ କରି ନାହାନ୍ତି । ହାତ ବଢ଼ାଇଲେ ସାରା ଶରୀର ଥରିଉଠେ । ଦୁହିଁଙ୍କୁ ସେ ଭଲ ପାଉଥିଲେ । ଜଣେ ନାହିଁ । ଆରକ ଥାଇ ମଧ୍ୟ ନ ଥିଲା ପରି । ଆହା, ହତଭାଗିନୀ, ଦୁଃଖୀନୀ ।

 

ପ୍ରୀତିଙ୍କର ଆଖିରେ ଲୁହ ଢ଼ଳ ଢ଼ଳ ହୁଏ । ସେ ମୁହଁ ବୁଲାନ୍ତି ।

 

ଚନ୍ଦ୍ର ଭୂଷଣ ସବୁବେଳେ କାର୍ଯ୍ୟବ୍ୟସ୍ତ । ଦୁଃଖ କରିବାକୁ ବେଳ ନାହିଁ । ଦିନୁଦିନ ସୁଖ୍ୟାତି ବଢ଼ିଛି । ଭଲ ଓକିଲ, ବେଶି ଟଙ୍କା, ଧୈର୍ଯ୍ୟବାନ୍‌ ପୁରୁଷ ।

 

ବେଳେ ବେଳେ ପ୍ରୀତି ଭାବନ୍ତି, ଛଅ ମାସ କଟିଲା । ମାୟା କି ଛାୟା କି ରାଜୀବ ଚିଠି ଖଣ୍ଡେ ଦେଲେ ନାହିଁ । କେମିତି ସେ ଅଛି ? ନିଜେ ଚିଠି ଲେଖି ବସନ୍ତି । କାହାକୁ ଲେଖିବେ ? ଛାତି ଥରି ଉଠେ । ମାୟାକୁ ସେ ତଡ଼ି ଦେଇଛନ୍ତି। କେଡ଼େ କଠୋର କଥା ସେ କହିଛନ୍ତି । ରାଜୀବ ସବୁ ଶୁଣିଛନ୍ତି । କେମିତି ଚିଠି ଦେବେ, କାହାକୁ ଦେବେ ? ଦୁଃଖର ରିହରେ କେଡ଼େ ନିଷ୍ଠୁର ସେ ହୋଇଥିଲେ ସତେ !

 

କଲମ ଥରି ଉଠେ । ନିଜ ପାଖରେ ନିଜେ ସେ ଅପରାଧୀ ହୁଅନ୍ତି । ନିଜକୁ ନିଜେ ଅଭିଯୁକ୍ତ କରନ୍ତି । ଦୋଷୀ, ଅପରାଧୀ! ତାଙ୍କ ଅପରାଧର ଯେପରି କ୍ଷମା ନାହିଁ । ଆଖି ଆଗରେ ଉଭା ହୁଏ ମାୟା । ଲମ୍ବ କଜ୍ଜଳ କଳା କେଶ ଛିଣ୍ଡିଛି, କହରା ଦିଶୁଛି । ଦେହର ହାଡ଼ ଉପରେ ଖାଲି ପାଉଁଶିଆ ଚମ । କୋରଡ଼ିଆ ଆଖି । ବାଇଆଣୀ ପରି ଢଙ୍ଗ । କହୁଛି, ଅପା, ଦେଖ ଏ ଅଲକ୍ଷଣୀକୁ । ଏଇ ଖାଇଥିଲା ତମର ଅତି ଗେଲବସର ନୟନର ପିତୁଳା ଦିଅରକୁ । ଏବେ ନିଜକୁ ସେ ଶୋଷି ଖାଉଛି । ତଥାପି ପ୍ରାଣ ଯାଉ ନାହିଁ, ଦିଅ, କି ଶାସ୍ତି ଦେଉଛ ଦିଅ । ଅପା–

 

କଲମ ଥରିଉଠେ । ଆଖିରେ ଲୁହ ଭରେ । ଚିଠି ଲେଖି ପାରନ୍ତି ନାହିଁ । ଭାବନ୍ତି, ଆଉ ଦିନେ ଲେଖିବେ ।

 

ଆହୁରି ଦୁଇ ମାସ କଟିଗଲା ।

 

ଆଜି ପ୍ରୀତି ପ୍ରତିଜ୍ଞା କରିଛନ୍ତି, ମାୟା ପାଖକୁ ଚିଠି ଲେଖିବେ । ସବୁ ଦୋଷ ମାଗିନେବେ । ଯଦି ସେ ଉତ୍ତର ନ ଦିଏ, ନିଜେ ଯିବେ ।

 

ଚିଠି ଲେଖିଲେ ।

 

 

ମାୟା,

ଛାତିର କୋହ ସହି ନପାରି କଅଣ ଦି ପଦ କହି ଦେଇଥିଲି, ସେଇଆକୁ ଗଣ୍ଠି କରି ବସିଛୁ ? ଯାହା ତତେ କହିଥିଲି, ସେଥିପାଇଁ ଦିନରାତି ଦୁଃଖ ଓ ଅନୁତାପରେ ମୁଁ ସନ୍ତୁଳି ହୋଇ ମରୁଛି । ମୋଓରି କଥା ମୋଓରି ଅସ୍ଥିର ମନରେ ସାପ ପରି ଗୁଡ଼େଇ ହୋଇ ନିତି ମତେ ଦଂଶୁଛି । ମାୟା ଲୋ, ମୁଁ ତୋର ଅପାଟି, ଦୋଷ କଲି, ତୁ ରକ୍ଷା ଦେବୁ ନାହିଁ ? ଚିଠି ଲେଖିବି ହୋଇ ଦୁଃଖରେ, ଲାଜରେ ଲେଖିପାରି ନାହିଁ । ତୁ ଆ, ତୋର ଘର ତୁ ସମ୍ଭାଳ । ଆଉ, ତୋର ଏଇ ଟିକିପିଲାଟି ରମୁ, ତାମୁ ତୁ କୋଳକୁ ନେ । ତୁ ଗଲା ପରେ ମୁଁ ସବୁ ଦୋଷ ତେର ଦେଢ଼ଶୁରଙ୍କ ପାଖେ ମାଗି ନେଇଛି । ଜାଣେ, ତୁ ପୁଣି ମୋ ପାଖକୁ ନ ଆସିଲେ, ତାଙ୍କ ଆଖିରୁ ଲୁହ ଶୁଖିବ ନାହିଁ । ତୁ ଗଲାଦିନୁଁ ସେ ରମୁକୁ ଅନେଇଁ ନାହାନ୍ତି । ମାୟା, ତୋ ହାତର ଧାଡ଼ିଟିଏ ଲେଖା ଦେଖିଲେ ମୋର ଜଳିଲା ପୋଡ଼ିଲା ପ୍ରାଣରେ ଟିକିଏ ଶାନ୍ତି ଆସିବ । ତୋ ଉତ୍ତର ପାଇଲେ ମୁଁ ଯିବି ତୋ ପାଖକୁ, ତତେ ନିଜେ ମୁଁ କାଖ କରି ଆଣିବି । ଟିକି ଭଉଣୀଟି ହୋଇ ଥରେ ତୁ ଆସିଥିଲୁ ମୋ ପାଖକୁ, ତତେ ମୁଁ କୋଳରେ ଧରିଥିଲି । ବିଧୁ ମୋର ଚାଲିଯାଇଛି । ଯାଉ ସେ, ସେ ପୁରରେ ସୁଖରେ ଥାଉ । ମୁଁ ନିଜେ ଯାଇ ତୋତେ ଆଣିବି ଲୋ ମାୟା, ମୋର ଟିକି ଝିଅ ହୋଇ ମୋ ଛାତିରେ ତୁ ଥାନ ପାଇବୁ । ହାଲ ଠିକଣା ଲେଖି ଜଣାଇବୁ । ଇତି ।

ପ୍ରୀତି

ଚିଠି ଉପରେ ଗାଁ ଠିକଣା ଲେଖି ପୋଷ୍ଟ ଅଫିସ୍‌କୁ ପଠାଇ ଦେଲେ । କିଛି ସମୟ ପରେ ଅବେଳରେ ଚନ୍ଦ୍ରଭୂଷଣ କଚେରୀରୁ ଫେରିଆସିଲେ । ପ୍ରୀତିଙ୍କ ହାତକୁ ଖଣ୍ଡେ ଲଫାପା ବଢ଼ାଇ କହିଲେ, ରାଜୀବବାବୁ ଲେଖିଛନ୍ତି ।

 

ମୁହୂର୍ତ୍ତେ ରହିଲେ ନାହିଁ । କଚେରୀ ଘରକୁ ଫେରିଗଲେ ।

ଡରି ଡରି ଲଫାପା ଭିତରୁ ଛୋଟ ଚିଠି ଖଣ୍ଡି କାଢ଼ି ପ୍ରୀତି ପଢ଼ିଲେ ।

 

ମହାଶୟ,

 

ଯାହାକୁ ଅଲକ୍ଷଣୀ ବୋଲି ଘରୁ ତଡ଼ି ଦେଇଥିଲେ, ସେଇ ମାୟା କାଲି ରାତିରେ ଆମକୁ କନ୍ଦାଇ ସେପୁରକୁ ଚାଲିଯାଇଛି । ମୋଟେ ଦୁଇ ଦିନ ହଇଜା ରୋଗରେ ଆକ୍ରାନ୍ତ ହେଲା । ଆପଣମାନେ ଏଥର ନିଶ୍ଚିନ୍ତ ହେଲେ । ଏ ଜୀବନରେ ଅଲକ୍ଷଣୀ ମାୟାର ମୁହଁ ଆଉ ଚାହିଁବେ ନାହିଁ । ଇତି ।

 

ରାଜୀବ

 

ଚିଠି ପୁରୀରୁ ଆସିଥିଲା । କ୍ରମାଗତ କେତେ ଦିନ ହେଲେ ଖବରକାଗଜରେ ବାହାରୁଥିଲା, ପୁରୀରେ ଭୀଷଣ ହଇଜା । ପ୍ରତିଦିନ କେତେ ଲୋକ ମରୁଛନ୍ତି ।

 

ପ୍ରୀତି ନିର୍ବାକ ହୋଇ ଶୂନ୍ୟକୁ ଚାହିଁ ରହିଲେ । ଅଜାଣତରେ ଦୁଇ ଆଖିରୁ ଦୁଇ ଧାର ତତଲା ଲହୁ ଝରିପଡ଼ିଲା। ଆହା ଆହାର କୋହ ଛାତି ଥରାଇଦେଲା । ମନ କହିଲା, ସତୀଲକ୍ଷ୍ମୀ ସେ । ମୋର ଅତି ଗେଲବସର ସାନଭଉଣୀଟି । ବିଧୁକୁ ହରାଇ ସେ ରହନ୍ତା କିପରି ! ଝୁରି ଝୁରି ସେ ନିଜେ ଚାଲିଗଲା ।

 

ସବୁ ସମ୍ପର୍କ ତୁଟି ଯାଇଥିଲା । କାନ୍ଥ ମଝିରେ ପାଖାପାଖି ଦୁଇଟି ଫଟୋ । ସେଇ ନିର୍ଜୀବ ଛବି ଦିଓଟି ବେଳ ବେଳେ ମନେ ପକାଉଥିଲା, ଦିନେ ବିଧୁଭୂଷଣ ଥିଲେ ଆଉ ଥିଲା ମାୟା-। ଏଇଠି ତାଙ୍କର ହସ ଖେଳ, ପୁଣି ସବୁ ଶେଷ। ଫଟୋ ଦୁଇଟିରେ ବେଳେ ଫୁଲମାଳ ଟଙ୍ଗା ହୁଏ । ଫୁଲ ମଉଳେ । ଶୁଖେ । ପୁଣି କେବେ ଆଖିରେ ପଡ଼େ । ପୁଣି ନୂଆ ଫୁଲମାଳ ଝୁଲାହୁଏ । ସେ ବି ଶୁଖେ । ବୁଢ଼ିଆଣୀ ଜାଲ ବୁଣେ ।

 

ପ୍ରୀତିଙ୍କର କାଖରୁ ରମୁ ଆଙ୍ଗୁଠି ବଢ଼ାଏ, କହେ,–ଦାଦା, ଖୁଲୀ !

ପ୍ରୀତି ଖୁସି ହୁଅନ୍ତି । ପୁଅକୁ ଗେଲ କରନ୍ତି ।

 

ସେଇ ଘରେ, ପ୍ରୀତିଙ୍କର ରଙ୍ଗିଲା ମୁହଁରେ ଚନ୍ଦ୍ର ଭୂଷଣଙ୍କର ପ୍ରେମାକୁଳ ଓଠ ଲାଗେ । ନିର୍ଜୀବ ଫଟୋ ଦିଓଟି ଟଙ୍ଗା ହୋଇଥାଏ କାନ୍ଥରେ, ପାଖାପାଖି । ଦିଓଟି ଫଟୋରେ ଦିଓଟି ଶୁଖିଲା ଫୁଲର ମାଳ । ଦିଓଟି ମାଳକୁ ଏକାଠି କରେ ବୁଢ଼ିଆଣୀ, ପୁଣି ଦିଓଟି ଫଟୋକୁ ଏକାଠି ବାନ୍ଧେ ଗୋଟିଏ ଡ଼ୋରରେ ।

•••

 

ଏଗାର

 

ତିନି ବର୍ଷ କଟିଗଲା ।

 

ଦିଓଟି ସନ୍ତାନ ପ୍ରୀତିଙ୍କର ପେଟକୁ ଆସି ତଳକୁ ଓହ୍ଲାଇ ପୁଣି ବାହୁଡ଼ିଲେ । ପ୍ରୀତିଙ୍କର ଭାଳେଣି ପଡ଼ିଲା । ଘରେ ହୋମ ହେଲା । ଫଟୋ ଦିଓଟି ଏ ଘରୁ ଯାଇ ସେ ଘରେ ଟଙ୍ଗାହେଲା । ଲୋକେ କହିଲେ, ଭୁବନେଶ୍ୱର ଯାଇ ଲିଙ୍ଗରାଜ ଦର୍ଶନ କର, କେଦାରଗୌରୀ କୁଣ୍ଡରେ ସ୍ନାନକର, ସବୁ ଦୋଷ କଟିଯିବ । ଆସିଲା ପିଲା ବାହୁଡ଼ିବେ ନାହିଁ ।

 

ଆହୁରି ବର୍ଷେ କଟିଗଲା ।

ଭୁବନେଶ୍ୱର–, କେଦାରଗୌରୀ ।

ମାୟା ନୁହେଁ, ତାର ସାନଭଉଣୀ ଛାୟା !

ଅନ୍ଧାର ଭିତରେ ଉଙ୍କିମାରେ ଅତୀତର ପ୍ରେତ ।

 

ପ୍ରୀତି ଅସ୍ଥିର ହୋଇ ଉଠିଲେ । ମାୟା ଓ ଛାୟା, ଦିହେଁ ଏକା ପରି ନୁହନ୍ତି । ମାୟାର ମୁହଁରୁ ନିଜେ ସେ ଏହା ଶୁଣିଥିଲେ । କିନ୍ତୁ ଦେଖିଲେ କଅଣ ? ପ୍ରଫେସର ଗଗନବାବୁଙ୍କ ସ୍ତ୍ରୀ ଛାୟା ଅବିକଳ ମାୟା ପରି ।

 

 

ମୁଣ୍ଡ ଘୂରିଗଲା । ଭାବନା ଅଟକିଗଲା । ଝରକା ପାଖକୁ ଫେରିଆସିଲେ । ଆଲୁଅ କମାଇଲେ । ଧୀରେ ଧୀରେ ଯାଇ ରମୁ ପାଖରେ ଶୋଇଲେ । ନିଦ ହେଲା ନାହିଁ । ତୁହାଇ ତୁହାଇ ଚିନ୍ତା ମନକୁ ଆଲୋଡ଼ନ କଲା । କ୍ଲାନ୍ତ ଆଖିପତା ମୁଦି ହୋଇ ଆସିଲା ।

 

ନୂଆଉ–, ଆଗରେ ଠିଆ ହେଲେ ବିଧୁଭୂଷଣ । ଉଭେଇ ଗଲେ ।

ଅପା–, ଛାତିରେ ମୁଣ୍ଡ ଗୁଞ୍ଜିଲା ମାୟା । ପ୍ରୀତି ତାକୁ କୋଳ ଆଡ଼କୁ ଟାଣି ଆଣିଲେ ।

ଆଖିପତା ଖୋଲି ହୋଇଗଲା । ମାୟା ନୁହେଁ, ରମୁ !

 

ଛାତି ଥରି ଉଠିଲା । ଛାତି ଝିମ୍‌ଝିମ୍ ହେଲା । ଝରକା ବାଟେ ପଶି ଆସିଲା ଶୀତୁଳିଆ ବାଆ । ତାଆରି ସାଥିରେ ଅନ୍ଧାର। ଅନ୍ଧାର ଭିତରେ ପ୍ରେତ । ପବନ ଭିତରେ ପ୍ରେତର ଡାକ, ନୂଆଉ, ଅପା !

 

ଦିନେ ଯେଉଁମାନେ ଏତେ ପ୍ରିୟ ଥିଲେ, ସେହିମାନଙ୍କର ପ୍ରେତାତ୍ମା ! ଭୟରେ ଛାତି ଥରି ଉଠିଲା । ଉଠିବାକୁ ମନ ହେଲା, ଉଠି ନାହିଁ । ଦେହ ହାତକୁ ସତେ କି ପ୍ରାଣ ଛାଡ଼ି ଆସିଲା, ସବୁ ଶକ୍ତି ଉଭେଇଗଲା । ଆଖି ମୁଦି ହେଲା । ଡାକିବାକୁ ଇଚ୍ଛା ହେଲା । ପାଟି ଖୋଲିଲା ନାହିଁ । ସତେ କି କାନରେ ବାଜିଲା ଅଶରୀରୀ ବାଣୀ–

 

ଅପା, ମୁହଁ ଚାହିଁବ ନାହିଁ ? ହେଇ, ମୁଁ ଆସିଛି । ଅନାଅଁ, ମୁଁ ମାୟା !

ନୂଆଉ–, ମୁଁ ବିଧୁ–

ପ୍ରୀତି ଅସ୍ଥିର ହେଲେ ।

ଆର ପଲଙ୍କରୁ କଡ଼ ଲେଉଟା ଶବ୍ଦ ।

ମନରେ ସାହାସ ବାନ୍ଧିଲେ । ପ୍ରୀତି ଉଠିଲେ ।

 

ପିଲାଟା ଶୋଇଛି । ଶୋଇଥାଉ । ଝରକା ବନ୍ଦ କରିବେ । ନା, ଖୋଲାଥାଉ । ଝରକା ପାଖକୁ ଯିବାକୁ ସାହସ ହେଉନାହିଁ ।

 

ଚନ୍ଦ୍ର ଭୂଷଣଙ୍କର ପାଖରେ ଶୋଇଲେ ।

ପ୍ରୀତି !

ପିଣ୍ଡରେ ପ୍ରାଣ ପଶିଲା । ଉତ୍ତର ଦେଲେ, ଏଁ ।

 

ଚନ୍ଦ୍ର ଭୂଷର ପ୍ରୀତିଙ୍କୁ ପାଖକୁ ନେଲେ, ଛାତି ପାଖକୁ । ପ୍ରୀତିଙ୍କର ଆଖି ଆଗରୁ ସବୁ ଭୂତ, ପ୍ରେତ ଅପସରି ଗଲେ । ଯେଉଁ ଛାତିଟି ପ୍ରୀତିଙ୍କର ଆନନ୍ଦର ଅମୂଲ୍ୟ ଆଦେଶ, ସେଥିରେ ମୁଣ୍ଡ ଗୁଞ୍ଜିଲେ । ସବୁ ଦୁଃଖ, ଭୟ, ଭାବନା ଦୂରେଇ ଗଲା ।

 

ପ୍ରୀତି ଆଖି ବୁଜିଲେ ।

•••

 

ବାର

 

ଗଗନବିହାରୀ ଦେଖିଲେ ଦୀପ୍ତିର ମନରେ ସରାଗ ନାହିଁ । ପ୍ରୀତିଦେବୀ ଓ ଚନ୍ଦ୍ର ଭୂଷଣଙ୍କ ସଙ୍ଗେ କେଦାରଗୌରୀ ପାଖରେ ଦେଖାହେଲା ବେଳରୁ ଦୀପ୍ତିର ମନ ମଉଳିଛି । ବସାକୁ ଫେରି ତାର ମୁଣ୍ଡ ଆଉଁସି ଗେହ୍ଲେଇ କହିଲେ, ମାୟାଦେବୀ ମନେ ପଡ଼ୁଛନ୍ତି କି ?

 

ଦୀପ୍ତି ଆଖିର ଲୁହରେ ଉତ୍ତର ଦେଲା ।

 

ଗଗନ ବୁଝାଇ କହିଲେ, ଯେତେ କାନ୍ଦିଲେ ସେ ଆଉ ଫେରି ଆସିବେ ନାହିଁ । ମରଣ ତାଙ୍କ ପକ୍ଷରେ ଭଲ ହୋଇଛି । ଆମ ସମାଜରେ ଯେଉଁ ନିୟମ, ବଞ୍ଚି ରହିଥିଲେ କେତେ ଦୁଃଖ ସେ ପାଉଥାନ୍ତେ ଅନୁମାନ କରି ପାରୁଛ ?

 

ଦୀପ୍ତି ନିରୁତ୍ତର ।

 

ଦିନ ସାରା ଦୀପ୍ତିଙ୍କୁ ସଙ୍ଗରେ ଧରି କେତେ ଆଡ଼ ବୁଲି ବୁଲି ସଞ୍ଜ ପରେ ଘରକୁ ଫେରିଲେ । ଚାକର କହିଲା, କିଏ ଜଣେ ବାବୁ ସ୍ତ୍ରୀ ଓ ପୁଅଟିକୁ ଧରି ଆସି ଖୋଜୁଥିଲେ ।

 

ଦିହେଁ ବୁଝିଲେ, ଚନ୍ଦ୍ର ଭୂଷଣବାବୁ ପ୍ରୀତି ଓ ରମୁକୁ ନେଇ ସେମାନଙ୍କୁ ଦେଖିବାକୁ ଆସିଥିଲେ ।

 

ରାତି ହେଲା । ଅନ୍ଧାର । ଦେହ ଓ ମନ କ୍ଲାନ୍ତ । ତାଙ୍କ ବସା ବି ପାଖରେ ନୁହେଁ । ନିଛାଟିଆ ବାଟ । ଆଜି ଆଉ ଯାଇ ହେବ ନାହିଁ । ଦୀପ୍ତି ପୁଣି ଅସଜ ମଣିଷ ।

 

ଗଗନ କହିଲେ, ସେମାନଙ୍କୁ ଦେଖିବାକୁ କାଲି ଯିବା ଦୀପ୍ତି । ଚନ୍ଦ୍ରବାବୁ ଓ ପ୍ରୀତିଦେବୀଙ୍କୁ ତମେ ଜାଣ ନାହିଁ । ସେମାନେ ଅତି ସ୍ନେହୀ ।

 

ସ୍ୱାମୀର କୋଳରେ ସାଧ୍ୱୀ ସ୍ତ୍ରୀ !

 

ବାହୁ ବନ୍ଧନରୁ ମୁକ୍ତିଲାଭ କରିପାରୁ ନାହିଁ । ତିନୋଟି ବର୍ଷ ଏଇ କୋଳରେ ଏଇ ବାହୁବନ୍ଧନ ମଝିରେ ସେ କଟାଇଛି । ସୁଖୀ କରିଛି । ନିଜେ ସୁଖୀ ହୋଇପାରି ନାହିଁ । ଏଇ ପ୍ରଫେସର ଗଗନବିହାରୀ । କୋଳରେ ସତୀଲକ୍ଷ୍ମୀ ସୁନ୍ଦରୀ ସ୍ତ୍ରୀ, ପ୍ରାଣରୁ ବଳି ସେ ଭଲ ପାଆନ୍ତି । କେଡ଼େ ଶାନ୍ତିରେ ଶୋଇଛନ୍ତି । ଆଉ, ତାଙ୍କରି କୋଳରେ ଦୀପ୍ତି, ଜୀବନରେ ଦିନେ ହୋଇ ଶାନ୍ତି ପାଇନାହିଁ । ସୁଅରେ ଭାସିଗଲା ପରି ଜୀବନକୁ ସେ ଭସାଇ ଦେଇଛି, ଲକ୍ଷ୍ୟହୀନ । ଭଲ ମନ୍ଦ, ପାପ ପୁଣ୍ୟ ବିଚାରି ନାହିଁ । ଅତୀତ ସ୍ମୃତି ମନ ଭିତରୁ ପୋଛି ପାରିନାହିଁ । ଅତୀତକୁ ଝୁରୁଛି । ବର୍ତ୍ତମାନକୁ ଉପେକ୍ଷା କରି ପାରୁ ନାହିଁ ।

 

ସେ ଦୀପ୍ତି, ଛାୟାର ପ୍ରେତ, ମାୟା । ଦୁନିଆକୁ ସେ ଠକିଛି । ନିଜକୁ ସେ ଠକି ପାରି ନାହିଁ । ଦୀପ୍ତି ଗୋଟିଏ ନୁହେଁ, ଦିଓଟି ମଣିଷ । ଗୋଟିଏ ଆତ୍ମା, ଗୋଟିଏ ଦେହ, ଦିଓଟି ଜୀବନ, ଦିଓଟି ମନ ! ଦୁହିଁଙ୍କୁ ଧରି ସେ ଆଗେଇ ଚାଲିଛି । ଜଣକ ପଛରେ ଆଉ ଜଣେ, ମାୟା ଓ ଛାୟା !

 

ଛାୟା ନାମ ଧରି ଗଗନବିହାରୀଙ୍କର କୋଡ଼ରେ ପଶିଛି, ଦେହରେ ଲଟେଇଛି, ଗଗନକୁ ମନ୍ତ୍ରମୁଗ୍‌ଧ କରିଛି । ଦେହର କାଉଁରି ପରଶରେ ମନରେ ଶାନ୍ତି ଆଣିଛି, ଆଖିରେ ନିଦ, ନିଦରେ ସପନ, ସପନ ଭିତରେ ଭବିଷ୍ୟତ । ପୁଣି, ମାୟା ହୋଇ ଫେରିଯାଇଛି ଅତୀତକୁ, ଭ୍ରମିଛି ଚନ୍ଦ୍ରଭୂଷଣଙ୍କ ଭବନରେ ।

 

ଦିଶିଯାଏ ସବଳ ସୁନ୍ଦର ହସ ହସ ମୁହଁଟି । ମନେପଡ଼େ ସବୁ ସ୍ନେହ, ଅଭିମାନ, ଗେଲବସର କଥା, ଅଳି,-ଆସୁନା, ନୂଆଉ ଶୋଇଲେଣି ।

 

ଅପା, ଅପା–

ଉଠିବୁ ନାଇଁ କି ? ମୁଁ ମ, ବିଧୁ ନୁହେଁ–, ରମୁ ଖୋଜୁଛି– ।

 

ରାତି । ଦୀପ ଲିଭିଛି । ଯେଉଁ ବାହୁଟି ତାକୁ ନିବିଡ଼ ଭାବରେ ଆଲିଙ୍ଗି ଧରିଛି, ତାର ଛାୟାତଳେ ସେ ନିଜକୁ ନିରାପଦ ମଣିଛି । ତାଙ୍କରି ଦେହ ଭିତରେ ଅନୁଭବ କରୁଛି ଅତୀତକୁ ।

 

ତୁ ଯା–, ତୁ ଯାଆ–, ଅଲକ୍ଷଣୀ–

 

ଏଇ ତାର ଅପା ପ୍ରୀତି ! ଦୟାର ଯିଏ ଅବତାର, ଯାହାର ମନରେ ସବୁବେଳେ ସ୍ନେହ, ସହାନୁଭୂତି, ତୁଣ୍ଡରେ ଆହା ପଦ । ଏଇ ତାର ଜାଆ ପ୍ରୀତି ?

 

ସୁଖର ସାଥୀ ।

 

ଦରମଲା ହତଶିରୀ ଦେହ, ଜଳିଲା ମନ, ଛଟପଟ ଆତ୍ମା । ଆହା, ନିରିମାଖୀ ! ଗତି କାହିଁ ? ସୁଖର ସଂସାର ଛାରଖାର। ଆଖି ଆଗରେ ପରଳ । ସବୁ ଅନ୍ଧାର । ଅନିଶ୍ଚିତ । କୁଆଡ଼େ ଚାଲିଛି ? ଆଗରେ ଭାଇ, ପଛରେ ମାୟା ।

କଟକ ବାସ୍‌ ଚାଲିଛି ।

ତୁନି ହ ମାୟା ।

ଲୁହ ଅଟକୁ ନାହିଁ । ସଂସାର ତାର ସରିଛି । ସମସ୍ତେ ତା ଆଡ଼କୁ ଚାହୁଁଛନ୍ତି । ମନରେ ଆହାଭାବ । ଆଖିରେ ସହାନୁଭୂତି । ମାୟା ପାଖରେ ସବୁ ଅର୍ଥହୀନ । ନିଜକୁ ସେ ପାତକୀ ମଣିଛି-। ଅପରାଧୀ, ଅଲକ୍ଷଣୀ । ପ୍ରୀତିଙ୍କର ପାଟି କାନରେ ବାଜୁଛି, ଅନ୍ତର ଥରାଉଛି, ତୁ ଯା– !

ରେଳ ଗାଡ଼ିରେ–

ଭାଇ !

ରାଜୀବ ତା ଆଖିରୁ ଲୁହ ପୋଛିଲେ । ଦୃଢ଼କଣ୍ଠରେ କହିଲେ, ତୁନି ହ ମାୟା । କଣ ତୋର ହୋଇଛି କି ? ଓଃ, ଭାରି ତ ସଂସାର, ଗୋଟିଏ ରାତିର ସ୍ୱପ୍ନ ପରି । ସିନେମା ଛବି ପରି । ଦେଖୁ ଦେଖୁ ମଣିଷ କାନ୍ଦେ, ପୁଣି ହସେ, ପୁଣି କାନ୍ଦେ । ଘଣ୍ଟା ବାଜେ। ଖେଳ ଭାଙ୍ଗେ । ମଣିଷ ପଦାକୁ ଆସି ବଲବଲ କରି ଚାହେଁ । ଆରେ, ଛବି ଖେଳ । ସତ ନୁହେଁ ତ ! ସେମିତି ଲୋ ମାୟା, ତୋ ଜୀବନର ଛବିଖେଳ ଇଏ । ହସ ପୁଣି କାନ୍ଦ । ସିନେମା ଘରୁ ପଦାକୁ ବାହରୁଛି । ତୋ ଭାଇ ପାଖକୁ ଆସିଛୁ । ତୁ ମୋର ଭଉଣୀ ଥିଲୁ, ଭାଇ ହାଇଛୁ, ତୁନି ହ ।

କଟକ ବସାରେ–

ରାତି । ବାପ ମା ଗ୍ରାମରେ ଅଛନ୍ତି, ସୁନ୍ଦରପୁରରେ ।

ଭାଇ, କେଉଁଠି ତାଙ୍କୁ ରଖିଲ ? ଦେଖାଇବ ନାହିଁ ? ସେଇଠିକି ମୁଁ ଯିବି ଭାଇ । ମତେ ତମେ ଘରକୁ ନିଅ ନା। କାହାକୁ ମୋର ପୋଡ଼ାମୁହଁ ଦେଖାଇବି ? ପଚାରିଲେ କଣ କହିବି ?

ରାଜୀବଲୋଚନ ସାନ୍ତ୍ୱନା ଦେଇ ପାରିଲେ ନାହିଁ ।

ଦିହେଁ କାନ୍ଦିଲେ ।

ସୁନ୍ଦରପୁର ।

ଘରେ ବାପ ମା, ଭାଇଭଉଣୀ, ଆତ୍ମୀୟ ସ୍ୱଜନ, ସମସ୍ତଙ୍କ ମଝିରେ ହତଭାଗିନୀ ମାୟା-। ସମସ୍ତେ କାନ୍ଦିଲେ । ମାୟା ଅସ୍ଥିର ହୋଇ କାନ୍ଦିଲା । ଜନମ ମାଟି କି ଆତ୍ମୀୟସ୍ୱଜନ ତାକୁ ସାନ୍ତ୍ୱନା ଦେଇ ପାରିଲେ ନାହିଁ ।

ମାସେ ଛୁଟି ଘରେ କଟାଇ ମାୟାର ବାପା ସୋମନାଥବାବୁ ଭଦ୍ରଖ ବାହାରି ଗଲେ । ସେଇଠି ସେ ପୋଲିସ୍‌ ଇନିସ୍‌ପେକ୍‌ଟର । ରାଜୀବଲୋଚନ କଟକ ଚାଲିଗଲେ । ଘରେ ରହିଲେ ମାୟା, ଛାୟା ଓ ତାଙ୍କର ମା ।

ଝିଅର ଦୁଃଖରେ ରଜନୀ ଦିନୁ ଦିନୁ ଭାଙ୍ଗି ପଡ଼ିଲେ । ଏଡ଼େ ସୁନ୍ଦର ଦେହ କଳା କାଠ ପଡ଼ିଲା । ହସ ହସ ମୁହଁରୁ ହସ ଲିଭିଲା । ମାୟା କି ଛାୟାଙ୍କ ଆଗରେ ସିନା ମୁହଁ ଉଡ଼ଙ୍ଗ କାଢ଼ନ୍ତି, ନିରୋଳାରେ ଆଖିର ଲୁହ ଅଟେକ ନାହିଁ। ଖଣ୍ଡି ଖଣ୍ଡି କରି ଦେହରୁ ସବୁ ଗହଣା ଉତାରି ରଖିଲେ । ହାତରେ ଖାଲି ଦି’ ଦି ପଟି କାଚ । ହଁ, ଏ ଗୁରାକ ଆଜିକାଲି କିଏ ନାଉଚି ? ଯେତିକି ସୁଲଭ ସେତିକି ହେଲେ ହେଲା । ଏତିକି ତାଙ୍କର ଛଳଣା ।

ମାୟା ଦେଖେ । ସବୁ ବୁଝେ । ଛାତି କରତି ହୁଏ । କିନ୍ତୁ ଛାୟା ସବୁବେଳେ ସଜ ହେଉଥାଏ । ତାକୁ ସଜାଇବାରେ ହିଁ ମାୟାର ଆନନ୍ଦ । ନିଜକୁ ସତେ କି ସେ ଛାୟା ଭିତରେ ଅନୁଭବ କରେ । ଏକା ନାହିଁ ଦି ଖଣ୍ଡି ତ । ଛାୟାଟି ଭଲ ଘର ଭଲ ବର ପାଉ । ସୁଖରେ ସଂସାର କରୁ । କାଚ ବଜର ହେଉ । ସାତ ପୁଅର ମା ହେଉ ସେ । ଗୋଟିକୁ ହାତ ପାତି ସେ ମାଗିନେବ ।

ଆଖିରୁ ଲୁହ ଝରେ ।

କାନ୍ଦୁଛୁ ଅପା ?

ମାୟା ଆଖି ପୋଛେ । ମନରେ କୋହ । ତୁଣ୍ଡରେ ଭାଷା ବାହାରେ ନାହିଁ । ଆଖି ଘୂରିଯାଏ ଚାରିଆଡ଼େ । ଆଖିରେ ପଡ଼େ ଆଗ ଘରର ଖୋଲା ଝରକା । ନ ଜାଣିଲା ପରି ଆଗ୍ରହୀ ଆଖି ଦିଓଟି ସେଇ ଝରକା ବାଟେ ଚାହିଁ ରହିଛି, ତାଙ୍କରି ଭାଇଙ୍କର ସେ ବନ୍ଧୁ, ହସପାଠୀ, ସେ ବିଧୁବାବୁ ।

ଫେରିଗଲେ ତ ।

ସମ୍ବଲପୁର !

•••

 

ତେର

 

ଚାରି ମାସ ଗଡ଼ିଗଲା । ସବୁ ଦିନେ ସବୁ କଥା ସମାନ ନ ଥାଏ । ଛାତିରେ ଲଦା ହୋଇଥିବା ପଥର ପୁଣି ଦେହସହା ହୁଏ । ମୁହଁରେ ନିଜଭୁଲା ହସ ନାଚେ ।

 

କୁଆଁର ପୁନେଇଁ ପାଖେଇ ଆସୁଛି । ସଞ୍ଜବେଳ । ଛାୟା ଧାଇଁ ଆସି ମାୟାର ପିଠିରେ ପଇଲା । ହସି ହସି କହିଲା, କିଲୋ ଅପା, ତୁନିତାନି ବସିଛୁ କାହିଁକି ? ଚାଲ ତାଙ୍କ ସାହିକି ବୁଲିଯିବା ।

 

ତୁ ଯା ।

ତୁ ଯିବୁ ନାଇଁ ?

ନାଇଁ ।

 

ଛାୟା ଯାଇ ପାରିଲା ନାହିଁ । ମାୟା ପାଖରେ ତୁନି ହୋଇ ବସିଲା । ପଚାରିଲା ଏକୁଟିଆ ବସି କ’ଣ ଏତେ ଭାବୁଛୁ ଅପା, କହିବୁ ନାହିଁ ।

 

ମାୟା ଉତ୍ତର ଦେଲା ନାହିଁ । ଘର ଭିତରକୁ ଉଠି ଆସିଲା । ଛାୟା ତାର ସାଥିରେ ଆସିଲା । ମାୟା ଖଣ୍ଡେ ଚିଠି କାଢ଼ି ଛାୟାକୁ ଦେଲା । କହିଲା, ପଢ଼, ମନେ ମନେ ପଢ଼ ।

 

ଛାୟା ପଢ଼ିଲା–ଅପା, କ’ଣ ଦୋଷ ମୁଁ ତମର କରିଥିଲି ଯେ ମୋତେ ଏମିତି ପାଖରୁ ତଡ଼ିଦେଲ ? ପୋଡ଼ାମୁହଁ ମୋର ଦେଖିବା ନାଇଁ ? ଦଇବ ମୋର ମୁହଁ ପୋଡ଼ିଲା, ମୋର ତ ଦୋଷ ନାହିଁ । ତମେ ସିନା ଦିନେ କାନ୍ଦିବ, ମୁଁ ତ ଚିରଦିନ କାନ୍ଦିବି । ତମୁକୁ ମୁହଁ ଦେଖେଇେ ତମର ଚକ୍ଷୁଶୂଳ ହେବାକୁ ମୁଁ ଅଳି କରୁନାହିଁ । ରମୁକୁ ଥରେ ଦେଖିବାକୁ ମନ ହେଉଛି । ଯଦି–

 

ଚିଠି ଅଧା ଲେଖା ହୋଇଛି ।

 

ଶେଷ କରି ପାରିଲି ନାହିଁ ଲୋ ଛାୟା, ଆଉ କଣ ଲେଖିବି ମତେ ଆସିଲା ନାହିଁ । ପ୍ରୀତି ଅପା ମତେ ଭାରି ଭଲ ପାଉଥିଲେ । ଯାହାଙ୍କ ପାଇଁ ସେ ଏତେ ସ୍ନେହ କରୁଥିଲେ, ସେ ତ ଛାଡ଼ି ଚାଲିଗଲେ, ମୋତେ ବା ସେ ପାଖରେ ରଖନ୍ତେ କାହିଁକି ? ମୋର ଯଦି ମରଣ ହୁଅନ୍ତା ଲୋ ଛାୟା, ସମସ୍ତେ ନିଶ୍ଚିନ୍ତ ହୁଅନ୍ତେ । ଖାଲି ରମୁକୁ ଥରେ ଦେଖିବାକୁ ମନ ବିକଳ ହେଉଛି । କ’ଣ ଲେଖିବି ଆଉ ?

 

ମାୟାର ମନ ସିନା କାନ୍ଦୁଛି, ଆଖିରେ ତ ଲୋତକ ନାହିଁ ।

 

ଛାୟା କହିଲା, ଆସୁ ନାହିଁ ଲେଖି ? ତୋ ଚିଠି ମୁଁ ଶେଷ କରି ଦେବି । କହୁ କହୁ ଅଧା ଚିଠି ଖଣ୍ଡ ମାୟା ହାତରୁ ନେଇ ଟିକି ଟିକି କରି ଚିରି ପକାଇଲା । ହସି ହସି କହିଲା, ଚିଠି ଶେଷ ହେଲା ତ ? କିଲୋ, ତାଙ୍କ ସଙ୍ଗେ ଆଉ ତୋର କି ସମ୍ପର୍କ ତୋଠେଇଁ ତାଙ୍କର ଆଉ କି ପ୍ରୟୋଜନ ଅଛି ? ଆସିଲୁଣି ତ ଏତେ ମାସ ହେଲା, କେହି ସେମାନେ ତୋ ମଲାହଜିଲା କଥା ପଦେ ପଚାରିଲେ କି ? ସଂସାରଟା ଏମିତି ଆପଣାସାର୍ଥିକା ଲୋ, ଅପା ।

 

ସତେ ଲୋ ଛାୟା, କିନ୍ତୁ ପ୍ରୀତି ଅପା ଏପରି ନିଷ୍ଠୁର ହେବେ ଏ କଥା ମୁଁ ସପନରେ ସୁଦ୍ଧା ଭାବିପାରି ନାହିଁ ।

 

ଗୋଟିଏ ଗୁପ୍ତ କଥା କହିବି ଅପା ?

ମନ ହେଲେ କହ, ନୋହିଲେ ନାହିଁ ।

 

ଉତ୍ତର ନ ଦେଇ ଛାୟା ଘରୁ ବାହରି ଗଲା । କିଛି ସମୟ ପରେ ଫେରିଆସି ଘର କବାଟ ବନ୍ଦକଲା । ମାୟା ହାତକୁ ଦୁଇ ଖଣ୍ଡ ଚିଠି ବଢ଼ାଇ ଦେଇ କହିଲା, ଭାଇଙ୍କଠାରୁ ଚିଠି ଆସିଥିଲା । ବୋଉ ତାକୁ ପଢ଼ିଲା, ପୁଣି ଲୁଚେଇ ଦେଲା । ମୁଁ ପଢ଼ିଲି । ଖୁସି ଖବର । ଚୋରି କରି ଆଣିଛି । ବୋଉ ଆସି ଖୋଜିବ । ଗଗନବାବୁମ, ଭାଇଙ୍କ ସାଙ୍ଗ, ସେଇ ଚିଠି ଲେଖିଛନ୍ତି । ଜଲଦି ପଢ଼ିପକା।

 

ଖୁସି ଖବରଟି ଜାଣିବାକୁ ନୁହେଁ, ସାନ ଭଉଣୀର ଆଗ୍ରହ ଓ ଆନନ୍ଦକୁ ସଜାଗ ରଖିବାକୁ ହସ ହସ ମୁହଁରେ ମାୟା ଚିଠି ଦି ଖଣ୍ଡି ଛାୟା ହାତରୁ ନେଲା ।

 

ଆଲୁଅ ତେଜି ମାୟା ପଢ଼ିଲା-

 

X X X ସେଥିକି ଚିନ୍ତା କ’ଣ ରେ ରାଜୀବ ? ବିଧୁ ପାଇଁ ଦୁଃଖ ହେବା ସ୍ୱାଭାବିକ । ସେ ଆମର ବନ୍ଧୁ ଥିଲା । ପ୍ରାଣରୁ ବଳି ତାକୁ ଭଲ ପାଉଥିଲୁଁ । ସେ ଚାଲିଗଲା, ଆମେ ତ ତା ସଙ୍ଗେ ଗୋଡ଼ାଇ ଯିବା ନାହିଁ । ମାୟା ବିଧବା, ସେଥିପାଇଁ ମୋ ମନରେ ଆଜି ତିଳେ ହୋଇ ଦୁଃଖ ନାହିଁ । ବିଧୁ ସଙ୍ଗେ ମାୟାର ବନ୍ଧୁତା ଅତି ଅଳ୍ପ ଦିନର । ହୁଏ ତ ଦୁହେଁ ଦୁହିଁଙ୍କୁ ଚିହ୍ନି ନ ଥିବେ । କିନ୍ତୁ ବନ୍ଧୁ ହିସାବରେ ବିଧୁ ଆମର ଅତି ପ୍ରିୟ । ସେ ଚାଲିଗଲା ବୋଲି ଆମେ ଦୁହେଁ ତ ଚିରକୁମାର ରହିବା ନାହିଁ । ଆମ ସଙ୍ଗେ ତାର ବନ୍ଧନ ଥିଲା ମନର, ଆତ୍ମାର । ମାୟା ସଙ୍ଗେ ତାର ବନ୍ଧନ ଥିଲା ବାହାରର। ମନର ମେଳ କି ଆତ୍ମାର ମେଳ ହେବାକୁ ବହୁତ ଡେରି ଥିଲା। ମାୟା କାହିଁକି ଗୋଟାଏ ଅଚିହ୍ନା ମନକୁ ଝୁରି ଛଟପଟ ହୋଇ ଜୀବନ କାଟିବ ?

 

XXX ଥିଲା ବିଧୁର ଆଦର୍ଶ । ସେଥିରେ ଆମେ ଏକମତ । ମାୟା ସଙ୍ଗେ ତାର ପରିଚୟ ଓ ବିବାହ ଆକସ୍ମିକ । ସେ କହେ, ଏଥିପାଇଁ ଦାୟୀ ପ୍ରୀତିଦେବୀ । ନୋହିଲେ ସେ ବିଧବା ବିବାହ କରିଥାନ୍ତା, ପୁଣି ଅନ୍ୟ ଜାତିର । ଯାହାର ଆଦର୍ଶ ଏତେ ବଡ଼, ଅବଶ୍ୟ ତୁ ଏକମତ ହୋଇ ନ ଥିଲୁ, ତାର ବିଧବା ସ୍ତ୍ରୀର କର୍ତ୍ତବ୍ୟ ନୁହେଁ କି ସେଇ ଆଦର୍ଶ ରଖିବା ? ତାର ବନ୍ଧୁର କ’ଣ ସେଇ ଆଦର୍ଶ ପୂରା କରିବା କର୍ତ୍ତବ୍ୟ ନୁହେଁ ?

 

ମାୟା ସଙ୍ଗରେ ସମ୍ବଲପୁରରେ ସେଇ ଥରଟିଏ ମୋର ଦେଖା । ଭଲ କରି ତାର ମୁହଁକୁ ମୁଁ ଅନାଇଁ ପାରିନାହିଁ। ସେ ଥିଲା ବନ୍ଧୁ ପତ୍ନୀ, ଲାଜ ଲାଜ । ବିଧୁ କଥା ଭାବିଲେ ମାୟା ମୋର ଆଖି ଆଗରେ ଠିଆ ହୁଏ । ତୁ ଯେଉଁ ସମ୍ବନ୍ଧ ପାତିବାକୁ ବସିଛୁ ସେଥିରେ ମୋର ଏତିକି ଆପତ୍ତି,-ଛାୟା କାହିଁକି ? ସମାଜର ନିୟମ ପାଇଁ ପର ଆଗରେ କହିବାକୁ ସିନା ସାହସ ହେଉ ନାହିଁ, ତୋ ଆଗରେ କହିଲେ କ୍ଷତି ନାହିଁ । ଛାୟା ପାଇଁ ଅନେକ ପାତ୍ର ମିଳିବେ । ଛାୟା ବିଧବା ଥାଉଣୁ ମୋ ବିଷୟରେ ଆଉ ଛାୟା ସମ୍ବନ୍ଧ ପକାଇବାକୁ ମୁଁ ତତେ ଅନୁମତି ଦେଇପାରିବି ନାହିଁ, ବରଂ ମାୟା ବିଷୟରେ ସମ୍ବନ୍ଧ ପକା ।

 

ମୋର ଆପତ୍ତି ନାହିଁ । ସାମାଜିକ ନିୟମ ଆମେ ଗଢ଼ିଥାଇଁ, ଯୁଗର ରୁଚି ପ୍ରକାରେ ଆମେ ବଦଳାଇବା । ଯଦି ବଦଳାଇ ନ ହୁଏ, ଯେଉଁ ସମାଜରେ ସେ ନିୟମ ବଦଳାଇବାକୁ ନ ପଡ଼ିବ, ମୁଁ ସେହି ସମାଜରେ ମିଶି ଯିବାକୁ ଚାହେଁ ।

 

ମାୟା ପ୍ରସ୍ତୁତ ତ ? ଜାଣି ଜାଣି ସେ ଯଦି ଆତ୍ମହତ୍ୟା କରିବାକୁ ଚାହେଁ ମୁଁ ସେଥିକି ନାଚାର । ମୋର ପ୍ରସ୍ତାବରେ ତମେ ଯଦି ଅମଙ୍ଗ ହୁଅ, ଛାୟା ସମ୍ବନ୍ଧରେ ଆଉ ପ୍ରସ୍ତାବ ପକାଇବ ନାହିଁ ।

 

ମୁଁ ଏଇ ବର୍ଷ ବିଲାତ ଯାଉଛି । ଦୁଇ ବର୍ଷ ପରେ ଫେରିବି । ଭାବି ସ୍ଥିର କରିବାକୁ ଦୁଇ ବର୍ଷ ସମୟ ଦେଲି । ବାପାଙ୍କୁ ତୁ ଭଲକରି ଜାଣୁ । ସେ ଆମଠାରୁ ଆହୁରି ଆଧୁନିକ । ମୋ କଥାରେ ସେ ଆପତ୍ତି କରିବେ ନାହିଁ । ବରଂ ଖୁସି ହେବେ XXX ।

 

ଆଖିରେ ପୂର୍ଣ୍ଣ ହୋଇଥିଲା ଲୁହ । ମାୟା ଆଉ ପଢ଼ିପାରିଲା ନାହିଁ । ଚିଠି ଖଣ୍ଡି ତଳେ ରଖି ଛାୟାର ମୁହୂର୍ତ୍ତକୁ ଅର୍ଥହୀନ ଆଖିରେ ଚାହିଁଲା ।

 

କାନ୍ଦୁଛୁ କାହିଁକି ଅପା ? ଭାଇ ଯେଉଁ ଉତ୍ତର ଲେଖି ବୋଉକୁ ଦେଖିବାକୁ ଦେଇଛନ୍ତି, ସେଇଟି ପଢ଼ିଲୁ ନାଇଁ ଯେ!

 

ମାୟାର ଆଖିରୁ ଛାୟା ଲୁହ ପୋଛିଲା ।

ପଢ଼ିବୁ ନାହିଁ ?

 

ତୁ ଯାଆ ଛାୟା, ଆଜି କୁମାର ପୁନେଇଁ, ଯା ତୁ । ମୋତେ ଆଉ ଅଧିକ କଷ୍ଟ ଦେ ନା । ନେଇ ଯା ଏ ଚିଠି ଦି ଖଣ୍ଡି ।

 

ମାୟା କଇଁ କଇଁ ହୋଇ କାନ୍ଦିଲା ।

 

ଅପରାଧୀ ପିଲାଟି, ପରି ଛାୟା ଚିଠି ଦି ଖଣ୍ଡି ଧରି ଧୀରେ ଧୀରେ ଘରୁ ବାହାରି ଆସିଲା ।

 

ଆଖିରୁ ଲୁହ ପୋଛି, କାହାକୁ ଚାପିରଖି ମାୟା କବାଟ କିଳିଲା । ଆଲୁଅର ଧାପ ସେ ସହି ପାରିଲା ନାହିଁ । ଆଲୁଅ କମାଇ ପଲଙ୍କ ଉପରେ ମୁହଁମାଡ଼ି ଶୋଇଲା । ନିଜ ମନର ଡାକ ପଦାକୁ ବାହାରି ସତେ କି ତାର କାନରେ ବାଜିଲା-ଛି ଛି, ଏ କି ବିଡ଼ମ୍ବନା କଥା ! ଅତି ଭଲ ପରା ସେ ଗଗନବାବୁ, ଦିଶୁଥିଲେ କେଡ଼େ ଭଦ୍ର ପରି । ଏପରି ଅନୀତି, ଅସୁନ୍ଦର, ଅପବିତ୍ର ଭାବନା କାହିଁକି ଆସିଳା ତାଙ୍କ ମନକୁ ?

 

ଅସନା ମନ ? ବିଧବା ପ୍ରତି ଦୟା ? ସହାନୁଭୂତି ? ଗୋଟାଏ ବୀରତ୍ୱ ଦେଖାଇ ବାହାଦୂରୀ ନେବେ ? କେଜାଣି, ଖାଲି ମୁହୂର୍ତ୍ତକର ଉତ୍ତେଜନା ?

 

ସେତିକି ଥାଉ । ମାୟାର ଦୁଃଖରେ ମାୟା ରହୁ । ସୁଖ ଓ ଦୁଃଖର ସ୍ମୃତି ନେଇ କଟିଯାଉ ତାର ଜୀବନ । ଯେଉଁ ଅମୂଲ୍ୟ ଉଜ୍ଜ୍ୱଳ ରତ୍ନ ସେ ବିନା ଦୋଷରେ ହରାଇଛି, ସେ ରତ୍ନ ଆଉ ସେ ପାଇବ ନାହିଁ । ଚିକିଚିକିଆ ରଙ୍ଗୀନ ଝଟକିଲା କାଚ କି ପଥର ମାୟାର ଆଉ ଲୋଡ଼ା ନାହିଁ ଗଗନବାବୁ, ସେ ତାର ହଜିଲା ଧନକୁ ଝୁରି ଝୁରି ସମୟ କାଟିବ । ତାଆରି ଛଟପଟ କାଙ୍ଗାଳିଆ ଜୀବନରେ ସବୁ ଦୁଃଖ, ସବୁ ଜଞ୍ଜାଳ ମଝିରେ ସେହି ହଜିଲା ଉଜ୍ଜ୍ୱଳ ରତ୍ନକୁ ସୁମରି ସେ ଶାନ୍ତି ପାଇବ । କିପରି ତୁମେ ବୁଝିବ କି ଅନୁଭବ କରିବ ଗଗନବାବୁ, ମାୟାର ମନ ଓ ଦେହର ପ୍ରତି ଅଣୁରେ ସେଇ ଅମୂଲ୍ୟ ନିଧିର ପରାଣ ହିଲ୍ଲୋଳ ସବୁବେଳେ ଜୀବିତ ଅଛି । ତୁମର ଆଦର୍ଶ ମାୟା ପାଖରେ ଅର୍ଥହୀନ ।

 

ଲୋଡ଼ା ନାହିଁ ତମର ଦୟା, ଗଗନବାବୁ-!

ବାପା ବୋଉ ଭାଇ କି ଉତ୍ତର ଦେବେ ? ଥରେ ପଚାରିବେ ନାହିଁ ?

କୁଆଁର ପୁନେଇ ଗୀତ କାନରେ ବାଜିଲା । ମାୟା ମୁଣ୍ଡ ଟେକିଲା, କାନ ପାରିଲା ।

 

ସମୟ ବହି ଚାଲିଲା । ମାୟାର ମନର ଉତ୍ତେଜନା ଉପରେ ସମୟ ତାର ଶୀତଳ କୋମଳ ତରଙ୍ଗ ଖେଳାଇ ଚାଲିଲା ।

 

ଅଜାଣତରେ ମାୟାର ମନ ଚହଲିଲା । ଖଣ୍ଡିଏ ଚିଠି, ତାର ମନ ଭିତରେ ଗୋଲଘାଣ୍ଟ ଲଗାଇଥିଲା, ଛାତି ଥରାଇଥିଲା । ଚିଠି କଥା ମନେ ପଡ଼ିଲେ ଆଖି ଆଗରେ ଉଭା ହୁଏ ଗୋଟିଏ ଝାପ୍‌ସା ରୂପ, ଗଗନବାବୁ ! ଯେପରି ସେ ପଚାରୁଛନ୍ତି, କ’ଣ ଠିକ୍‌ କଲ ?

 

ମନ କହେ, ଛି,ଛି-ନା, ନା-। ମୋର ଦେହ ଓ ମନ ଯେଉଁ ଦେବତାଙ୍କର ଅସରନ୍ତି ପ୍ରସାଦ ସେ ସେମିତି ରହିବ । ଅତି ଗୋପନ, ଅତି ପବିତ୍ର । କେହି ତାକୁ ଦେଖିବେ ନାହିଁ, ଛୁଇଁବେ ନାହିଁ, ଚାଖିବେ ନାହିଁ । ମୋର ସ୍ୱର୍ଗତ ଦେବତାର ସେ ନୈବେଦ୍ୟ ।

 

ମାୟା ଟ୍ରଙ୍କ ଖୋଲେ । ଛୋଟ ଫଟୋ ଖଣ୍ଡି କାଢ଼ି ନିରିଖି ଚାହେଁ । ଏହି ତାର ସ୍ୱାମୀ, ଦିନେ ସେ ଥିଲେ, ଆଜି ନାହାନ୍ତି । ଦିନେ ଯାହା ବାସ୍ତବ ଥିଲା ଆଜି ତାହା ସ୍ୱପ୍ନ । ଛୋଟ ଫଟୋ ଖଣ୍ଡି, କେତେ ସ୍ମୃତି ଲାଖି ରହିଛି ସେଥିରେ । ଗୋଟି ଗୋଟି ହୋଇ ସବୁ କଥା ମନେପଡ଼େ ।

 

ଫଟୋ ଚେଇଁ ଉଠେ, ଜୀବନ୍ତ ହୁଏ, ହସେ, କଥା କହେ-ସତେ ଗଗନ, ମାୟା କୁ ବିବାହ କରିବୁ ?

 

ଗଗନବିହାରୀଙ୍କର ଛାୟା ଦୂରେଇ ଯାଏ ।

 

କାନରେ ବାଜେ ସ୍ୱାମୀଙ୍କର ଅଶରୀରୀ ବାଣୀ, ବନ୍ଧୁର ଆଦର୍ଶ ! ଆତ୍ମହତ୍ୟା କରିବ ମାୟା ? କ’ଣ ଠିକ୍‌ କଲ ? ପ୍ରସ୍ତୁତ ?

 

ମାୟା ଆହୁରି ନିରେଖି ଚାହେଁ ସ୍ୱାମୀଙ୍କର ଫଟୋଟିକୁ । ଆଖିରେ ଲୁହ ଆସେ । ଫଟୋଟିକୁ ଟେକେ । ଚୁମ୍ବନ ଦିଏ । ଯୈାବନ ଉଚ୍ଛଳ ଦେହଟି ପୁଲକି ଉଠେ । ଲୋମ ଟାଙ୍କୋରି ଉଠେ । ଚୁମ୍ବନ ଦିଏ । ରକ୍ତରେ ଛୁଟେ ବିଜୁଳି, ଦୋହଲି ଉଠେ ସ୍ନାୟୁ । ଦୀର୍ଘଶ୍ୱାସ ଛୁଟେ । ବିଚଳିତ ହୋଇ ଚାରିଆଡ଼କୁ ପକାଏ ଆକୁଳ ବିକଳ ଦୃଷ୍ଟି । କେହି ନାହିଁ ତ ! ଚୁମ୍ବନ କରେ, ନିରେଖି ଚାହେଁ-। ଛାତିରେ ଜାକିଧରେ ସେଇ ନିର୍ଜୀବ ଫଟୋଟି । ଦେହ ଥରିଉଠେ । ଆଖି ମୁଦି ହୋଇଯାଏ ।

 

ତୁମେ ହିଁ ତ ଦେହ ଓ ମନରେ ଜଳାଇଥିଲ ଏଇ ଅସରନ୍ତି ମୂର୍ଚ୍ଛାଳିଆ ତେଜିଲା ନିଆଁ । ଲିଭି ନାହିଁ । ତୁମେ ନାହଁ, ତୁମେ ଆସିବ ନାହିଁ, ଚିରଦିନ ପାଇଁ ତୁମେ ବିଦେଶୀ ।

 

ମାୟା ଫଟୋଟି ପୁଣି ଟ୍ରଙ୍କରେ ରଖେ ।

ଦୁଇ ଭଉଣୀ ଏକାଠି ଶୁଅନ୍ତି ।

 

ରାତି ଅଧଯାଏ କେତେ ଆଡ଼ର ଗପ ପଡ଼ିଲା । ହସ କଥା, କେଉଁଠୁ ଆରମ୍ଭ ହୁଏ ପୁଣି କେଉଁଠି ସରେ । ଡାଳ ପତ୍ର ମେଲିଯାଏ । ଅଛିଣ୍ଡା । ହସି ହସି ନୟାନ୍ତ ହୁଅନ୍ତି ଭଉଣୀ ଦିହେଁ । ଅତୀତ ଫେରିଆସେ । ଦୁଇଟି ଫୁଲ ଗୋଟିଏ ଡାଳରେ । କାଲି ଯେମିତି, ଆଜି ବି ସେମିତି ।

 

ସ୍ୱାମୀର ଫଟୋ ଟ୍ରଙ୍କ ଭିତରେ ବନ୍ଦ ହୋଇ ରହିଥାଏ । ଖୋଲି ଦେଖିବାକୁ, ଦେଖି ମନେ ପକାଇବାକୁ, ଦୁଃଖ କରିବାକୁ ମାୟା ଭୁଲିଯାଏ । ହସେ, ଖେଳେ, ଉପନ୍ୟାସ ପଢ଼େ, ସ୍ୱପ୍ନ ଦେଖେ ।

 

ସମସ୍ତେ ଏହି ପରିବର୍ତ୍ତନ ଦେଖନ୍ତି । ଜାଣିପାରନ୍ତି ନାହିଁ, କାହିଁକି । ଦୁନିଆ ଏମିତି ଚାଲିଛି ।

 

ପଢ଼ିବୁ ଅପା ଭାଇଙ୍କ ଚିଠି ? ଛାୟା ପଚାରିଲା ।

ମାୟା କହିଲା, ଥାଉ ।

•••

 

ଚଉଦ

 

ସୁନ୍ଦରପୁରଠୁଁ କଲ୍ୟାଣପୁର ବେଶି ଦୂର ନୁହେଁ । ଗୋବିନ୍ଦବାବୁଙ୍କର ଗୋଟିଏ ଝିଅ, ତା ନାମ ସଖୀ । ସତେ ସଖୀ କଣ୍ଢେଇଟିଏ । ମାୟାଠୁଁ ସାନ, ଛାୟାଠୁଁ ବଡ଼ । ଦୁଇ କୁଟୁମ୍ବର ଘନିଷ୍ଠତା ଥିଲା । ଗୋବିନ୍ଦବାବୁ ସୋମନାଥବାବୁଙ୍କୁ ଡାକୁଥିଲେ ସମୁଦି । ପିଲାଦିନୁ । ସମୁଦି ହେବାର ବେଳ ଆସିଲା । ଗୋବିନ୍ଦବାବୁ ସମ୍ବନ୍ଧ ପକାଇଲେ ।

 

ରାଜୀବ ଆଉ ସଖୀ କେଡ଼େ ସୁନ୍ଦର ଦିଶିବେ । ରାଜଯୋଟକ । ଦବା ନବା କଥା ପଡ଼ିବ କାହିଁକି ? ଦୁଇଟା ଘର ଗୋଟାଏ ହେବ । ସମସ୍ତେ ରାଜି । ଖାଲି ରାଜୀବକୁ ତରେ ପଚାରିବାର ଥିଲା । ଗୋପାଳ ନନା ରାଜୀବର ଗାଁ ସାଙ୍ଗ । ତାଆରି ହାତରେ ଚିଠି ଲେଖେଇଥିଲେ-। ସେହି ଚିଠିର ଉତ୍ତର ଆସିଛି ।

 

ଛାୟା କହିଲା, ସଖୀକି ବାହା ହେବାକୁ ଭାଇ ମନା କରିଛନ୍ତି । ସେଇ ଚିଠି ।

 

ମାୟା ଆଶ୍ଚର୍ଯ୍ୟ ହୋଇ ପଚାରିଲା, କାହିଁକି ଲୋ ? ସଖୀ ତ ଭାରି ଭଲ, କେଡ଼େ ସୁନ୍ଦର । ପିଲାଦିନୁ ସେ ଆମ ନୂଆବୋହୂ । ଭାଇ ମଙ୍ଗ ନାହାନ୍ତି କାହିଁକି ? ମୁଁ ତାଙ୍କୁ ଲେଖିବି ।

 

ଆଗ ଚିଠି ପଢ଼ ।

 

ମାୟା ଛାୟା ହାତରୁ ଚିଠି ନେଲା । ଛାୟା ପାଣି ପିଇବା ବାହାନାରେ ଘରୁ ବାହାରିଗଲା ।

 

ମାୟା ଚିଠି ପଢ଼ିଲା–

 

X X ଦେଖ ଗୋପାଳ, ମୁଁ ଏହା ସହି ପାରିବି ନାହିଁ । ଆମ୍ବତୋଟାରେ ତୁ କ’ଣ କହୁଥିଲୁ, ମନେ ପକାଇ ଦେଉଛି । ତୋଓରି ଭଉଣୀ ତାରା, ବ୍ରାହ୍ମଣଘର, ପିଲାଦିନୁ ବାହା କରେଇ ଦେଇଥିଲ । ତୋର ସ୍ତ୍ରୀ ଘରକୁ ଆସିଲା, ତାରା ହେଲା ବିଧବା । ଏ ଘରେ ହସି ହସି ସ୍ତ୍ରୀକୁ ତୁ ଗେଲ କଲାବେଳେ ସେ ଘରେ ତୋରି ସାନଭଉଣୀ, ସ୍ୱାମୀ କ’ଣ ନ ଜାଣି ମଧ୍ୟ ଆଖି ଲୁହରେ ଘର ଭସାଇ ଥିଲା । ସହିପାରିଲୁ କି ? ସମାଜର ବିରୁଦ୍ଧରେ ଠିଆହୋଇ ତାରାକୁ ପୁଣି ବାହା କରେଇଲୁ ତ । ତାରାର ପୁଅ ହେଇଛି ଶୁଣି ଖୁସି ହେଲି । ଗାଁଆକୁ ଆସିଛି ? ଗାଁକୁ ଗଲେ ଆଗ ତା ପୁଅକୁ ଗେଲକରିବି ।

 

XX ଆରେ ଗୋପାଳ ମାୟା ମୋର ସାନଭଉଣୀ । କେମିତି ସହିବି ତାର ଦୁଃଖ ? ପିଲାଟି ଦିନୁ କୋଳରେ କାଖରେ ବଢ଼ାଇ ଆଣିଛି । ଗେଲ କରିଛି । ମାୟାର ମୁଣ୍ଡରେ ପୁଣି ସିନ୍ଦୂର ନ ଲାଗିବାଯାଏ କୌଣସି ଅପ୍‌ସରାର ମୁହଁକୁ ଚାହିଁ ମୁଁ ହସି ପାରିବି ନାହିଁ । ପ୍ରେମ, ସେଇଟା ତ ଦୂରର କଥା । ବୋଉକୁ କହିବୁ, ଗୋବିନ୍ଦବାବୁଙ୍କୁ ଅନ୍ୟ ପାତ୍ର ଦେଖିବାକୁ ଖବର ପଠାଇବ।

 

X X ଗଗନର ଚିଠି ଖଣ୍ଡି ପଢ଼ି ବୋଉକୁ ଦେବୁ । ମୋର ଆଗ ଚିଠିର ଜବାବ ସେ ଦେଇ ନାହାନ୍ତି । ବାପା ବୋଉ ସମାଜକୁ ଡରି ତୁନି ରହିଛନ୍ତି । କେତେ ଦିନ ତୁନି ରହିବେ ଦେଖିବି X X

 

ଚିଠି ବନ୍ଦ କରି ମାୟା ଏଣେ ତେଣେ ଚାହିଁଲା । ଭାଇର ଚିଠି, ଭାଇର ସ୍ନେହ, ପୁଣି ଅବୁଝା କଥା । ସମାଜ କଥା ସେ ଲେଖିଲେ । ମାୟାର କଥା ସେ ଲେଖିଲେ ନାହିଁ । ସମାଜ ମଙ୍ଗିଲେ ମାୟା ଯେପରି ମଙ୍ଗିବ । ସେତ କି ସେ କାଲିକାର ପିଲା, କେବଳ କଥା ମାନିବା ହିଁ ତାର କର୍ତ୍ତବ୍ୟ । ଆଉ ତାର କିଛି କହିବାର ନାହିଁ ।

 

ଭାଇର ସ୍ନେହ, ଭାଇର ଅଧିକାର, ଭାଇର ଆଦେଶ ପୁଣି ଆଦର୍ଶ ! ଭାଇ-!

ଆଖି ଛଳ ଛଳ ହେଲା ।

ଛାୟା ଧାଇଁ ଧାଇଁ ଆସିଲା ।

ପଢ଼ିଲୁ ଅପା ?

ମାୟା ତୁନି ରହିଲା ।

 

ଛାୟା ଚିଠି ଖଣ୍ଡି ମାୟା ହାତରୁ ନେଲା । ଆଉ ଖଣ୍ଡେ ଚିଠି ବଢ଼ାଇ ଦେଇ କହିଲା, ପଢ଼-

 

ମାୟା ପଢ଼ିଲା–

 

X X ତର୍କ ନୁହେଁ, ସତ କଥା । ଯାହା ମୁଁ ଠିକ୍‌ ମନେକଲି ଲେଖିଲି । ଯଦି ତୁ ଏକମତ, ଛାୟାର ପ୍ରସ୍ତାବ କାହିଁକି, ମାୟାର ପ୍ରସ୍ତାବ ପକା, ମୋରି ପାଖରେ । ଲେଖିଛୁ, ବାପା ବୋଉଙ୍କ ପାଖରୁ ଉତ୍ତର ପାଇବୁ, ବୋଧହୁଏ ସେ ଅମତ । ସମାଜକୁ ଡରୁଛନ୍ତି । କେଉଁଟା ଠିକ୍‌ ? ଯଦି ସେମାନେ ଅମତ, ତେବେ ମୋର କିଛି କହିବାର ନାହିଁ । ଯେଉଁ ନିର୍ଦ୍ଦୟ ବାପମା ଜାଣି ଜାଣି ପେଟର ପିଲାକୁ କଲବଲ କରି ମାରିବାକୁ ଚାହାଁନ୍ତି, ତାଙ୍କ ସମ୍ବନ୍ଧରେ ମୋର ମନ୍ତବ୍ୟ ଦେବାର କିଛି ନାହିଁ । ଯଦି ସମାଜକୁ ଡରୁଥାନ୍ତି, ତେବେ ମୋର କହିବାର ଅଛି । ସମାଜ ଆମେ ଗଢ଼ିଛୁ, ଆମେ ସୁଧାରିବା । ମାୟାର ମତାମତ କଥା ଲେଖିଥିଲୁ, ସେଇଟା ଅବଶ୍ୟ ବଡ଼ କଥା । ସେଥିରେ କାହାର କିଛି କହିବାର ନାହିଁ। ମତାମତ ଯେଉଁମାନଙ୍କର ବୁଝିବାର ଦାୟିତ୍ୱ, ସେମାନେ ସବୁ ତାକୁ ବୁଝାଇ ଦିଅନ୍ତୁ–

 

X X ସତୀ ! ଦ୍ୱିତୀୟ ସ୍ୱାମୀକୁ ସ୍ନେହ, ଭକ୍ତି କରି ସଂସାର ସୁନ୍ଦର କଲେ ସତୀତ୍ୱର ହାନି ହେବ ନାହିଁ । ଅନୁରକ୍ତିରେ ଆଞ୍ଚ ଆସିବ ନାହିଁ । ପ୍ରଥମ ସ୍ୱାମୀଙ୍କର ସ୍ମୃତି ମନରୁ ପୋଛିଦେବା ସତୀତ୍ୱର ଲକ୍ଷଣ ନୁହେଁ । କିଏ ବା ପୋଛିଦେଇ ପାରିବ ? ଦୁନିଆ ଆଗରେ, ଦ୍ୱିତୀୟ ସ୍ୱାମୀ ଆଗରେ, ପ୍ରଥମ ସ୍ୱାମୀର ସ୍ମୃତିକୁ ପୂଜା କରିବା ନିର୍ମଳ ମନ, ସାହସ ଓ ସତୀତ୍ୱର ପରିଚୟ ଦେବ-। ସେଥିରେ ଦ୍ୱିତୀୟ ସ୍ୱାମୀର ଗର୍ବ କରିବାର କାରଣ ରହିବ ! XX

 

ଛାୟା ତାର ଅପା ହାତାରୁ ଚିଠି ଖଣ୍ଡି ଟାଣିନେଇ ହସିଲା ।

ହସିଲୁ କାହିଁକି ?

ଭାରି ଈର୍ଷା ହେଉଛି ଅପା !

କାହିଁ କି ଲୋ ?

ଗଗନବାବୁ ତତେ ଭଲ ପାଆନ୍ତି ।

ଚୁପ୍ ।

ମାୟା ଛାୟାର ଗାଲରେ ଧୀର ଚାପୁଡ଼ା ମାରିଲା ।

 

ନିରୋଳା ବେଳରେ ମାୟା ଭାବିଲା, ଗଗନବାବୁ ଯାହା ଲେଖିଛନ୍ତି ତାହା କ’ଣ ତାଙ୍କ ମନର କଥା ? ସତେ ଯଦି ହୋଇଥାଏ, କେଡ଼େ ଉଦାର ସେ, କେଡ଼େ ମହାନ୍‌! ମନରେ ଘୃଣାଭାବ ନାହିଁ, ଦ୍ୱିଧା ନାହିଁ । ତାଙ୍କୁ ପାତ୍ରର ଅଭାବ ନାହିଁ । ସୁନ୍ଦର, ସ୍ୱାସ୍ଥ୍ୟାବାନ, ହସ ହସ, ମିଷ୍ଟଭାଷୀ, ବିଦ୍ୱାନ । କେଡ଼େ ଭଦ୍ର, କେଡ଼େ ସ୍ନେହୀ । ଥରଟିଏ ସେ ତାଙ୍କୁ ଦେଖିଛି। ଭୁଲି ହେଉନାହିଁ । ସେ ବି ମାୟାକୁ ଦେଖିଛନ୍ତି ଥରଟିଏ । ତାଙ୍କ ଆଖିରେ କ’ଣ ମାୟା ସୁନ୍ଦର ? ଭୁଲିପାରି ନାହାନ୍ତି ?

 

ମାୟା ଟେବୁଲ ଉପରେ ରଖା ହୋଇଥିବା ଆଇନା ଧରି ନିଜକୁ ନିଜେ ଦେଖିଲା । ହଁ, ଭାଗ୍ୟ ସିନା ପୋଡ଼ିଛି, ରୂପେ ତ ପୋଡ଼ିଜଳି ଯାଇନାହିଁ । ଆଗପରି ଝଟକୁଛି । ସେଇ ରୂପଟା ପାଇଁକି ? ଛି-ଛି ।

•••

 

ପନ୍ଦର

 

ସୋମନାଥ ବାବୁଙ୍କର ପୁରୀ ବଦଳିହେଲା । ଗାଁକୁ ଆସି ମୋଟେ ଦୁଇ ଦିନ ରହିଲେ ।

 

ରଜନୀ ଦେବୀ ନିରୋଳାରେ କହିଲେ, ଦେଖୁଛ ରାଜୀବର ଢ଼ଙ୍ଗ । ଗଗନର ଚିଠି ତ ପଢ଼ିଛ । ଆଜିକାଲିକା ପିଲାଙ୍କର ସ୍ୱଭାବ କଅଣ ହେଲା ସତେ ! ଯାହା ବୁଝି ଥୁବେ ସେଇଆ । କୁହାର ବୋଲର ନୁହନ୍ତି । ଅକଥାକୁ କଥା କରିବାକୁ ତାଙ୍କର ମନ ।

 

ସୋମନାଥ ବାବୁ କହିଲେ, ତାଙ୍କରି ତ ଯୁଗ, ଯାହା ସେମାନେ କହିବେ ସେଇଆ କରିବେ । ଯାହା କରିବେ ସେଇୟା ହେବ । ଆମକୁ ତାଙ୍କରି କଥା ମାନି ଚଳିବାକୁ ପଡ଼ିବ । ନାକରା କଥା ତ କହୁନାହାନ୍ତି । ଆମ ମନ ଯାହା ଚାହୁଁଛି ସେଇ କଥା ସେମାନେ କହୁଛନ୍ତି । ଲୋକନିନ୍ଦାକୁ ଆମେ ଡରୁଛୁ । ସେମାନେ ଡରୁ ନାହାନ୍ତି । ଏତିକି ପ୍ରଭେଦ ।

 

କ’ଣ କରିବା ?

ଅପେକ୍ଷା କର, ଭାବ, ମାୟାର ମନକଥା ବୁଝ ।

 

ବୁଝିବାକୁ ମୁଁ କେବେ ଚେଷ୍ଟା କରି ନାହିଁ । ଦରକାର ମଣି ନାହିଁ । ଘରେ ଝିଅଟାଏ ସେ କାରବାର ହେଉଛି, କେହି ତାର ଛାଇ ଦେଖୁନାହିଁ । ସେଇ କ’ଣଘରେ ସେ ଥାଏ । ଡାକିଲେ ଆସେ । ପଚାରିଲେ, ପଦେ ଅଧେ କହିଦେଇ ଚାଲିଯାଏ । ତା ପାଖକୁ ଗଲେ ସେମିତି ସେ ତୁନି ରହେ । ମୁହଁ ଟେକି କଥା କହେ ନାହିଁ । କୁଆଡ଼କୁ ବୁଲି ଯିବାକୁ କହିଲେ ମନା କରେ । ସେଇ ଝିଅ, କାଲି ଥିଲା କ’ଣ, ଆଜି ହୋଇଛି କ’ଣ ?

 

ରଜନୀଦେବୀଙ୍କର ଆଖି ଲୁହ ଢ଼ଳ ଢ଼ଳ ହେଲା ।

ସୋମନାଥବାବୁ କହିଲେ, ମୁଁ ବି ସେଇଆ ଦେଖୁଛି ।

ଛାୟା ଆସି ପାଖରେ ଠିଆ ହେଲା ।

 

ବାପ ମା ଦୁହେଁ ଚମକି ଉଠିଲେ । ଛାୟାର ହାତରେ କାଚ ନାହିଁ, ବେକରେ ହାର ନାହିଁ, କାନରେ ଫୁଲ ନାହିଁ ।

 

ଏ କ’ଣ ଛାୟା ?

ଛାୟା ହସୁଛି ।

ହସୁଛୁ କାହିଁକି ?

ଅପାକୁ ନାଇ ଦେଇଛି ।

ଏଁ– !

 

ହଁ ଲୋ, ଦି ପହରଟା, ସେ କୁମ୍ଭକର୍ଣ୍ଣ ପରି ଶୋଇଛି । ସବୁ ଗହଣା ପିନ୍ଧେଇ ଦେଲି ତଥାପି ତା ନିଦ ଭାଙ୍ଗିଲା ନାହିଁ ।

 

ଛି, କେମିତି ଦିଶୁଛୁ ତୁ ?

 

ଅପା ଏମିତି ଦିଶୁଥିଲା ବୋଉ, ସେଥିପାଇଁ ସେ ଘରୁ ପଦାକୁ ଗୋଡ଼ କାଢ଼େ ନାହିଁ । ବାପା,–

 

ସୋମନାଥବାବୁ ତା ମୁହଁକୁ ଚାହିଁଲେ ।

ମୋ ପାଇଁ ନୂଆ କାଚ, ନୂଆ ହାର ଆଣିଦେବ । ମୁଁ ସେ ପୁରୁଣା ଚିଜ ପିନ୍ଧିବି ନାହିଁ ।

ହଉ, କିଣିଦେବି ।

 

ବାକ୍‌ସ ଖୋଲି କାଚ ଚାରିପଟ ଓ ହାରଟିଏ ଆଣି ରଜନୀଦେବୀ ଛାୟାକୁ ନାଇଦେଲେ-। କହିଲେ, ବାପା ନୂଆ ଗହଣା ଆଣିବା ଯାଏ ଏଇଆକୁ ନାଇ ଥା । ଏଡ଼େ ବଡ଼ ଝିଅ ହେଲୁଣି, ତୋର ଟିକିଏ ବୁଦ୍ଧି ସୁଦ୍ଧି ହେଲା ନାହିଁ, ହାତ ଲଙ୍ଗଳା କରିଛୁ ?

 

ଦେଖିବୁ ଆ ବୋଉ, ଅପା କେଡ଼େ ସୁନ୍ଦର ଦିଶୁଛି ।

ଛାୟା ରଜନୀଦେବୀଙ୍କର ହାତ ଟାଣିଲା ।

 

ମାୟାର ନିଦ ଭାଙ୍ଗିଲା । ଅଡ଼ୁଆ ଲାଗିବାରୁ ସେ ଉଠି ବସିଲା । କାନ୍ଥ ମଝିରେ ଟଙ୍ଗା ହୋଇଥିବା ଆଇନାରେ ନଜର ପଡ଼ିଲା । ଚମକି ଉଠିଲା । ବୁଝିଲା, ଏ ସବୁ ଛାୟାର କାଣ୍ଡ । ପଲଙ୍କରୁ ଉଠି ତଳେ ଠିଆହେଲା । ଅଇନାରେ ନିଜକୁ ଚାହିଁ ଆଚମ୍ବିତ ହେଲା । ନିଜର ପ୍ରତିବିମ୍ବ ତାକୁ ଉପହାସ କରୁଛି । ସେ ଅସ୍ଥିର ହେଲା । ଦୁନିଆଁର ଲୋକେ ସତେ କି ତାରି ଆଡ଼କୁ ଆଙ୍ଗୁଠି ଦେଖାଇ ହସୁଛନ୍ତି । ସବୁ ବିଘଟଣ, ସବୁ ବିଡ଼ମ୍ବନା ! ନା, ନା, ଏସବୁ ତାର ଲୋଡ଼ା ନାହିଁ । ସେ ବିଧବା !

 

କାଚ କାଢ଼ିବାକୁ ହାତ ଚଳିଲା ନାହିଁ । ମନ ଥରିଉଠିଲା । କେତେ କଥା ମନେପଡ଼ିଲା । ଆଖି ଆଗରେ ଠିଆହେଲା ଦୁଇଟି ରୂପ–ବିଧୁଭୂଷଣ, ପୁଣି ଗଗନବିହାରୀ । ଦିହେଁ ହସ ହସ ।

 

କାନରେ ଯେପରି କିଏ କହିଲା–ଆସୁ ନା, ନୂଆଉ ଶୋଇଲେଣି । ପୁଣି ଯେପରି କିଏ ବଡ଼ ପାଟି କରି କହି ଉଠିଲା–ବନ୍ଧୁର ଆଦର୍ଶ, ଛାୟା ବିଷୟରେ କାହିଁକି, ମାୟା ବିଷୟରେ ସମ୍ବନ୍ଧ ପକା । ସବୁରି ପଛରେ ପ୍ରୀତି, କାନ୍ଦି କାନ୍ଦି ଆଖି ଫୁଲିଛି। ନାକ ଫୁଲେଇ କହୁଛନ୍ତି, ଅଲକ୍ଷଣୀ !

 

ଭାବନାର ତୀବ୍ରତା ସହିପାରିଲା ନାହିଁ । ନା, ଏ ସବୁ ତାର ଲୋଡ଼ା ନାହିଁ ? ବନ୍ଧନ, ବୋଝ, ଉପହାସ । ଯାଉ, ଲୋଡ଼ା ନାହିଁ ।

 

ଗୋଟାଏ ହାତରେ ଆର ହାତରୁ କାଚ ଉତାରିବାକୁ ଲାଗିଲା । ଦୁଇ ଆଖିରେ ଢ଼ଳ ଢ଼ଳ ଲୁହ । ହାତ ଥରିଉଠୁଛି । ମନଗହନରେ ଠିଆହୋଇ ଗଗନ ଅନୁରୋଧ କରୁଛନ୍ତି, ଥାଉ ଥାଉ, କେଡ଼େ ସୁନ୍ଦର ଦିଶୁଛି । ତାଙ୍କ ପଛରେ ଠିଆ ହୋଇଛନ୍ତି ତାର ସ୍ୱାମୀଦେବତା, ହସ ହସ ମୁହଁ । ସତେ କି ସେ ବି କହି ଉଠୁଛନ୍ତି, ଥାଉ, ଉତାର ନାହିଁ, ବସନ ପରି ଭୂଷଣ ପରି ବି ଦେହର ଆବରଣ । ମନକୁ ତ ମତେ ସମର୍ପି ଦେଇଛ, ଦେହଟା ଦୁନିଆରେ ଆତଯାତ ହେଉଛି, ତାକୁ ଅବହେଳା କରୁଛ କାହିଁକି ? ପଛରୁ ଡାକ ଛାଡ଼ିଛନ୍ତି ପ୍ରୀତି, ଉତାର ସେ ଗହଣା, ତୁ ବିଧବା ତୁ ଅଲକ୍ଷଣୀ–

 

ଅପା !

 

ଚମକି ଉଠିଲା ମାୟା । ତାର ଦୁଇ ହାତ ଧରି ହସି ହସି ଛାୟା କହିଲା, ଦେଖିଲୁ ବୋଉ, ଅପା ମୋର ଲକ୍ଷ୍ମୀ ପରି ଦିଶୁ ନାହିଁ କି ?

 

ରଜନୀଦେବୀଙ୍କ ଓଠରେ ହସ, ଆଖିରେ ଲୁହ !

ମାୟା ତଳକୁ ଚାହିଁଲା ।

 

ରଜନୀଦେବୀ ଦୁଇ ଝିଅଙ୍କୁ ଛାତିକୁ ଆଉଜାଇ ନେଲେ । ମନ କହିଲା, ମାୟା ମୋର ଲକ୍ଷ୍ମୀ, ଆଉ ଛାୟା ଯେ ସରସ୍ୱତୀ– !

 

ସେଇଦିନ ପାହାନ୍ତାରେ ସୋମନାଥବାବୁ ପିଲାକୁଟୁମ୍ବ ସଙ୍ଗରେ ଘେନି ପୁରୀ ଚାଲିଗଲେ ।

 

ପୁରୀରେ–

 

ଭଉଣୀ ଦିଓଟି କେଡ଼େ ଆନନ୍ଦରେ ଥାଆନ୍ତି । ରାଜୀବଲୋଚନ କଟକରୁ କେବେ କେମିତି ଗଲେ ମାୟା ଓ ଛାୟା ଦିହେଁ ଆସି ଅଳି କରନ୍ତି । ଭାଇ ମୁହଁରୁ କେତେଆଡ଼ର କେତେ ଗପ ଶୁଣନ୍ତି । ସମସ୍ତେ ଭୁଲିଯାଆନ୍ତି ସେ ମାୟାର ଜୀବନରେ ଦିନେ ଗୋଟିଏ ପରିବର୍ତ୍ତନ ଆସିଥିଲା । ସପନ ପରି ଲାଗେ । ସପନ କଥା କେହି କେବେ କାହାରିକୁ କହନ୍ତି ନାହିଁ ।

 

ରାଜୀବ କହନ୍ତି, ମାୟାଟା ଗୋଟାଏ ହୁଣ୍ଡୀ, ଏଇଟା କ’ଣ ଗଗନକୁ ବାହାହେବ ? ଗଗନ ବିଲାତ ଯିବ । ସାହାବ ହୋଇ ଆସିବ । ମାୟା ତ କିଛି ପଢ଼ିଲା ନାହିଁ ।

 

ଛାୟା କହେ, ତମେ ଜାଣ ନାହିଁ ଭାଇ, ଅପା ଲୁଚେଇ ଲୁଚେଇ ଫାଷ୍ଟ ବୁକ୍‌ ପଢ଼ୁଛି ।

ମାୟା ଆକଟି କହେ, ଚୋପ୍‌, ଦୁଷ୍ଟ ।

 

ଚୋପ୍‌ କ’ଣ ? ପଢ଼ନ୍ତୁ ? ହଁ ଭାଇ, ଘୋଡ଼ା ଲେସନ୍‌ ଯାଏ ପଢ଼ିଲାଣି । ଆଚ୍ଛା ଭାଇ ଅପା ତ ଗାଉନ୍‌ ପିନ୍ଧି ଶିଖିଲା ନାହିଁ । ଗମ୍ଭୀର ହୋଇ ରାଜୀବଲୋଚନ କହିଲେ, ସତେ ତ, ତାକୁ ଶିଖିବାକୁ ପଡ଼ିବ ।

 

ମାୟା ଉଠିଯିବାକୁ ବସିଲା ।

ରାଜୀବ କହିଲେ, ଯାଉଛୁ କୁଆଡ଼େ ? ବସ !

ଛାୟା କହିଲା, ସେ ଫାଷ୍ଟବୁକ୍‌ ଆଣିବାକୁ ଯାଉଛି ।

ମାୟା କହିଲା, ମରୁନୁ ତୁ ।

ମାୟା ମୁଡ଼ୁକେଇ ହସି ଛାୟାର ପିଠିରେ କଅଁଳ ଚାପୁଡ଼ା ମାରିଲା ।

 

ଛାୟା କହିଲା, ମାରୁ ଥା, ସବୁ ଲେଖି ରଖୁଛି । ସାହାବ ହେଇ ଆସନ୍ତୁ ପଛେ ତୋ ଗଗନବିହାରୀ, ବନ୍ଦାପନାବେଳେ ତାଙ୍କରି ପିଠିରେ ସବୁ ସୁଝେଇବି ରହ, ସୁଧ ମୂଳ ସବୁ ।

 

ତୁ ଭାରି ଦୁଷ୍ଟ ଛାୟା ।

ମୁଁ ନା ତୁ ?

 

ରାଜୀବଲୋଚନ ବାପ ମାଆଙ୍କ ଆଗରେ କହିଲେ, ଗଗନ ଲେଖିଥିଲା, ତାର ବାପାଙ୍କର ଆପତ୍ତି ନାହିଁ । କେବଳ ଲୋକ ନିନ୍ଦାକୁ ଡରୁଛନ୍ତି । ଗଗନ ବିଲାତ ଯିବ । ସେ ଫେରୁ । ସେ ତ ଖୁସି । ବାପା ଯେତେବଳେ ମଙ୍ଗିଛନ୍ତି ଲୋକନିନ୍ଦାକୁ ପଚାରେ କିଏ? ସେ ମାନିବ ନାହିଁ ।

 

ସୋମନାଥ ବାବୁ କହିଲେ, ଚନ୍ଦ୍ର ଭୂଷଣ ବାବୁଙ୍କର ଅନୁମତି ଲୋଡ଼ିଲେ ଭଲ ହୁଅନ୍ତା । ସେ ଏଯୁଗର ପିଲା । ମୁଁ ଭାବୁଛି, ରାଜି ହେବେ ।

 

ତାଙ୍କର ଅନୁମତି ଲୋଡ଼ିବା କାହିଁକି ? ବିଧୁ ଚାଲିଗଲା ଦିନୁ ତାଙ୍କ ଘରୁ ଆମର ସମ୍ପର୍କ ତୁଟିଛି । ବାପା, ଯେଉଁଦିନ ମାୟାକୁ ମୁଁ ତାଙ୍କ ଘରୁ ଆଣିଲି ପ୍ରୀତିଦେବୀ ଯାହା କହିଲେ ବଞ୍ଚିଥିବା ଯାଏ ମୁଁ ଭୁଲିପାରିବି ନାହିଁ । ଏଡ଼େ ନିଷ୍ଠୁର ସେ । ସେଇଦିନ ସେ ମାୟାଠାରୁ ସବୁ ସମ୍ବନ୍ଧ ଛିଣ୍ଡାଇଦେଲେ । ଥରଟିଏ ସେ ଭାବିଲେ ନାହିଁ, ବିଧୁ ତାଙ୍କର ଦିଅର ସିନା, ବିଧୁ ହତଭାଗିନୀ ମାୟାର ସ୍ୱାମୀ । ଦୁଃଖଟା କାହାର ଅଧିକ ?

 

ଦୁଃଖ ଦୁର୍ଦ୍ଦଶା ସହସା ଆସିଲେ, ଅବା ମଣିଷ କୌଣସି କାରଣରୁ ହଠାତ୍ ଉତ୍ତେଜିତ ହୋଇ ପଡ଼ିଲେ, ତାର ତୁଣ୍ଡରୁ ଯେଉଁ ଭାଷା ବାହାରେ ସେ ଭାଷା ତାର ମନର ଭାଷା ନୁହେଁରେ ବାପ, ପ୍ରୀତି ଏବଯାଏ ଅନୁତାପ କରୁଥିବ ।

 

ରାଜୀବ କହିଲା, ତା ହୋଇଥିଲେ ପ୍ରୀତିଦେବୀ କି ଚନ୍ଦ୍ରବାବୁ ଆଜିଯାଏ ତୁନି ରହିଥାନ୍ତେ କାହିଁକି ? ଭଲ ମନ୍ଦ ପଚାରି କେହି ଖଣ୍ଡେ ପତ୍ର ବି ଲେଖିନାହାନ୍ତି । ସେମାନଙ୍କ ଲେଖାରେ ବିଧୁ ସଙ୍ଗେ ସଙ୍ଗେ ମାୟାର ବି ମରଣ ହୋଇଛି । ସେଇଆ ସେମାନେ ଚାହାନ୍ତି ବାପା, ନୋହିଲେ ମାୟା ପୈତୃକ ସମ୍ପତ୍ତିରୁ ଭାଗ ପାଇବ ଯେ !

 

ଯେତେ ଯାହା ହେଲେ ମାୟା ତାଙ୍କର କୁଳବଧୁ ।

 

ସେମାନେ ଏ କଥା ଭୁଲିଛନ୍ତି । ଆମର ମନେ ପକାଇଦେବା ଲୋଡ଼ା ନାହିଁ । ମାୟା ମୋର ଅଭିଆଡ଼ୀ ଭଉଣୀ। ତାର ବାହାଘର ହେବ ।

•••

 

ଷୋହଳ

 

ଟେଲିଗ୍ରାମ୍ ପାଇ ରାଜୀବଲୋଚନ କଟକରୁ ପୁରୀ ଆସିଲେ । ଛାୟାକୁ ହଇଜା ଧରିଛି-। ବାହୁଡ଼ା ରଥ ବଡ଼ଦାଣ୍ଡରେ ଚାଲିଛି । ଯେତେ ଚେଷ୍ଟା କଲେ ହେଲାନାହିଁ । ଛାୟା ସମସ୍ତଙ୍କୁ କନ୍ଦାଇ ସେପୁରକୁ ଚାଲିଗଲା । ମୋଟେ ଦୁଇଟି ଦିନ ସେ ଭୋଗିଛି ।

 

ବିପଦି ଧୈର୍ଯ୍ୟ ! ଯେ ଯାଏ ସେ ଆଉ ବାହୁଡ଼େ ନାହିଁ । ଅତି ପୁରୁଣା କଥା, ସମସ୍ତେ ଜାଣନ୍ତି । ବ୍ୟତିକ୍ରମ ହେଲା ଏଇଠି । ଛାୟାର ନାମଟି ଡେଇଁ ଆସିଲା ମାୟାର ଦେହକୁ । ମାୟାର ନାମଟି ଛାୟାର ଦେହ ସଙ୍ଗେ ଶୂନ୍ୟରେ ମିଶିଲା ।

 

ଦୁଃଖ ଓ କାନ୍ଦର କୋହ ନ ଯାଉଣୁ, ରାଜୀବଲୋଚନ କଲମ ଧରିଲେ । ଆଖିରୁ ଲୁହଧାର ଛୁଟିଥାଏ, ଚନ୍ଦ୍ରଭୂଷଣଙ୍କୁ ପତ୍ରଦେଖି ଜଣାଇଦେଲେ-ସମସ୍ତଙ୍କୁ କନ୍ଦାଇ ମାୟା ସେପୁରକୁ ଚାଲିଗଲା । ମୋଟେ ଦୁଇ ଦିନ ସେ ହଇଜାରେ ଘାଣ୍ଟି ହୋଇଥିଲା–

 

ଦୁନିଆ ଜାଣିଲା, ମାୟାର ମରଣ ହୋଇଛି । ଦୁନିଆ କହିଲା, ମଲାନାହିଁ ସେ ତରିଗଲା-। ଗାଁ ଲୋକେ ବିଚାରିଲେ, ଧର୍ମ କଣ ବୁଡ଼ିଯିବ ? ବିଧବା ହୋଇ ଗହଣା ନାଇଲା, ସମସ୍ତଙ୍କୁ ସିନା ଠକି ହେବ, ଧର୍ମ ଯେ ଯମ ତାକୁ ଠକିବ କିଏ ?

 

ମାୟା ମରଣର ସମ୍ବାଦ ପାଇ ଗଗନ ଲେଖିଲେ ଲମ୍ବା ଚିଠି । ଚିଠି ନୁହେଁ ତ ବାହୁନା, କେବଳ ଆହା ଆହାରେ ପୂର୍ଣ୍ଣ ।

 

ମାୟା ବୁଝିଲା, ସେ ମରିଛି । ଛାୟାର ନାମ ଧରି ସେ ଏଥର ଦୁନିଆଁରେ କାରବାର ହେବ । ବାପ ମା ବିଛଣାରୁ ଉଠି ନାହାନ୍ତି । ଭାଇଙ୍କର ଆଖିରୁ ଲୁହର ଝର ବନ୍ଦ ହୋଇନାହିଁ । ଛାୟାର ରୂପ ନାଚିଯାଉଛି ତା ଆଖି ଆଗରେ । ତାର ଗେହ୍ଲାଳିଆ ଅପା ଡାକ, କାନରେ ବାଜିଯାଉଛି । ଖେଳିକୌତୁକ ମନେପଡ଼ୁଛି ।

 

ସେ ଦୁଃଖ ବି ଦିନେ ତାର ମନରୁ ପୋଛି ହୋଇଗଲା ।

 

ନୂଆ ପ୍ରସ୍ତାବ ପଡ଼ିଲା । ଏଥର ଆଉ କାହାର ଆପତ୍ତି ନାହିଁ । ଗଗନବିହାରୀଙ୍କର ପିତାମାତା ଛାୟାକୁ ବୋହୂ କରିବାକୁ ରାଜି ହେଲେ । ଗଗନବାବୁ ଅସମ୍ମତ ହେଲେ ନାହିଁ । ବିଲାତ ଯିବା ଆଗରୁ ରାଜୀବ ସଙ୍ଗରେ ପୁରୀ ଆସିଥିବେ। ମନ୍ଦିର ଭିତରେ ଦେଖା । ବୋଉଙ୍କର କଡ଼ରେ ମାୟା ଠିଆ ହୋଇଥାଏ । ଗଗନ କଣେଇଁ ଚାହିଁଲେ ମାୟାର ଦେହ ଓ ଛାୟାର ନାମ ବହିଥିବା ମୂର୍ତ୍ତିଟିର ସାରା ଶରୀର ଥରି ଉଠିଥିଲା ।

 

ବେଳ ଗଡ଼ି ଚାଲିଲା । ସୋମନାଥ ବାବୁ ପୁରୀରୁ ବଦଳି ହୋଇ କେତେଆଡ଼ୁ ବୁଲି ବ୍ରହ୍ମପୁରକୁ ଆସିଲେ ।

 

ପ୍ରସ୍ତାବ ପୁଣି ପକ୍‌କା ହେଲା । ଗଗନବାବୁଙ୍କର ବାପ ମା ଦିହେଁ ଆସି ବୋହୂକୁ ଦେଖିଗଲେ । କେଡ଼େ ଖୁସି ହେଲେ । କାଖକରି ଘରକୁ ନେଇଯିବାକୁ ଗଗନବାବୁଙ୍କ ବୋଉ ରଜନୀଦେବୀଙ୍କୁ କହିଲେ । ରଜନୀ ହସିଲେ । ଉତ୍ତର ଦେଲେ, ତମରି ବୋହୂକୁ ତମେ ଆଜି ନେବାକୁ କହୁଛ, ମୁଁ ମନା କରିବି କାହିଁକି ? ନେଇ ଯାଅ–

 

ଯେଉଁ ସୁନାର ପଥରବସା ହାରଟି ସେ ବେକରେ ଝୁଲାଇ ଦେଇଥିଲେ ସେଇଟି ଏବଯାଏ ଛାତି ଉପରେ ଦୋହୁଲଛି । ଦୁଇ ହାତରେ ମୁହଁଟି ଟେକି ହସି ହସି କପାଳରେ ବୋକ ଦେଲାବେଳେ ସେ ଆଖି ବୁଜିଥିଲା । ଦୁଇଧାର ଲୁହ ଛାଏଁ ଛାଏଁ ଗଡ଼ି ଆସିଲା ଗାଲ ଉପରକୁ । କହିଲେ, ଆରେ, କାନ୍ଦୁଛୁ ମା ? ତୋର ଶାଶୁ ହେବି ନାହିଁ ମ, ମା ହେବି ଯେ ।

 

ଗଗନ ବିଲାତରୁ ଫେରିଲେ । ପାରଳାଖେମଣ୍ଡି କଲେଜରେ ଇତିହାସର ସେ ହେଲେ ଲେକଚରର୍ । ବହ୍ମପୁରରେ ବାହାଘର ହେଲା । ସେମାନାଥ ବାବୁ ଯାହା କହନ୍ତି ଝିଅ ପାଇଁ ସୁନାର ଖୋଳ କରି ଦେଇଥିଲେ ।

 

ବେଦି ଉପରେ, –ପୁରୋହିତେ ଦୁଇଟି ହାତକୁ ଏକାଠିକରି ବନ୍ଧନ କଲେ । ମନ୍ତ୍ର ଉଚ୍ଚାରିଲେ, ଗଗନ ବାହା ହେଉଛନ୍ତି ଛାୟାକୁ । କାହିଁ ସେ ?

 

ଆଗରେ ଜଳୁଛି ପବିତ୍ର ହୋମାନଳ । ସୁଝୀନ ଓଢ଼ଣା ତଳୁ ଚାହିଁରହିଛି ଅଶୃଝରା ଆଖି ଦିଓଟି । ଦେଖୁଛି, ରାତ୍ରିର ଅନ୍ଧାର ଦୂରୀଭୂତ କରି ହୋମ ଶିଖା ପ୍ରଜ୍ଜ୍ୱଳିତ ହେଉଛି । ଆଲୋକ ମଝିରେ ଦିଶିଯାଉଛି ଗୋଟିଏ ମୁହଁ, ହସ ହସ, ଆଖିର ଇଶାରାରେ ନିର୍ଦ୍ଦେଶ ଦେଉଛି, ଏଠିକି ଆସ, ତମେ ମୋ, ଚିରଦିନ ମୋର, ତମର ସ୍ଥାନ ଏଇଠି ସେଇଠି ନୁହେଁ ।

 

ମାୟାର ହାତ ଥରିଉଠୁଛି । ନୂଆ ହାତର ପରଶରେ ସାରା ଶରୀରରେ ଅନଳ ଲାଗିଛି-। ହାତଟି ଅଟକି ରହୁଛି। ଆଖି ବୁଜୁଛି । ମନ କହୁଛି, ମୁଁ ମାୟା ନୁହେଁ, ମୁଁ ଛାୟା । ତମକୁ ମୁଁ ଚିହ୍ନେ ନାହିଁ ।

 

ଆଖି ଖୋଲୁଛି । ହୋମଶିଖା ଭିତରେ ସେ ନାହାନ୍ତି । ଠିଆ ହୋଇଛି ଛାୟା । କହି ଉଠୁଛି, ଠିକ୍ ହେଲା, ଗୋଟାଏ ଉପାଦାନରେ ଗଢ଼ା ହୋଇଥିଲୁ ତୁ ଓ ମୁଁ । ନାମଟା ଓଲଟି ଯାଉ । ଆଜିଠୁଁ ମୁଁ ହେଲି ମାୟା । ସେ ହେବେ ମୋର ।

 

ଛାୟାର ନାମ ଆଉ ମାୟାର ଦେହ ଧରି ଯିଏ ଗଗନଙ୍କର ହାତ ଧରି ସୋରଡ଼ା ଗଲା, ଅତି ସ୍ନେହରେ ଶଶୁର ତାର ନାମବ ଦେଲେ ଦୀପ୍ତି ! ଏଇ ନାମଟି ଭଲ । ଗଗନର ଭଉଣୀ ଥିଲେ ତା ନାମ ସେ ଏଇଆ ରଖିଥାନ୍ତେ । ଆଶାଟି ଅପୂରଣ ରହିବ ନାହିଁ । ଦୀପ୍ତି ତାଙ୍କର କନ୍ୟା ଠୁଁ ବଳି-। ସବୁ ସ୍ନେହର ସେ ହେବ ଅଧିକାରିଣୀ !

 

ସେ ମାୟା ନୁହେଁ କି ଛାୟା ନୁହେଁ । ସେ ଦୀପ୍ତି । କିନ୍ତୁ, ଦେହ, ଅଭିଜ୍ଞତା ଓ ମନ ତ ବଦଳିଲା ନାହିଁ । ନ ବଦଳୁ, ସଭ୍ୟ ଦୁନିଆ ଚାହେଁ ବାହାରର ଆଭରଣ । ଯିଏ ନିଜକୁ ଯେତେ ଘୋଡ଼ାଇ ରଖିପାରେ, ଲୁଚାଇ ଛପାଇ ଅଲଗା ରୂପରେ ଦେଖାଇପାରେ, ସେ ସେତିକି ସଭ୍ୟ !

 

ଦୀପ୍ତି ସଭ୍ୟ ସମାଜର ପିଲା । ସେ ଗୋପନ ଅଥଚ, ଦୀପ୍ତ ! ସେ ନୂଆ ଅବତାର ଲଭିଛି । ନୂଆ ଦୋସରଙ୍କର ଅସରନ୍ତି ପ୍ରେମର ପାରାବାରରେ ସ୍ନାନ କରି ଦେହ ଓ ମନର ତପତ ଉତ୍ତେଜନାକୁ ସେ ଶୀତଳ କରିଛି। ଦୁଃସ୍ୱପ୍ନ ପରି ହଜିଲା ଅତୀତକୁ ସେ ମନର କେଉଁ ଅନ୍ଧାରୀ କୋଣକୁ ଆଡ଼େଇ ଦେଇଛି ।

 

ଶାଶୁ ଶଶୁରଙ୍କ ସ୍ନେହ ଓ ସ୍ୱାମୀଙ୍କର ଆଦର ପ୍ରେମ ପାଇ ଦୀପ୍ତିର ତିନୋଟି ବର୍ଷ କଟିଛି-। ବାପ, ମା, ଭାଇ ପୁଣି ଶଶୁର ଘରର ସମସ୍ତେ ଦୀପ୍ତି ପାଇଁ ସୁଖୀ । କେବଳ ସେ ନିଜେ ସୁଖୀ କି ଦୁଃଖୀ ବୁଝିପାରେ ନାହିଁ । ସ୍ୱାମୀଙ୍କ ପାଖକୁ ପାରଳାଖେମଣ୍ଡି ଯାଇ ସ୍ୱାମୀଙ୍କର ସୁଖ ଆନନ୍ଦର ଭାଗୀ ହୋଇ ମଧ୍ୟ ମନରେ ଦ୍ୱନ୍ଦ୍ୱ ଜାଗେ । ଅନ୍ୟ ପାଖରେ ନିଜକୁ ସେ ଗୋପନ କରି ରଖିଛି, କିନ୍ତୁ ନିଜ ପାଖରେ ନିଜକୁ ସେ ଲୁଚାଇ ପାରୁନାହିଁ । ଯେଉଁ ମୃତସ୍ୱାମୀଙ୍କର ସ୍ମୃତିକୁ ମନରୁ ପୋଛିବାକୁ ଚେଷ୍ଟା କରୁଛି, ତାଙ୍କରି ରୂପ ବେଳେ ବେଳେ ଆସି ଆଖି ଆଗରେ ଠିଆହୁଏ । କାନ୍ଦ କାନ୍ଦ ହୋଇ ପଚାରେ, ଭୁଲିଗଲେ ?

 

ଦୀପ୍ତି ଭୁଲିପାରେ ନାହିଁ । ବାକ୍‌ସ ଭିତରୁ ବିଧୁଭୂଷଣଙ୍କର ଫଟୋଟି କାଢ଼େ । ଗଗନବିହାରୀ କଲେଜର ଛାତ୍ରମାନଙ୍କ ସଙ୍ଗେ ଆଳାପ କଲାବେଳେ ଦୀପ୍ତି ଆଳାପ କରେ ଫଟୋଟି ସଙ୍ଗରେ । ଆଦ୍ୟ ଯୌବନର ପ୍ରଥମ ସାଥୀ, ଯାହାଙ୍କୁ ପାଇ ସେ ନାରୀତ୍ୱ କଣ ଅନୁଭବ କରିଥିଲା ।

 

ହାତ ଥରିଉଠେ । ଭାବେ ସେ ଅପରାଧୀନ । ନିର୍ଜୀବ ଫଟୋଟି ଆଗରେ କୈଫିୟତ୍ ଦିଏ, ମୋର ଦୋଷ ନାହିଁ, ଯେଉଁମାନେ ମତେ ଭଲ ପାଆନ୍ତି ସେଇମାନେ ମତେ ଏଠିକି ଠେଲି ଦେଇଛନ୍ତି । ଏଇ ଗଗନବାବୁ, ସେଇ ଏକା ଦୟୀ ।

 

ଅଶରୀର ପ୍ରଶ୍ନ ପଚାରେ, ସେ କିପରି ଦାୟୀ ହେଲେ ?

 

ମାୟାର ମନ କହେ, ତୁମେ ତ ଥିଲେ, ତାଙ୍କରି ଆଡ଼କୁ ଥରେ ହେଲେ ମୁଁ ଚାହିଁ ନ ଥିଲି-। ପ୍ରୀତି ଅପା କହିଲ,, ବିଧୁର ବନ୍ଧୁ ଲୋ ସେ ମାୟା, ଭାରି ଭଲ ପିଲା । ବିଧୁ ଲଗେଇଛନ୍ତି ତୁ ତାଙ୍କୁ କଥା କହିବୁ । କିଛି କ୍ଷତି ନାହିଁ, ଗଗନ ତୋର ଭାଇ ସମାନ ।

 

ମତେ ଲାଜ ମାଡ଼ୁଛି, ଅପା ।

 

ଲାଜ କଣ ଲୋ, ଆଉ ଦିନେ କଣ ଗଗନ ଆମ ଘରକୁ ଆସିବ ? ତା ମନରେ ଦୁଃଖ ଦେବା କାହିଁକି ? ବିଧୁର ଅତି ଅନ୍ତରଙ୍ଗ ବନ୍ଧୁ ସେ । ଦେଖନ୍ତୁ, କେଡେ ସରାଗରେ ସେ ଆସିଛି ।

 

ଅପାଙ୍କ ପଛରେ ମୁଁ ତୁନି ହୋଇ ବସିଥିଲି । ଅପା ନିଜେ ମୋର ଓଢ଼ଣା ଟେକି ଦେଇଥିଲେ । ଲାଜସରମରେ ସଙ୍କୁଚିତ ହୋଇ ଅଧାପ୍ରାଣ ହୋଇ, ମୁଁ ତଳକୁ ଚାହିଁ ବସିରହିଲି ।

 

ତମେ ତ ସବୁ ଦେଖିଛ । ରାତି ଅଧରେ ଗେଲ କରି, ଅଜଣା ସରଗର ଅମୃତ ଆନନ୍ଦରେ ମୋର ମନପ୍ରାଣ ବୁଡ଼ାଇ, ଟିକିଏ ଅଭିମାନ କରି କହିଥିଲ, ଗଗନକୁ କଥା କହିଲ ନାହିଁ କାହିଁକି ? କାଳେ ତାର ମନରେ ଦୁଃଖ ହୋଇଥିବ? ମୋ ରାଣ, କାଲି କହିବ ।

 

କଣ କହିବି ?

ନୂଆଉଙ୍କୁ ପଚାରିବ ।

ପରଦିନ ସେ ସୁଯୋଗ ମିଳିଲା ନାହିଁ । ଗଗନବାବୁ ବାହୁଡ଼ି ଗଲେ ।

 

ଗଗନବାବୁ ସେଇଠି ମତେ ଦେଖିଥିଲେ । ତମେ ମଲା ପରେ ସେର ଆଗ ତମରି ଆଦର୍ଶର ଦ୍ୱାହି ଦେଇ ପ୍ରସ୍ତାବ ପକାଇଲେ । ସଭିଙ୍କ ମନରେ ଆଶା, ଆଗ୍ରହ, ଉତ୍ତେଜନା ଜଗାଇଲେ । ନିଜ ଭିତରେ ମୁଁ ପ୍ରତିବାଦ କରିଥିଲି । କାହାରିକୁ କିଛି କହିବାର ସାହସ ମୋର ନ ଥିଲା । ଛାୟା ମଲାରୁ ସେଇ ଘଟଣାର ସୁଯୋଗ ତ ନେଲେ ସେମାନେ । କେମିତି ମୁଁ ପ୍ରତିବାଦ କରନ୍ତି ?

 

ସେମାନେ ନିଶ୍ଚିନ୍ତ ହେଲେ । ମୁଇଁ ଏକା ଛଟପଟ ହେଉଛି । କ୍ଷମାକର ମତେ । ତମରି ଛଡ଼ା ଫୁଲଟା, ପରିତ୍ୟକ୍ତ ଦେହଟା, ତମରି ବନ୍ଧୁଙ୍କ ହାତକୁ ଟେକି ଦେଇଛନ୍ତି । ମାଟିର ଦେହଟା ତ-। ଦିନେ ଜଳି ପୋଡ଼ି ପାଉଁଶ ହେବ । ଆତ୍ମାଟା ତୁମକୁ ତ ସମର୍ପି ଦେଇଛି । ତମେ ହିଁ ମୋର ଆଗ-। ତମର ବନ୍ଧୁ ଗଗନ ବାବୁ ପଛ । ସେ କେବଳ କର୍ତ୍ତବ୍ୟର ସଙ୍ଗୀ ।

 

ପଦାରୁ କିଏ ଡାକିଲା । ତର ତର ହୋଇ ଫଟୋଟିକୁ ବାକ୍‌ସରେ ରଖି ଥରିଲା ପାଦରେ ଦୀପ୍ତି କବାଟ ଖୋଲିଲା । ପଞ୍ଝାଏ ମାଇପେ ଘରେ ପଶିଲେ ।

 

ପ୍ରଫେସର କାମେଶ୍ୱର ରାଓଙ୍କର ସ୍ତ୍ରୀ ଲକ୍ଷ୍ମୀ ଦୀପ୍ତିକୁ କୁଣ୍ଡାଇ ଧରିଲେ । ଅଭିମାନ କରି କହିଲେ, ତମେ ଏଡ଼େ କପଟୀ ନା ? ଯିବ ବୋଲି କହି ଗଲ ନାହିଁ । ନ ଯାଅ, ମୁଁ ଆସିବି । ତମକୁ ଶୁଆଇ ଦେବି ନାହିଁ ।

 

ପୋଲିସ୍ ମୁନ୍‌ସି ଜିତେନ୍ ଘୋଷଙ୍କର ସ୍ତ୍ରୀ ବିନ୍ଦୁ ପରିହାସ କରି କହିଲେ, ଅନିଦ୍ରା ଦୋଷ ଥିବ, ନାଇ ଭଉଣୀ ? ଆସ ଲକ୍ଷ୍ମୀ ଯିବା, ଦୀପ୍ତି ଟିକେ ଶୋଇପଡୁ ।

 

ଦୀପ୍ତି ହସିହସିକା ବିନ୍ଦୁର ପୁଚକା ଗାଲରେ ଆଙ୍ଗୁଠି ମାରିଲା । ମୁହଁ ଶୁଖାଇ ବିନ୍ଦୁ କୃତ୍ରିମ ଅଭିମାନ କରି କହିଲା, ଆରେ ଦାଗ ବସିବ ଯେ ।

 

ବସୁ ।

ଘୋଷବାବୁ ଭାରି ସନ୍ଦେହୀ ।

ମାରିବେ ?

 

ପୁଲିସ୍ ଲୋକ, ଦାଗ ଦେଖି ଖୁଣି ଧରନ୍ତି, ଚୋର ପକଡ଼ନ୍ତି । ହାକିମ ଆଗରେ ଠିଆକରାନ୍ତି-

 

ଦୀପ୍ତି ସତରଞ୍ଜି ପାରିଲା । ସମସ୍ତେ ବସିଲେ । ଲକ୍ଷ୍ମୀ କହିଲେ, ହାକିମଙ୍କ ଘରଣୀ ତ ଏଇଠି, ମକଦ୍ଦମା ପଡ଼ୁ ।

 

ଦୀପ୍ତି ସମସ୍ତଙ୍କୁ ଚାହିଁଲା ।

 

ଗୋପପୁରରୁ ଖଣ୍ଡେ ଛିରିକି ପଡ଼ିଲା ପରି ଲାଗେ । ସମସ୍ତେ ସୁନ୍ଦରୀ, ଯୁବତୀ, ହାସ୍ୟମୟୀ ।

 

ବିନ୍ଦୁ କହିଲେ, ଚିହ୍ନି ପାରୁନା, ଏଇପରା ହାକିମିଆଣୀ, ଜିବୁନ୍ନିସା ବିବି ।

 

ଜିବୁନ୍ନିସାଙ୍କର ହାତ ଧରିଲେ । କହିଲେ, ଆମ ନୂଆ ମାଜିଷ୍ଟ୍ରଟ୍ ବଶିର୍ ବାବୁଙ୍କ ତରଫ ଇଏ । ତାଙ୍କର ଆଡ଼ୁଆ ନାମଟା ମୋର ପାଟିରେ ପଇଟେ ନାହିଁ । ତେଣୁ ମୁଁ ତାଙ୍କୁ ପାର୍ବତୀ ବୋଲି ଡାକେ ।

 

ଦୀପ୍ତି ପଚାରିଲା, ସତେ କଣ ପାର୍ବତୀ ଏଡ଼େ ସୁନ୍ଦର ଥିଲେ ?

ଲକ୍ଷ୍ମୀ କହିଲେ, ମୋର ସନ୍ଦେହ ହେଉଛି ।

 

ଜିବୁନ୍ନିସା ହସିଲେ । କହିଲେ, ଆଗୋ ବିନ୍ଦୁ, ୟାଙ୍କରି ନାମ ପାର୍ବତୀ ଦେଲେ ଚଳିବ । ମୋର ତ ତୃତୀୟ ପକ୍ଷ ।

 

ଦୀପ୍ତିକୁ ଛାଡ଼ି ସମସ୍ତେ ହସି ଉଠିଲେ ।

ଦୀପ୍ତି ପଚାରିଲା ଆଖିରେ ଚାହିଁ ରହିଲା ।

 

ଜିବୁନ୍ନିସା କହିଲେ, ମୋର ମାମୁଁ ପୁଅ ଭାଇ ଓକିଲ ଥିଲେ । ଆଗ ତାଙ୍କୁ ମୁଁ ବାହାହେଲି-। କେଡ଼େ ଖୁସିରେ ଗୋଟିଏ ବର୍ଷ ସଂସାର କଲି । ପୁରୁଣା ହେଲେ ମାୟା କମେ । ମୋ ବରଙ୍କ ଆଖିରେ ମୁଁ ଦିଶିଲି ମଇଳା, ଅସନା । ଭିତରେ ଭିତରେ ତାଙ୍କ ଦାଦିଝିଅ ଭଉଣୀ ସଙ୍ଗେ କଥା କଲେ । ମୋତେ ପୁଣି ମାଡ଼ ମାରିଲେ । ତାଙ୍କ ଦାଦିଝିଅକୁ ପୁଣି ନିକା ହେଲେ । ରାଗି କରି ବାପଘରକୁ ପଳାଇ ଆସିଲି । ମାଡ଼ ମାରିଲେ ବୋଲି ଛାଡ଼ପତ୍ର ଦେଲି। ବଶିର ଭାଇ ସେତେବେଳେ ଏମ୍ ଏ. ପଢ଼ୁଥାଏ । ସେଇ ମୋ ବାପାଙ୍କ ସଙ୍ଗେ ଲଗେଇଲା, ତାର ସାଙ୍ଗ ରହିମ୍‌କୁ ବାହା କରେଇବାକୁ। ରହିମ୍‌ଙ୍କୁ ପୁଣି ବାହାହେଲି । ସତେ ଗୋ, ରହିମ୍‌ବାବୁ ଅତି ଭଲ ମଣିଷ । ରୂପ, ଢଙ୍ଗ, ସ୍ନେହ କାହିଁରେ ତାଙ୍କୁ କିଏ ବାଛି ପାରିବ ? ତାଙ୍କର ଆଖିର ଦୃଷ୍ଟିରେ ସତେ କି ମୋହିନୀ ଶକ୍ତି ଥାଏ । ଥରି ଥରି କଥା । ରାଗ ରୋଷ, ଛଳ ଅଭିମାନ, କୂଟ କପଟ ଜାଣନ୍ତି ନାହିଁ । ସବୁବେଳେ ହସ ଖୁସି । ପରର ଦୁଃଖ ସହିପାରନ୍ତି ନାହିଁ, ଆଖି ଛଳ ଛଳ ହୁଏ । ପର ମାଇପକୁ ଆଡ଼ ଆଖିରେ ଅନେଇବେ ନାହିଁ । ପର ପାଇଁ ଜୀବନ ଦେବେ । ଦେଲେ ବି ଶେଷକୁ । ତାଙ୍କର ଜଣେ ବନ୍ଧୁ ଥିଲେ ବିଧୁବାବୁ–

 

ଜିବୁନ୍ନିସାଙ୍କ ଆଖି ଛଳ ଛଳ ହେଲା ।

ଦୀପ୍ତି ଚମକି ଉଠିଲା ।

 

ବିଧୁ ବାବୁ–ସମ୍ବଲପୁର ତାଙ୍କର ଘର ବେମାର ପଡ଼ିଲେ । ରହିମ ବାବୁ ଦିନରାତି ତାଙ୍କରି ସେବାକଲେ । ବିଧୁବାବୁ ମଲେ। ରହିମ୍ କାନ୍ଦି କାନ୍ଦି ଘରକୁ ଫେରିଲେ । ଦେଖିଛି, ଜଣେ ବନ୍ଧୁ ପାଇଁ ଆଉ ଜଣେ ବନ୍ଧୁ କିପରି ଝରେ, ଆକୁଳ ବିକଳ ହୁଏ । ଦେଖି ନାହିଁ ମୁଁ ସେ ବିଧୁ ବାବୁଙ୍କୁ-। ଶୁଣିଛି ତାଙ୍କରି ମୁହଁରୁ, ସେ କୁଆଡ଼େ ଦେବତା ଥିଲେ । ପର ପାଇଁ ପ୍ରାଣ ଦେବାକୁ ପଣ କରିଥିଲେ । ରହିମ୍ ବାବୁ ବେମାର ପଡ଼ିଲେ ଗୋ ଦୀପ୍ତି, ଆହାର, ନିଦ୍ରା ଭୁଲି, ସେବା କଲି । ବଞ୍ଚାଇ ପାରିଲି ନାହିଁ । ସେପରି ଲୋକ ସଂସାରକୁ ଅଳପ ଦିନ ପାଇଁ ଆସନ୍ତି ଗୋ, ସମସ୍ତଙ୍କୁ କନ୍ଦାଇ, ଦଗାଦେଇ ନିଜେ ହସି ହସି ଚାଲିଯାଆନ୍ତି । ଖୋଦାଙ୍କର ଅତି ପ୍ରିୟ ସନ୍ତାନ ସେମାନେ, ତାଙ୍କୁ ଅଧିକ ଦିନ ଏ ସଂସାରରେ ଖୋଦା ରଖାଇ ଦିଅନ୍ତି ନାହିଁ । ଭୁଲିପାରୁ ନାହିଁ, ବଞ୍ଚିଥିବା ଯାଏ ଭୁଲିପାରିବି ନାହିଁ । ଏବ ଯାଏ ବଶିର୍ ଭାଇ ତାଙ୍କ କଥା କହିଲେ, ନିଜେ ତ କାନ୍ଦି ପକାନ୍ତି, ମୁଁ ତ ଥିଲି ତାଙ୍କର ଘରଣୀ, କିପରି ଭୁଲିପାରିବି ?

 

ଜିବୁନ୍ନିସାଙ୍କର ଆଖିରେ ଲୁହ ।

ଦୀପ୍ତିର ଆଖି ଢଳ ଢଳ ।

 

ତାଙ୍କର ମୁହଁରୁ ଶୁଣିଥିଲି ଗଗନବାବୁଙ୍କ କଥା । ଶୁଣ ଭଉଣୀ, ଦୁଇ ବର୍ଷ କାଳ କାନ୍ଦିଲି ବୋବେଇଲି । ଜୀବନ ହାରିଦେବାକୁ ତିନି ଥର ବସିଲି । ଧରାପଡ଼ିଲି । ବଶିର ଭାଇ ହାକିମ ହେଲା । ସେ ମୋର ଚଚ୍ଚାଙ୍କ ପୁଅ । ଦୁଇ ଭାଇରେ ଗୋଟିଏ ପୁଅ, ମୁଁ ବି ଗୋଟିଏ ଝିଅ । ମତେ କେବେ ବୁଝେଇଲା । ଚଚ୍ଚା କହିଲା, ଆରେ ବଶିର୍, ତୁଇ ଯଦି ବାହା ହେବୁ ତ କହ, ନଇଲେ ଜିବୁନ୍ନିସା ଜୀବନ ହାରିଦେବ । ମୋ ବାପ, ମା ଓ ଖୁଡ଼ୀ ବି ସେଇଆ କହିଲେ । ସତେ ଯେମିତି ବଶିର୍‌କୁ ନିକା ହେବାକୁ ମୁଁ କାନ୍ଦୁଛି! ବଶିର୍ ଭାଇ ମତେ ପଚାରିଲା । ମୁଁ ମୁହେଁ ମୁହେଁ ନାହିଁ କରିଦେଲି । ପଚାରିଲା, ତେବେ କଣ ତୁ ମରିବୁ ଜିବୁନ୍ନିସା ? ମୁଁ କହିଲି ହଁ।

 

ବିଶ୍‌ର ଭାଇ ମୋର ପିଲାଦିନର ସାଙ୍ଗ, ପୁଣି ଚଚ୍ଚାର ପୁଅ, ମୋଠୁଁ ମୋଟେ ଚାରି ବର୍ଷ ବଡ଼ । ଏକା ସଙ୍ଗେ ଖେଳୁଛି । ମୋତେ ସେ ଅତି ସ୍ନେହ କରନ୍ତି । ମୋର ହାତ ଧରି କହିଲେ, ମରିବୁ କାହିଁକି ? ରହିମ୍ ତ ମୋର ବହୁଦିନର ବନ୍ଧୁ, ସେ ମଲା, ମୁଁ ତ ମରିନାହିଁ । ନା ଜିବୁ, ତୁ ମରିବୁ ନାହିଁ ମତେ ବାହାହେବୁ । ନଇଲେ ମୁଁ ବି ଅଭିଆଡ଼ା ରହିବି ।

 

ଆମ କୁଳରେ ଏମିତି ବାହାଘର ଚଳେ । ଗୋଟିଏ ମାଆର କ୍ଷୀର ଖାଇ ନ ଥିଲେ ହେଲା ।

 

ସତେ ଗୋ, ମଲି ନାହିଁ ତ । ବଶିର୍ ଭାଇର ହାତ ଧରି ନୂଆ ସଂସାର କରିବାକୁ ଆସିଲି । ରହିମ୍‌ବାବୁଙ୍କର ଫଟୋଟି କାନ୍ଥରେ ଟଙ୍ଗାହୋଇଛି । ଆମେ ଦିହେଁ ସେଥିରେ ଫୁଲମାଳ ଟାଙ୍ଗୁ । ଖୋଦାଙ୍କ ପାଖରେ ତା ପାଇଁ ପ୍ରାର୍ଥନା କରୁ ।

 

ଜିବୁନ୍ନିସା ଆଖିରୁ ଲୁହ ପୋଛିଲେ ।

 

ଲକ୍ଷ୍ମୀ କହିଲେ, ସତେ ଲୋ ଭଉଣୀ, ନଈକେ ବାଙ୍କ ଦେଶକେ ଫାଙ୍କ । ମୁସଲମାନ୍ କୁଳରେ ଏକା ମାଆର କ୍ଷୀର ଖାଇ ନ ଥିବା ଭାଇ ଭଉଣୀଙ୍କର ବାହାଘର ବି ହୋଇପାରେ । ଆମ କୁଳରେ କଣ ହୁଏ ଜାଣ କି ? ମୋ ମା ମୋ ବାପାଙ୍କର ମାମୁଁ ଝିଅ ଭଉଣୀ । କାମେଶ୍ୱରବାବୁ ହେଉଛନ୍ତି ମୋର ସବା ସାନ ମାମୁ । ସାନ ଭାଇ, ଗେହ୍ଲା ଭାଇଟାକୁ ଜୋଇଁ କରିବ ବୋଲି ମୋ ମା ତ ଜିଦି ଧରିଲା । ଆମ କୁଳରେ ଏପରି ଚଳେ ।

 

ବିନ୍ଦୁ କହିଲେ, ଏ ନିୟମ ଆମ କୁଳରେ ନାହିଁ । ଜିତେନବାବୁଙ୍କ ବଡ଼ଭଉଣୀ ଯେ ମୋର ବଡ଼ ଭାଉଜ । ଜିତେନ୍‌ବାବୁ ଆମ ଘରକୁ ତ ଆସନ୍ତି । ସୁନ୍ଦର ଗୀତ ବୋଲନ୍ତି । ମୋତେ ଗୀତ ଶିଖାନ୍ତି । ସେଇଠୁ ଯାହା ହେଲା ତ ଦେଖୁଛ । ପତି ପରମ ଗୁରୁ।

 

ସମସ୍ତେ ହସିଲେ ।

•••

 

ସତର

 

ଘନିଷ୍ଠିତ ବଢ଼ିଲା ।

 

ଦୁଇ ବନ୍ଧୁ ଗଗନ ଓ ବଶିର୍ ବାହାର ଘରେ ଗପ କରନ୍ତି । ହସନ୍ତି, ବଡ଼ ପାଟି କରି ତର୍କ କରନ୍ତି । ଖଞ୍ଜା ଭିତରେ ଗୋଟିଏ ଘରେ ଦୀପ୍ତି ଓ ଜିବୁନ୍ନିସା ବସି ସୁଖଦୁଃଖ ହୁଅନ୍ତି । ଜିବୁନ୍ନିସା କାନ୍ଥରେ ଟଙ୍ଗା ହୋଇଥିବା ଫଟୋଗୁଡ଼ିକରୁ ଗୋଟିକ ଆଡ଼କୁ ଆଙ୍ଗୁଠି ଦେଖାଇ କହନ୍ତି, ଏଇ ସେ ରହିମ୍‌ବାବୁ ।

 

ଦୀପ୍ତି ନିରିଖି ଚାହେଁ ।

 

ଜିବୁନ୍ନିସେ କାନ୍ଥରୁ କାଢ଼ି ଫଟୋ କେଇଖଣ୍ଡି ତଳକୁ ଆଣିଲେ । କହିଲେ, ଦେଖ ଦୀପ୍ତି, ଏଇ ରହିମ୍ । କି ସୁନ୍ଦର ରୂପ, କେଡ଼େ ଭଲ ସ୍ୱାସ୍ଥ୍ୟ । ମନ ବି ସେମିତି ।

 

ଦୀପ୍ତି ରହି ରହି ପଚାରିଲା, ତମେ ତାଙ୍କୁ ଝୁରି ହେଉଛ, ବଶିର୍ ବାବୁଙ୍କ ମନରେ ଦୁଃଖ ହେବ ନାହିଁ ?

 

କାହିଁକି ? ତାଙ୍କ ପ୍ରତି କଣ ମୋର କର୍ତ୍ତବ୍ୟରେ କେବେ ମୁଁ ହେଳା କରୁଛି କି ? ରହିମବାବୁ କଣ ତାଙ୍କ ସଙ୍ଗେ ବାଦ କାରିବାକୁ ଫେରି ଆସୁଛନ୍ତି କି ? ଦୀପ୍ତି, ଯିଏ ଯାହାକୁ ଭଲ ପାଇଥାଏ ତାକୁ କଣ ସେ ଭୁଲିପାରେ ? କିଏ ମନ ଭିତରେ ଝୁରେ, ଦୁଃଖ କୁହୁଳୁ ଥାଏ । ଆଉ କିଏ ତାର ଦୁଃଖ ଖୋଲି କହେ, ଶାନ୍ତି ପାଏ । ବଶିର୍ ଭାଇ ନିଜେ କେତେ ଦୁଃଖ କରେ । ଆମେ ଦିହେଁ ଜାଣୁ, ରହିମବାବୁ ଆଉ ଫେରି ଆସିବେ ନାହିଁ । ତାଙ୍କ କଥା ଭାବି ତାଙ୍କ ପାଇଁ ଦୁଃଖ ମନ ହାଲୁକା ଲାଗେ । ଆମ ଦୁଃଖ କଣ ସେ ବୁଝିବେ ନା ଆମ କାନ୍ଦଣା ଶୁଣିବେ ?

 

ଦୀପ୍ତି ଭାବେ ।

ଦେଖ ଦୀପ୍ତି, ଏଇ ଗ୍ରୁପ୍ ଫଟୋଟି ।

ଦୀପ୍ତି ଦେଖେ ।

ଜିବୁନ୍ନିସା କହେ, ଚିହ୍ନିଛ ୟାଙ୍କୁ ?

ତମେ ଚିହ୍ନ ?

 

ବଶିର୍ ଭାଇ କେତେ ଥର ମତେ ଚିହ୍ନାଇ ଦେଇଛି । ଫଟୋ ଦେଖି ଦେଖି ସମସ୍ତଙ୍କୁ ଚିହ୍ନିଛି । ଯେତେବେଳେ ସେମାନେ କଲେଜରେ ପାଠ ପଢ଼ୁଥିଲେ, ଏକାସଙ୍ଗେ ଫଟୋ ଉଠାଇଥିଲେ । ଚିହ୍ନିଲେ ତମ ଗଗନବାବୁଙ୍କୁ ? ତାଙ୍କ କାନ୍ଧରେ ହାତ ପକାଇ ଠିଆ ହୋଇଛି ବଶିର୍‌ଭାଇ । ବଶିର୍‌ଭାଇ କାନ୍ଧରେ ହାତ ପକାଇ ଠିଆ ହୋଇଛନ୍ତି ରାଜୀବବାବୁ ।

 

ଭାଇ–

ଏଁ–

ସେ ମୋର ଭାଇ ।

 

ଦୀପ୍ତିର ହାତ ମୁଠାଇ ଧରି ଜିବୁନ୍ନିସାର କହିଲେ, ସତେ ତ ! ଦୁଇଟା ମୁହଁ ଏକା ପରି ଦିଶୁଛି । ତମ ଭାଇଙ୍କ ପାଖରେ କିଏ ଠିଆ ହୋଇଛି ଦେଖିଲ ?

 

ରହିମ୍‌ବାବୁ ।

ଠିକ୍ ଚିହ୍ନିଲ । ତାଙ୍କ ପାଖରେ ?

ସେ ମୋର– ।

 

ତୁନି ରହିଲ ଯେ, ଚିହ୍ନ ତାଙ୍କୁ, ବିଧୁବାବୁଙ୍କୁ ? ରହିମ୍‌ବାବୁଙ୍କର ଅତି ଆପଣାର ବନ୍ଧୁ ସେ ଥିଲେ । କଥା କଥାକେ ତାଙ୍କର ଉପଲକ୍ଷ୍ୟ ସେ ଦିଅନ୍ତି । ଦୁଇ ବନ୍ଧୁ ଡକାଡକି ହୋଇ ଚାଲିଗଲେ ।

 

ଦୀପ୍ତି କାନ୍ଦୁଛି ।

କାନ୍ଦୁଛି କାହିଁକି ଦୀପ୍ତି ? ସେ ତମର କଅଣ ?

 

ଦୀପ୍ତିର ଓଠ ଦି ଫାଳ ଥରିଉଠିଲା । ଆତ୍ମା ଯେପରି କହି ଉଠିଲା, ସେ ମୋର ଜୀବନର ସର୍ବସ୍ୱ ଥିଲେ । ଥରିଲା ଓଠରୁ ଗଳି ପଡ଼ିଲା ଗୋଟିଏ ପଦ କଥା, ଭିଣୋଇଁ- ।

 

ଆଉ, ତମର ଭଉଣୀ ?

ସେ ବି ସେପୁରକୁ ଚାଲିଯାଇଛି ।

ଦୂରରୁ ଘଣ୍ଟା ବାଜିଲା-ଠଂ, ଠଂ । ରାତି ନଅଟା ହେଲା ।

 

ଗଗନବିହାରୀଙ୍କ ସଙ୍ଗେ ଦୀପ୍ତି ନିଜ ବସାକୁ ଫେରିଆସିଲା । ମନ କାହିଁ ଲାଗୁ ନ ଥାଏ-। ସେ କେବଳ ଭାବୁଥାଏ, ସତେ ତ, ରହିମ୍‌ବାବୁ ବଶିର୍ ବାବୁଙ୍କ ସଙ୍ଗେ ବାଦ କରିବାକୁ ଫେରିବେ ନାହିଁ । ସେମିତି ବିଧୁବାବୁ ବି ଫେରିବେ ନାହିଁ । ଜିବୁନ୍ନିସା ନିର୍ଭୟରେ ନିଃସଙ୍କୋଚରେ ମଲା ହଜିଲା ଆପଣାର ମଣିଷଟି ପାଇଁ ଦୁଃଖ କରୁଛନ୍ତି । ତାଙ୍କର ଅଶବରୀ ଆତ୍ମାକୁ ସମ୍ମାନ ଦେଖାଉଛନ୍ତି । ମନରେ ସାନ୍ତ୍ୱନା ଆସୁଛି, ଆଉ ସେ, କେବଳ ଭିତରେ ଭିତରେ ଝୁରିହେଉଛି । ନିଜ ସଙ୍ଗେ, ଗଗନବାବୁଙ୍କ ସଙ୍ଗେ, ପୁଣି ଦୁନିଆଁ ଲେକଙ୍କ ସଙ୍ଗେ, ଲୁଚକାଳି ଖେଳୁଛି ।

•••

 

ଅଠର

 

ପାରଳାଖେମୁଣ୍ଡିରେ–

 

ଦୀପ୍ତିର ମୁହଁକୁ ଟେକି ଧରି ଗଗନବିହାରୀ ପଚାରିଲେ, କଣ ଏତେ ଭାବୁଛ ତମେ ? ମୁହଁଟି ଶୁଖିଲା ଦିଶୁଛି । କହ ଦୀପ୍ତି– ।

 

ଦୀପ୍ତି କହିଲ, ଏତେ ରାତିରେ ଲେଖିବସିଲେ ଦେହ ଖରାପ ହେବ । ଆସ ଖାଇବ ।

 

ତମକୁ ଭୋକ ହେଲାଣି ପରା ? ଯେତେ କହିଲେ କଥା ମାନ ନାହିଁ । ମୋ ପାଇଁ ଭାତ ରଖି ତମେ ନେଉ ନା କାହିଁକି ? ମୁଁ ଗୋଟିଏ ପ୍ରବନ୍ଧ ଅଧା କରିଛି, ଶେଷ କରିଦିଏଁ ।

 

ଦୀପ୍ତି ଚଉକି କଡ଼କୁ ଆଉଜି ଗଗନବାବୁଙ୍କ ମୁଣ୍ଡରେ ଆଙ୍ଗୁଠି ଚଳାଇ କହିଲା, ଭାତ ଗଣ୍ଡିକ ଶୁଖି ଚଣାଚାଉଳ ହେବ । ଖାଇକରି ଲେଖିଲେ ହେବ ନାହିଁ ?

 

କାଗଜ ଉପରେ କଲମ ରଖି ଗଗନବିହାରୀ କହିଲେ, ଖାଇ ସାରିଲେ ନିଦ ଘୋଟି ଆସିବ, ଲେଖି ଦେବନାହିଁ। ହଉ ଚାଲ

 

ଖାଇ ବସିଲାବେଳେ,–

 

କବି ଗୋପାଳକୃଷ୍ଣଙ୍କର ପ୍ରତିମୂର୍ତି ଦେଖିଲ ତ ଦୀପ୍ତି ? କାଠରେ ତିଆରି, ଧନ୍ୟ ସେ ଶିଳ୍ପୀ ! ସେ କବିଙ୍କର ବନ୍ଧୁ ଥିଲେ । କବି ମରିବାର ଅନେକ ବର୍ଷ ପରେ ଶିଳ୍ପୀ ବୃନ୍ଦାବନ ପଟ୍ଟନାୟକ କାଠରେ ଗଢ଼ିଲେ ପ୍ରତିମୂର୍ତ୍ତି । କବିଙ୍କର ଫଟୋ ନ ଥିଲା । ତାଙ୍କର ଫଟୋ ଶିଳ୍ପୀ-ବନ୍ଧୁଙ୍କର ମନ ଭିତରେ ଅଙ୍କା ହୋଇଥିଲା ।

 

ଦୀପ୍ତି ପଚାରିଲା, କବି ଗୋପାଳକୃଷ୍ଣ ସେଇ ମୂର୍ତ୍ତିଟି ପରି ଥିଲେ ଏହାର ପ୍ରମାଣ କଣ-?

 

ଗଗନ କହିଲେ, ଯେଉଁମାନେ କବିଙ୍କୁ ଦେଖିଥିଲେ, ସେମାନେ ମୂର୍ତ୍ତିକୁ ଦେଖି ଭ୍ରମରେ ପଡ଼ିଲେ ଯେ କବି ସେପୁରରୁ ଫେରି ଆସିଛନ୍ତି । ଆଶ୍ଚର୍ଯ୍ୟ ହୋଇଥିଲେ । ଏଇ ପାରଳା ଥିଲା କବିଙ୍କର ଜନ୍ମସ୍ଥାନ । ସେ ତାଙ୍କର ଅମୃତ କବିତା ରଚନା କରିଥିଲେ । କବି ଅମର, ଆଉ, ତାଙ୍କର ବନ୍ଧୁ-ଶିଳ୍ପୀ, ଯେ ମନ ଭିତରେ ଛବିକୁ କାଠ ଦେହରେ ଜୀବନ୍ତ କରି ଫୁଟାଇ ପାରିଥିଲେ ସେ ମଧ୍ୟ ଅମର ! ଧନ୍ୟ ସେ !

 

ନିଦ କୋଳରେ ତରୁଣ-ତରୁଣୀ ବାହୁଫାଶରେ ଆବଦ୍ଧ । ସପନ ଛପି ଛପି ଆସେ, ହସି ହସି ସେ । ଦୁଇ ହାତରେ ଅଚେତନ ଦୁଇଟି ମନକୁ ଠେଲିଦିଏ କେତେ ଦୂରକୁ । ତରୁଣ ଶୁଣେ ଗୋପାଳକୃଷ୍ଣଙ୍କର ପଦ୍ୟାବଳୀ । ତରୁଣୀ ଦେଖେ ମନ ଭିତରର ଛପିଲା ଛବି ।

 

ଦୀପ୍ତି, ଦୀପ୍ତି– !

ଉଁ– ।

ସ୍ୱପ୍ନ ଦେଖିଲ ? ବିଳିବିଳଉଛ ଯେ–, ଦୀପ୍ତି, ଦୀପ୍ତି–

ଉଁ– ।

 

ଦୀପ୍ତି ମୁଣ୍ଡ ଟେକେ । ଝାପ୍‌ସା ଆଲୁଅରେ ଗଗନବିହାରୀଙ୍କର ନିଦୁଆ ଆଖିକୁ ଚାହେଁ । ଆହୁରି ପାଖକୁ ଲାଗି ଆସେ । ଆଖି ବୁଜି ଶୋଇପଡ଼େ । ସପନ ପଛଘୁଞ୍ଚା ଦିଏ ।

•••

 

ଉଣେଇଶି

 

କାହାର ଫଟୋ ସେ ?

ଛାତିରୁ ନିଆଁ ଖସି ପଡ଼ିଲା । ଅରିଲା ହାତରୁ ସତେ କି ଫଟୋ ଖଣ୍ଡି ଖସି ପଡ଼ିବ । ମାୟା ମଣିଲା, ଏତେ ଦିନ ପରେ ଆଜି ସେ ଧରା ପଡ଼ିବ । ଦାଣ୍ଡକବାଟ କିପରି ଖୋଲାଥିଲା, ବନ୍ଦ କରିବାକୁ ମନେ ନାହିଁ । ଆଜି ଶନିବାର । କଲେଜ ସହଳ ଛୁଟି ହୋଇଛି ।

କାହାର ଫଟୋ ?

ଗଗନବିହାରୀ ଆଗକୁ ଆସିଲେ । ଏଁ, ତମେ କାନ୍ଦୁଛ ?

ନଇଁପଡ଼ି ମାୟା ହାତରୁ ଫଟୋଟି ନେଲେ । ବିସ୍ମୟ ଓ ଆଗ୍ରହରେ ଆଖିପତା ଖୋଲି ହୋଇଗଲା । କହିଲେ, ବିଧୁର ଫଟୋ ? କେଉଁଠି ଆଣିଲ ?

ଦୀପ୍ତି ଖୋଲା ଟ୍ରଙ୍କ ଆଡ଼କୁ ହାତ ଦେଖାଇ ଠିଆହେଲା । ଗଗନବିହାରୀ ଫଟୋ ଖଣ୍ଡିକୁ ଆହୁରି ଥରେ ନିରେଖି କହିଲେ, କାନ୍ଦନା ଦୀପ୍ତି, ଆଜି ଗୋଟିଏ ଶୁଭଦିନ । ବିଧୁର ସ୍ମୃତି ଫେରି ଆସିଛି । ତା ସଙ୍ଗେ ସଙ୍ଗେ ମାୟାଦେବୀଙ୍କର ସ୍ମୃତି । ଆସ– ।

ଦୀପ୍ତିର ହାତ ଧରି ଗଗନ ଆର ଘରକୁ ନେଲେ । କାନ୍ଥ ମଝିରେ ଫଟୋ ଖଣ୍ଡି ଟାଙ୍ଗି । କହିଲେ, ଏଇଠି ଏ ଫଟୋ ଟଙ୍ଗାହୋଇ ରହିବ । ସବୁବେଳେ ଆଖିରେ ପଡ଼ୁଥିବ ।

ପାଖ ଚଉକିରେ ଦୀପ୍ତି ବସିଲା ।

ମୟାଦେବୀଙ୍କର ଫଟୋ ନାହିଁ ଦୀପ୍ତି ?

ଦୀପ୍ତି ମୁହଁ ନ ଖୋଲି ମୁଣ୍ଡ ହେଲାଇଲା ।

ସମ୍ବଲପୁରରେ ଥରଟିଏ ତାଙ୍କୁ ମୁଁ ଦେଖିଥିଲି । ଚେହେରାଟି ମନେ ନାହିଁ । ମନେହେଉଛି, ତମଠାରୁ ସେ ଅଧିକ ସୁନ୍ଦର ଥିଲେ । ସେ ଯଦି ବଞ୍ଚିଥାନ୍ତେ–

ତମେ କଣ ତାକୁ ବାହା ହୋଇଥାନ୍ତ ? ଦୀପ୍ତି ମୁହଁ ଖୋଲିଲା ।

ସେ ଯଦି ପ୍ରତିବାଦ ନ କରିଥାନ୍ତେ ମୁଁ ତାଙ୍କୁ ହିଁ ବିବାହ କରିଥାନ୍ତି । ତମର ବାପା ଓ ଭାଇ ସମ୍ମତି ହୋଇଥିଲେ । ମୋର ବାପା ଓ ମାଆଙ୍କର ଆପତ୍ତି ନ ଥିଲା ।

ତା ଠାରୁ ଆହୁରି ସୁନ୍ଦର ଝିଅଟିଏ ଯଦି କେଉଁଠି ଆଖିରେ ତମର ପଡ଼ିଥାନ୍ତା ତ ତମେ ହୁଏତ ମତ ବଦଳାଇଥାନ୍ତ । ବିଧବାଟାକୁ ବିବାହ କରିଥାନ୍ତ କାହିଁକି ?

ତମେ ଏପରି କାହିଁକି ଭାବୁଛ ଦୀପ୍ତି ?

ମୋର ଧାରଣା, ମରଦଗୁଡ଼ା ଖାଲି ରୂପ ରୂପ ହୋଇ ବାଇଆ ହୁଅନ୍ତି ।

ସମସ୍ତଙ୍କୁ ଏକାପରି ମଣ ନାହିଁ । ମାୟାଦେବୀ ସୁନ୍ଦର ହୋଇ ନ ଥିଲେ ମଧ୍ୟ ତାଙ୍କୁ ମୁଁ ବିବାହ କରିବାକୁ ରାଜି ହୋଇଥାନ୍ତି। ସେ ଥିଲେ ମୋର ବନ୍ଧୁ ବିଧୁର ବିଧବା । ତାଙ୍କର ଦୁଃଖ ଦୂର କରିବାକୁ ମୁଁ ଏହା କରିଥାନ୍ତି ।

 

ସେଥିପାଇଁ ତେବେ ସେ–

 

ସେ ମରିଗଲେ ? ନାହିଁ ଦୀପ୍ତି, ବଞ୍ଚିବା ମରିବା ଭିତରେ ତଫାତ୍ ନାହିଁ । ଯଦି ପୁନର୍ଜନ୍ମ ବିଶ୍ୱାସ କରାଯାଏ, ତେବେ ମରଣ ଗୋଟିଏ ଘଟ ପରିବର୍ତ୍ତନ । ଯଦି ବିଶ୍ୱାସ କରା ନ ଯାଏ, ଆଉ କୁହାଯାଏ ଯେ ଜନ୍ମହୋଇ ବଢ଼ିବା ଓ ମରିବା ପବନର ପ୍ରବାହ ପରି ଆସେ, ପୁଣି ଚାଲିଯାଏ, ସବୁ ନିଶ୍ଚଳ ହୁଏ, ତେବେ ଜୀବନ ମରଣ ଦୁଇ କଥା ସମାନ ।

 

ବିଧୁ ଆଜି ନାହିଁ, ମାୟାଦେବୀ ନାହାନ୍ତି । ହୁଏତ ଦୁହେଁ ଘଟ ବଦଳାଇଛନ୍ତି, ନୋହିଲେ ଦୁଇଟା ଜୀବନର ଆକସ୍ମିକ ପ୍ରବାହ ନିଶ୍ଚଳ ହୋଇଛି । ଜୀବନର ପ୍ରବାହ ଛୁଟିଛି, ଛୁଟିବ । ସେଇ ଦୁଇଟା ଜୀବନକୁ କେହି ଖୋଜି ପାଇବେ ନାହିଁ । ହୁଏତ ସେ ଆଉ ନାହିଁ । ଲହଡ଼ି ପରି ଉଠି ପୁଣି ପାଣିରେ ମିଶିଯାଇଛି । କେତେ ଲହଡ଼ି ପୁଣି ଉଠିବ, ପାଣିରେ ମିଶିବ, କିନ୍ତୁ ଯେଉଁ ଦୁଇଟା ଲହଡ଼ି ଉଠିଥିଲା, ପୁଣି ମଥା ନୋଇଁଥିଲା, ସେ ଆଉ ଉଠିବ ନାହିଁ ।

 

ଦୁଃଖ କାହିଁକି ଦୀପ୍ତି ? ଯେଉଁମାନେ ଥିଲେ ତାଙ୍କ କଥା ଭାବି ଖୁସି ହେବା ସିନା, ଦୁଃଖ କରିବା ନାହିଁ, କାନ୍ଦିବା ନାହିଁ ।

 

କାନ୍ଥ ମଝିରେ ଟଙ୍ଗା ହୋଇଥିବା ଫଟୋ ଆଡ଼କୁ ଚାହିଁ ରହିଥିବା ଦୀପ୍ତିର ଲୁହଧୁଆ ଗାଲ ଉପରେ ଗଗନବିହାରୀ ଆଦରରେ ସ୍ନେହର ଚୁମ୍ବନ ଆଙ୍କିଲେ ।

 

ଦୀପ୍ତି ଶିହିରି ଉଠିଲା । ମନରେ ଗର୍ବ ଆସିଲା । ଯାହାର ଗଳାରେ ସେ ବାହୁ ବେଷ୍ଟନୀ କରିଛି, ଯାହାର ଅମୃତ ଆଲିଙ୍ଗନ ପାଇଁ ତାର ସାରା ଶରୀର ଓ ମନ ଉଚ୍ଛନ୍ନ ହୋଇ ଉଠିଛି, ସେ ତ ସାଧାରଣ ମଣିଷ ନୁହନ୍ତି, ସେ ଦେବତାଠୁଁ ବଳି ଉଦାର ଓ ପବିତ୍ର । ସବୁ ଦୋଷ କ୍ଷମା କରିବାକୁ ସେ କୁଣ୍ଠିତ ହେବେ ନାହିଁ । ବିଧୁବାବୁଙ୍କ ସ୍ମୃତିକୁ ସେ ସମ୍ମାନ ଦେଖାଇବ, ପୂଜା କରିବ, କିନ୍ତୁ ନ ଥିଲା ମଣିଷଟି ପାଇଁ ସେ ଆଉ ଦୁଃଖ କରିବ ନାହିଁ, ଝୁରି ହେବ ନାହିଁ। ଦିନେ ସେ ଥିଲେ ସ୍ୱାମୀ, ଆଜି ତ ନାହାନ୍ତି । ଆଜି ଯେ ତାର ସ୍ୱାମୀ ଓ ଦେବତା, ଯାହାକୁ ଜୀବନ ସର୍ବସ୍ୱ କରି ସାରା ଜୀବନ ସେ କଟାଇବ, କାୟ, ମନ ଓ ବାକ୍ୟରେ ତାଙ୍କରି ସେବା ସେ କରିବ। ତାଙ୍କରି ସୁଖ ଆନନ୍ଦ ପାଇଁ ସେ ପ୍ରାଣପାତ କରିବ ।

 

ଦୀପ୍ତି ନିଜକୁ ଭୁଲି ଗଗନବିହାରୀଙ୍କର ଚିବୁକରେ ଓଠ ଲଗାଇଲା । ଭାବିଲା, ତାଙ୍କ ପାଖରେ ସେ କିଛି ଗୋପନ ରଖିବ ନାହିଁ । ଯାହା ସବୁ ଘଟିଯାଇଛି ସବୁ ସେ ପ୍ରକାଶ କରିବ । ପରିଣାମ ଯାହା ହେଉ ପଛେ ।

 

ସମୟ କଟିଗଲା, ତଥାପି ସେ ମନର କଥା ପ୍ରକାଶ କରି ପାରିଲା ନାହିଁ । ଜିଭରେ ଅଟକେ । ଛାତି ଦାଉଁ ଦାଉଁ ଥରେ । ଇଚ୍ଛା ବିରୁଦ୍ଧରେ ସେ ଅଭିନୟ କରେ ।

 

ଅଭିନୟ ସେ କରିଛି, କିନ୍ତୁ ସେ ଯାହା ପାଖରେ ନିଜକୁ ଛପାଇ ଅଭିନୟର ବେଶ ବାନ୍ଧି ଠିଆ ହୁଏ, ସେ ମଣନ୍ତି ସବୁ ସତ। ଗଗନବିହାରୀ କାହାକୁ ଅବିଶ୍ୱାସ କରନ୍ତି ନାହିଁ । ସମସ୍ତେ ତାଙ୍କର ଆପଣାର । ଯାହାର ହାତ ଧରି ଘରକୁ ଘରଣୀ କରି ଆଣିଛନ୍ତି ତାଆରି ପାଖରେ ସେ ନିଜକୁ ସମର୍ପି ଦେଇଛନ୍ତି । ତା ପାଖରେ ସେ ନିଜେ ଯେପରି ଶିଶୁ !

 

ଦୀପ୍ତିର ମନରେ ସବୁଠାରୁ ବେଶି ଆଘାତ ଦିଏ ଗୋଟିଏ କଥା, କାହା ପାଖରେ ଏତେ ଲୁଚାଛପା ? ସତ କଥା ଖୋଲି କହିଲେ ସେ କେବେ ଅନ୍ୟଥା ଭାବିବେ ନାହିଁ, ବରଂ ଖୁସି ହେବେ-। କିନ୍ତୁ ସତ କଥା ସେ ଖୋଲି କହିବ କିପରି? ଆଜିଯାଏ ଯାହା ଗୋପନ ରଖିଛି, କିପରି ସେ କଥା ପ୍ରକାଶ କରିବ ? ମନ ହେଲେ ମଧ୍ୟ ତୁଣ୍ଡ ଖୋଲେ ନାହିଁ ।

 

ବାପା ଚିଠି ଲେଖିଛନ୍ତି,–କାହିଁକି ଚିଠି ଦେଉନୁ ମା ? ତମ ଦୁହିଙ୍କର ଦେହପା ଖବର ଶୀଘ୍ର ଲେଖିବୁ । ବୋଉ ଲେଖୁଛନ୍ତି,–ଗୋବିନ୍ଦ ବାବୁଙ୍କ ଝିଅ ସଖୀ ସଙ୍ଗରେ ରାଜୀବର ବାହାଘର ଠିକ୍ ହେଲା । ଦିନ ଥିର ହେଲେ ଲେଖିବି । ତମେ ଆସିବ ଦିହେଁ ନିଶ୍ଚେ ଆସିବ ।

 

ବାପା ମା ଦୁହିଁଙ୍କୁ ଉତ୍ତର ଦେଲା, ଭାଇଙ୍କ ବାହାଘରକୁ ଯିବାକୁ ମୁଁ ଗୋଡ଼ ଟେକି ବସିଛି-

 

ଚିଠି ଗଲା ପରେ ଭାବିଲା, କେମିତି ଯିବ ? ଆଉ କେହି ନ ଚିହ୍ନୁ, ସଖୀ ତ ଚିହ୍ନିବ !

ମନ କେମିତି ହେଲା ।

ସଞ୍ଜବେଳେ–

ତୁନି ହୋଇ ବସି କଣ ଏତେ ଭାବୁଛ ଦୀପ୍ତି ?

ନାହିଁ ତ !

 

ଗଗନବିହାରୀଙ୍କୁ ଦେଖି ଦୀପ୍ତି ଉଠି ଠିଆହେଲା । ହସିଲା ଓଠରେ ଜାମାରୁ ବୋତାମ ଖୋଲିଲା । କହିବ ନାହିଁ, ଏତେବେଳ ଯାଏ କେଉଁଠି ଥିଲ ଆଗ ଶୁଣେ ।

 

ବଶିର୍ ଘରେ ବସିଗଲି । ତୁମକୁ ସଙ୍ଗରେ ନେଇଯିବାକୁ ଜିବୁନ୍ନିସାଙ୍କର ଆଦେଶ । ଯିବା ଚାଲ ।

 

ଆଉ ଦିନେ ଯିବା ।

ଆଜି ଚାଲ ।

ମୁଣ୍ଡ ବୁଲାଉଛି ।

 

ଦୀପ୍ତି ଗଗନବିହାରୀଙ୍କ ଜାମାର ବୋତାମ ଖୋଲିବାକୁ ଲାଗିଲା । କାନ୍ଥ ମଝିରୁ ପଚାରିଲାଆଖିରେ ସତେ କି ଚାହିଁରହିଲା ବିଧୁଭୂଷଣର ଫଟୋ । ଯେଉଁ ଫୁଲମାଳଟି ଅତି ଯତ୍ନରେ ଗନ୍ଥି ଫଟୋଟିରେ ଝୁଲାଇ ଦେବାକୁ ଗଗନବାବୁଙ୍କ ହାତକୁ ସେ ବଢ଼ାଇ ଦେଇଥିଲା, ସେ ମାଳଟି କେବଠୁଁ ଶୁଖି ଗଲାଣି । ସେଥିରେ ବୁଢ଼ିଆଣୀ ଜାଲ ବୁଣିଲାଣି । ମନ ପଥର ହୋଇଛି । କ୍ୟାଲେଣ୍ଡରର ଛବି ପରି କି, ବଜାରରୁ କିଣା ହୋଇ ଫ୍ରେମବନ୍ଧା ଆଉ ଦଶଟା ଛବି ପରି, ବିଧୁଭୂଷଣଙ୍କର ଛବିଖଣ୍ଡି ଆଖିରେ ପଡ଼ୁ-ନାହିଁ । ଦେହଘଷା ହେଲେ ଯାହା ହୁଏ ।

 

ଗଗନବିହାରୀଙ୍କର ଦୃଷ୍ଟିରେ ବଡ଼ିଲା । କଅଁଳେଇ କହିଲେ, ଦେଖ ଦୀପ୍ତି, ଏ ଫଟୋ ଖଣ୍ଡିକୁ । ବୁଢ଼ିଆଣୀ ଜାଲ ତଳେ ବିଧୁର ମୁହଁଟି ଲୁଚି ଯାଇଛି । ଆଉ ଖଣ୍ଡେ ଫୁଲମାଳ ଟାଙ୍ଗି ଦେଲେ ଭଲ ହୁଅନ୍ତା ।

 

 

ଦୀପ୍ତି କଣେଇ ଚାହିଁଲା । ଭ୍ରୂଲତା ନଚାଇ ଅଳପ ହସି ସେ ଉତ୍ତର ଦେଲା, ଭଲ ହୁଅନ୍ତା ଯେ ଫୁଲ ମିଳୁନାହିଁ । ମିଳିଲେ ବି ମାଳା ଗୁନ୍ଥିବାକୁ ମୋର ମୋର ବେଳ ନାହିଁ । ତମ ପାଇଁ ଯେଉଁ ଉଲର ସ୍ୱେଟର୍‌ଟି ବୁଣିଛି ସେଇଟି ସରିଲେ ଯାଇ ଯାହା ହେବ ।

 

ଅସୁନ୍ଦର ଦିଶୁଛି ।

 

ତେବେ କାଗଜ ଫୁଲର ମାଳଟିଏ କିଣି ଆଣ ଯେ ସେ ମଉଳିବ ନାହିଁ । ଭାରି ସୁନ୍ଦର ଦିଶିବ । ତମେ ଏକା ବେଳେ ବେଳେ ଅଳନ୍ଧୁ ଝାଡ଼ିବ

 

ତମେ ପାରିବ ନାହିଁ ଦୀପ୍ତି ?

 

ବେଶି ଉଚ୍ଚରେ ଟାଙ୍ଗିଛ । ମୋର ହାତ ପାଉ ନାହିଁ । ଟେବୁଲ କି ଚଉକି ଉପରେ ଚଢ଼ିଲେ ମୋ ମୁଣ୍ଡ ବୁଲେଇ ଦେଉଛି ।

 

ଅନ୍ୟ ଉପାୟ ନାହିଁ ?

ଅଛି । ଫୁଲ ଛାଞ୍ଚୁଣି, ତମେ ପସନ୍ଦ କରିବ ନାହିଁ ।

ବରଂ ସେଇଆ କର, ମଇଳା ଝାଡ଼ ।

•••

 

କୋଡ଼ିଏ

 

ଦୀପ୍ତି, ମୁଁ ଖଣ୍ଡଗିରି ଯିବି । ଗୁମ୍ପାଗୁଡ଼ିକ ଆଉ ଥରେ ଭଲକରି ନ ଦେଖିଲେ ବହିଟା ଶେଷ କରି ପାରୁନାହିଁ। ଭୁବନେଶ୍ୱର ଦେଖିବାକୁ କହୁଥିଲ ପରା ? ଚାଲ ଯିବା ।

 

ଆଗ୍ରହରେ ଦୀପ୍ତି ପଚାରିଲା, କେବେ ?

କଲେଜ ଛୁଟି ହେଉ ।

ଭୁବନେଶ୍ୱର,–

 

ଅନ୍ଧାର ରାତି । ସ୍ୱାମୀ କୋଳରେ ଦୀପ୍ତିର ନିଶ୍ଚଳ ଦେହ । ଦେହ ଭିତରେ ଛଟପଟ ଆତ୍ମା । ଅମାନିଆଁ ମନ, ଦେହ ଓ ଆତ୍ମାକୁ ଏକ କରି ବାନ୍ଧି ରଖିଛି, ବଢ଼ାଇ ଦେଇଛି ତାର ଅନନ୍ତ ବାହୁ ଦିଓଟି, ଅତୀତ ଓ ଭବିଷ୍ୟତକୁ ।

 

ଆଉ ତ ନିଜକୁ ସେ ଲୁଚାଇ ପାରିବ ନାହିଁ ? ପ୍ରୀତି ଆପା ତାକୁ ଚିହ୍ନି ପାରିଛନ୍ତି ।

 

ପେଟରେ ଚାରି ମାସର ପିଲା ଛଟପଟ ହେଉଛି । ଯାହାଙ୍କୁ ସେ ପ୍ରତାରଣା କରିଛି, ତାଙ୍କରି ଆତ୍ମାର କଣିକାଏ ଅବତାର ଲଭୁଛି ତାଆରି ଭିତରେ ।

 

କ୍ଷମା କଣ ସେ କରିବେ ? କହି ଦେବ ସତ କଥାଟା ?

 

ଦୀପ୍ତି ବାହାରକୁ ଚାହିଁଲା । କେଡ଼େ ଅନ୍ଧାର । ଝିମ୍ ଝିମ୍ । ଦୂର ଆକାଶରେ ମିଟିମିଟି ତରା । ଅଗଣନ । ନିସ୍ତବ୍‌ଧ । ଭୟଙ୍କର ରାତି ! ଡର ମାଡ଼ୁଛି ।

 

ସ୍ୱାମୀଙ୍କୁ ହଲାଇଲା, –ଶୁଣିଚ-ହେ, ହେ–

ଉଁ– ।

ଶୁଣମ–।

କଅଣ ?

 

ଦୀପ୍ତି ଉତ୍ତର ଦେଇ ପାରିଲା ନାହିଁ । ଯାହା କହିବାକୁ ସେ ମନ କରିଥିଲା, ତଣ୍ଟିରେ ଅଟକିଗଲା । ମନରେ ପ୍ରଶ୍ନ, ସତେ କଣ ପ୍ରୀତି ଅପା ଚିହ୍ନି ପାରିଛନ୍ତି । ଏକା ମା ପେଟର ଦୁଇଟି ଭାଇ କି ଭଉଣୀ ତ ବେଳେ ବେଳେ ଏପରି ଏକା ପରି ହୁଅନ୍ତି ଯେ ଜାଆଁଳା ହୋଇଥିଲେ ପାଟି ନ ଶୁଣିବା ଯାଏ ବାପ ଦାଦି ବି ଭ୍ରମରେ ପଡ଼ନ୍ତି ।

 

ଆଖିରେ ତାଙ୍କର ସନ୍ଦେହ ଭରି ଯାଇଥିଲା । ତୀକ୍ଷ୍‌ଣ ଦୃଷ୍ଟିରେ ଚାହିଁ ରହିଥିଲେ ଚିବୁକ ଉପରକୁ, ସେଇ ଖସ ଚିହ୍ନଟିକୁ । ବୋହୂ ଦେଖ ବେଳେ ଯିଏ ବାଛିଲେ ପ୍ରୀତି ଅପା କହନ୍ତି, ମୋ ମାୟାର ଚନ୍ଦ୍ର ମୁହଁରେ ସେଇ ଟିକିକ ଶଶାଙ୍କ । କେଡ଼େ ସୁନ୍ଦର ଦିଶୁଛି କହ ତ । ଅପା ଭୁଲିପାରି ନାହାନ୍ତି । ସବୁ ସେ ପ୍ରକାଶ କରିବେ । ତା ଆଗରୁ ସ୍ୱାମୀଙ୍କ ପାଖରେ ସେ ସତ୍ୟ ପ୍ରକାଶ କରିବ । ଯେଉଁ ଦଣ୍ଡ ସେ ଦେବେ, ମୁଣ୍ଡ ପାତି ଗ୍ରହଣ କରିବ ।

 

ନିଦୁଆ ସ୍ୱରରେ ଗଗନ ପଚାରିଲେ, କଣ କହ ।

ଡର ମାଡ଼ୁଛି ।

ଡର ? ସ୍ୱପ୍ନ ଦେଖିଲ ? ଘୁଞ୍ଚି ଆସ ।

 

ସେଇ ଅନ୍ଧାରର ସର୍ବସହଣୀ କୋଳରେ ଗଗନବିହାରୀ ଦୀପ୍ତିକୁ ଆହୁରି ପାଖକୁ ଟାଣିନେଲେ । ହାତଟି ତାର ପିଠି ଉପରେ ରଖି ଧୀରେ ଧରେ ଆଉଁସିବାକୁ ଲାଗିଲେ ।

 

ଅବଣ ହାତ ସ୍ଥିର ହେଲା । ଦୀର୍ଘଶ୍ୱାସ ଛୁଟିଲା । ସେ ଶୋଇ ପଡ଼ିଲେଣି । ଏମିତି ସେ ଛୁଟ୍ କରି ଶୋଇ ପଡ଼ନ୍ତି। ନିର୍ମଳ ମନ । ନିରହଙ୍କାର ସ୍ୱଭାବ । ସମସ୍ତଙ୍କୁ ସେ ବିଶ୍ୱାସ କରନ୍ତି । ଶାଗ ପାଣି ଲୁଣିଆ ଅଲଣା ଯାହା ଦେଲେ ସେ ଶାନ୍ତି ସନ୍ତୋଷରେ ଖାଆନ୍ତି । ପୁଣି ପ୍ରଶଂସା କରନ୍ତି-। ସପନ ସେ ଦେଖନ୍ତି ନାହିଁ । ନିଶ୍ଚିନ୍ତ ନିଦ । ଶୋଇ ପଡ଼ନ୍ତି ।

 

ପରଦିନ ସକାଳେ, ଖଣ୍ଡଗରି ଯିବାକୁ ସଜ ହେଉଛନ୍ତି, ଚନ୍ଦ୍ରଭୂଷଣ ପହଞ୍ଚିଲେ । ସଙ୍ଗରେ ପ୍ରୀତି ଓ ରମୁ ।

 

ଦୀପ୍ତି ଚମକି ଉଠିଲା । ମୁହଁ କଳା କାଠ ହେଲା ସେ ବୁଝିଲା, ପ୍ରୀତି ଅପା ମଧ୍ୟ ରାତିରେ ଶୋଇ ନାହାନ୍ତି । ହୁଏତ ଆଗରୁ କେଉଁଠୁ ସେ ଉଡ଼ା ଖବର ପାଇ-ଥିବେ । ଆଉ ଥରେ ଦେଖିଲେ ତାଙ୍କର ସନ୍ଦେହ ତୁଟିବ । ସେ ସତକଥା ପ୍ରକାଶ କରିବେ । ପ୍ରାଣଦଣ୍ଡ ଆଦେଶ ଶୁଣାଇଁ ଦେବେ ।

 

ଦୀପ୍ତିର ଛାତି ଥର ଥର ହୋଇ କମ୍ପିଲା ।

ଗଗନବିହାରୀ କହିଲେ, ସମସ୍ତେ ଖଣ୍ଡିଗରି ଯିବା । ମୁଁ ଆଉ ଖଣ୍ଡେ ଗାଡ଼ି ଯୋଗଶଡ଼ କରେଁ ।

 

ଚନ୍ଦ୍ରଭୂଷଣ କହିଲେ, ନାଇଁ ଗଗନ, ବେଳ ହେବ ନାହିଁ । ସକାଳୁ ଉଠି ତମର ନୂଆଉ ଜିଗର ଧରିଛନ୍ତି ଯେ ଏଗାରଟା ଗାଡ଼ିରେ ଭୁବନେଶ୍ୱର ଛାଡ଼ିବେ । ଯେତେ ବୁଝେଇଲି ଆଉ ଦିନଟିଏ ରହି ଯିବାକୁ, ସେ ମଙ୍ଗୁ ନାହାନ୍ତି । ଏକା ଯିଦ୍ ଧରିଛନ୍ତି । ଜିନିଷ ପତର ସବୁ ବନ୍ଧାବନ୍ଧି କରି ରଖି ଆସିଛନ୍ତି । ଛାୟାଦେବୀଙ୍କୁ ଥରେ ଦେଖିଯିବାକୁ ଆସିଲେ ।

 

ଚନ୍ଦ୍ରଭୂଷଣ ହାତଘଣ୍ଟାକୁ ଚାହିଁଲେ ।

ନଅଟା ।

ନୂଆଉଙ୍କୁ ମୁଁ ଥରେ କହେଁ ।

ଚେଷ୍ଟାକରି ଦେଖ ।

ଗଗନବାବୁ ଭିତରକୁ ଗଲେ ।

•••

 

ଏକୋଇଶି

 

ଆଗରେ ଦେବୀପ୍ରତିମା ମାୟା । ବିଧୁଭୂଷଣର ହାତ ଧରି ଯେଉଁମାନେ ସମ୍ବଲ- ପୁରରେ ଗୋଡ଼ ଦେଇଥିଲା, ରୂପର ତେଜରେ ଏମିତି ସେ ଦାଉଦାଉ ଜଳୁଥିଲା । ଆଖିରେ ଏମିତି ଢଳଢଳ ହେଉଥିଲା ଲୁହ !

 

ପ୍ରୀତି ପାଖକୁ ଗଲେ । ଦୀପ୍ତିର ହାତ ଧରିଲେ । ଦୁଇ ଆଖିରେ ଛଳଛଳ ଲୁହ ।

 

କାହାରି ମୁହଁରୁ କଥା ବାହାରିଲା ନାହିଁ । ଦୁହେଁ ଦୁହିଁଙ୍କୁ ଚାହିଁ ରହିଲେ । ପ୍ରୀତି ନିଜ ବେକରୁ ମୂଲ୍ୟବାନ ସୁନାର ହାର ଖୋଲିଲେ । ଦୀପ୍ତିଉ ଗଳାରେ ପିନ୍ଧାଇ ଦେଲେ । ଡରିଲା ଥରିଲା ମୁହଁଟିକୁ ଛାତି ଉପରକୁ ଆଣି ଚୁମ୍ବନ କଲେ ।

 

ଦୀପ୍ତି ଢଳି ପଡ଼ିଲା ଅତି ପ୍ରିୟ ତାର ପ୍ରୀତିଅପାଙ୍କର କାନ୍ଧ ଉପରେ । ତୁଣ୍ଡରୁ ଥରିଲା କଥା ବାହାରିଲା, ଅପା, ହତଭାଗିନୀ ମୁଁ– ।

 

ଆଉ ଅଧିକ କହିପାରିଲା ନାହିଁ । ତୁଣ୍ଡରେ କଥା ଅଟକିଲା । କୋହ ଉଠିଲା । ପ୍ରୀତିଙ୍କର ଦେହକୁ ଢଳି ପଡ଼ିଥିବା ପେଟ ଭିତରେ ପିଲା ଓଲଟିଲା ।

 

ପ୍ରୀତି ଦୀପ୍ତିର ପିଠି ଆଉଁସିଲେ, ଅତି ପରିଚିତ, ଅତି ଆପଣାର କଅଁଳ ଦେହଟି ! ସବୁ ସେ ବୁଝିଲେ । ମନର ସନ୍ଦେହ ଦୂରୀଭୂତ ହେଲା । ହଁ, ଏଇ ଝିଅଟି ତ ସେ । ଲାବଣ୍ୟ ପ୍ରତିମା, ନବନୀତ ପରି କୋମଳ ଦେହ । ଲକ୍ଷ୍ମୀଠାକୁରାଣୀ ପରି ଆଗରେ ଉଭା ହୁଏ । ଛାତିରେ ଧରିଲେ ସବୁ ଦୁଃଖ ମନରୁ ପାସୋରି ଯାଏ । ଏଇ ତ ସେ, ମନର ସବୁ ସରାଗ ଦେଇ ଯାହାକୁ ସେ ଭଲ ପାଇଥିଲେ । ସାନଭଉଣୀ କରି କୋଳକୁ ନେଇଥିଲେ ।

 

ଓଠରେ ହସ ଖେଳିଲା । ଗହ୍ଲେଇ କହିଲେ, ମୁଁ ତୋର ଅପାଟି । କାନ୍ଦୁଛୁ କାହିଁକି ? ମୋ ରାଣ, ତୁନି ହ ।

 

ଗଗନବିହାରୀ ସେମାନଙ୍କ ପାଖକୁ ଗଲେ । ଡାକିଲେ, ନୂଆଉ– ।

ପ୍ରୀତିଙ୍କର ଓଠରେ ତୃପ୍ତିର ହସ ! ବିଧୁଭୂଷଣ ଏମିତି ଡାକନ୍ତି । ପ୍ରାଣ ପୁଲକି ଉଠେ ।

ଦୀପ୍ତି ମୁଣ୍ଡ ଟେକି ଠିଆହେଲା । କାହାରି ମୁହଁକୁ ଚାହିଁ ପାରିଲା ନାହିଁ ।

ଗଗନ ଅନୁରୋଧ କଲେ, ଖଣ୍ଡଗିରି ଯିବ ନାହିଁ ନୂଆଉ ?

 

ପ୍ରୀତି ତୁନି ରହିଲେ । କେତେ ଦିନ ପରେ ଆଜି ନୂଆଉ ଡାକ ତାଙ୍କ କାନରେ ବାଜିଲା-। ସତେ କି ସମୟ ସୁଅ ପଛୁଆଣି ବହିଲା । ଆଗରେ ମାୟା, ପଛରେ ବିଧୁଭୂଷଣ !

 

ଗଗନ ପୁଣି କହିଲେ, ଚାଲ ନୂଆଉ, ଦିନଟିଏ ଡେରି ହୋଇଗଲେ କିଛି କ୍ଷତି ହେବ ନାହିଁ ।

 

ଦୀପ୍ତି ପ୍ରୀତିଙ୍କର ହାତ ଧରିଲା । ଥରିଲା ଓଠରୁ ପଦଟିଏ କଥା ବାହାରିଲା, ଅପା– !

 

ପ୍ରୀତି ଢଳ ଢଳ ଆଖିରେ ଫେରି ଚାହିଁଲେ ଗଗନକୁ । ଲାଜ ଲାଜ ହୋଇ କହିଲେ, ମୋର ଗୋଟିଏ ଅନୁରୋଧ ଅଛି ଗଗନ, ରଖିପାରିବ ?

 

ପାରିବି ନୂଆଉ !

ପାଖକୁ ଆସ ।

ଗଗନ ବିହାରୀ ପାଖକୁ ଗଲେ ।

 

ଦୀପ୍ତି ଓଢ଼ଣା ଟାଣି ଅପସରି ଯାଉଥିଲା, ପ୍ରୀତି ତାର ହାତ ଧରି ଅଟକାଇ ରଖିଲେ । କହିଲେ, ଆସ, ମୋର ଆହୁରି ପାଖକୁ ଘୁଞ୍ଚିଆସ । ଆସ ଗଗନ ।

 

ଲାଜ ଲାଜ ହୋଇ ଗଗନ ପଚାରିଲେ, କହୁନା ନୂଆଉ, ତମର ଅନୁରୋଧଟା କଅଣ ?

 

ଗଗନବାବୁଙ୍କର ଗୋଟିଏ ହାତ ଧରି ଦୀପ୍ତି ପାଖରେ ଠିଆକଲେ । ଆଖିରେ ଲୁହ, ଓଠରେ ହସ । ଛାତି ତଳେ ଛପିଲା କୋହ ମନରେ ଆନନ୍ଦ । ଆତ୍ମାରେ ଉଲ୍ଲାସ ।

 

ମନ କହିଉଠିଲା, ହଜିଲା ଧନ ଫେରି ପାଇଛି । ସପନ କଥା ସତ ହୋଇଛି । ଜୀବନ ପାଖେ ମରଣ ନୋଇଁଛି ମଥା । ଗଲା ଆତ୍ମା, ନ ଥିଲା ପିଣ୍ଡା ପୁଣି ଫେରିଆସେ । ବିରାଟ, ମହାନ୍, ଅମର ମନ ଭିତରେ ସମସ୍ତେ ଅଛନ୍ତି । କେବଳ ମଣିଷର ଅହଂ ଖୋଜି ପାରିଲେ, ଚିହ୍ନି ପାରିଲେ ହେଲା ।

 

ଆଗରେ ମାୟା, ଆଗରେ ବିଧୁଭୂଷଣ ! ସେଇ ମନ ଉୁଲସା ଡାକ, ନୂଆଉ ! ସେଇ ପେଟପୂରା ଡାକ, ଅପା–

 

ଗଗନ ବାବୁ ପଚାରିଲେ, କହ ନୂଆଉ !

 

ତୃପ୍ତିର ଆଲୋକରେ ଉଜଳି ଉଠିଲା ପ୍ରୀତିଙ୍କର ଛଳଛଳ ଆଖି । କହିଲେ, ମୋର ଅନୁରୋଧ, ଦୀପ୍ତି ପାଖରେ ତମୁକୁ ଠିଆ କରାଇଛି । ଆଖି ପୂରାଇ ଦୁହିଁଙ୍କୁ ଦେଖୁଛି । ଅନୁଭବ କରୁଛି, ମୋର ବିଧୁଭୂଷଣ, ମୋର ମାୟା ଫେରିଆସିଛନ୍ତି । ମନ ଭିତରେ ଯେଉଁ ସ୍ଥାନ ଶୂନ୍ୟ ଥିଲା ବୋଲି ମଣିଥିଲି, ସେ ସ୍ଥାନ ଶୂନ୍ୟ ନୁହେଁ । ତମେ ଦିହେଁ ଅଛ । ତମ ଦୁହିଁଙ୍କୁ ଖୋଜି ପାଇଛି । ଭୁବନେଶ୍ୱର ମୋର ଆସିବା ସାର୍ଥକ ହୋଇଛି ବାବୁ, ମନକାମନା ମୋର ପୂର୍ଣ୍ଣ ହୋଇଛି । ଆଶୀର୍ବାଦ କରୁଛି, ଲିଙ୍ଗରାଜ ମହାପ୍ରଭୁ ତମ ଦୁହିଁଙ୍କୁ ଦୀର୍ଘାୟୁ କରନ୍ତୁ, ମା ସମଲେଶ୍ୱରୀ ତମ ଦୁହିଁଙ୍କୁ ସୁଖୀ କରନ୍ତୁ, ଯଶସ୍ୱୀ କରନ୍ତୁ ।

 

ହସି ହସି ଗଗନ କହିଲେ, ଖଣ୍ଡଗିରି ଗଲେ-

 

ସପନ ମୋର ସାର୍ଥକ ହେବ ବାବୁ, ମୁଁ ନିଶ୍ଚୟ ଯିବି । ତୁମେ ମୋର ବିଧୁଭୂଷଣ । ତମର ଆଗ୍ରହ ମୁଁ ଭାଙ୍ଗିପାରିବି ନାହିଁ । ତମର ପ୍ରସ୍ତାବକୁ ମୁଁ ନାହିଁ କରିପାରିବି ନାହିଁ । ମୁଁ ତୁମର ନୂଆଉଟି ! ତମ ଦୁହିଁଙ୍କର ଦୁଇହାତ ଧରି ଅତୀତ ଓ ବର୍ତ୍ତମାନର ମିଳନ ସ୍ଥାନ ସେହି ଖଣ୍ଡଗିରି ପାହାଡ଼ରେ ବୁଲିବି । ଦିନଟିଏ ନୁହେଁ, ଯୁଗଟିଏ । ତମ ଦୁହିଁଙ୍କର ଦୁଇହାତ ଧରି ବୁଲିବାକୁ ମୋର ମନ ହେଉଛି । ଚାଲ– ।

 

ରମୁ ଆସି ଡାକିଲା, ମା– ।

 

ପ୍ରୀତି କହିଲେ, ପାଖକୁ ଆ ବାପ ! ଦେଖ୍, ଏଇ ତୋର ଖୁଡ଼ୀରେ ରମୁ, ଆଉ ଇଏ ତୋର ଦାଦି !

 

ଦୀପ୍ତି ରମୁକୁ କାଖ କଲା । ମୁହଁଟିକୁ ନୁଆଁଇନେଇ କପାଳରେ କେତେ କାଳର ସଞ୍ଚିତ ବୋକ ଉପହାର ଦେଲା। ତଥାପି ମନ ସନ୍ତୁଷ୍ଟ ହେଲା ନାହିଁ । ଛାତିରେ ଜାକି ମୁଣ୍ଡଟିକୁ କାନ୍ଧ ଉପରକୁ ଢଳାଇ କଅଁଳେଇ କହିଲା, ରମୁ, ବାବା–

 

ଛତ୍ରପୁର

ତା ୬ । ୯ । ୪୬

Image